ମାଲକାନଗିରି: ବିଚ୍ଛିନ୍ନାଞ୍ଚଳରୁ ହଟିଛନ୍ତି ନକ୍ସଲ। କିନ୍ତୁ ହଟିନି ଅନ୍ଧାର। ଗୋଟିଏ କି ଦୁଇଟି ନୁହେଁ ଚିତ୍ରକୋଣ୍ଡା ବ୍ଲକ୍‌ର ୪୭ ଗାଁକୁ ବିଦ୍ୟୁତ୍‌ ସେବା ନଥିବାରୁ ଡିବିରି ଆଲୁଅରେ ରାତି ବିତାଉଛନ୍ତି ଗ୍ରାମବାସୀ। ସଞ୍ଜ ନଇଁବା କ୍ଷଣି ସମଗ୍ର ଅଞ୍ଚଳରେ ଅନ୍ଧାର ରାଜୁତି କରୁଥିବା ବେଳେ ହିଂସ୍ର ଜନ୍ତୁଙ୍କ ଭୟ କାରଣରୁ ତାଟି କବାଟ ପକାଇ ଘରେ ରହୁଛନ୍ତି ଲୋକ। ୨୦୧୪ରେ ଚିତ୍ରକୋଣ୍ଡାକୁ ସ୍ବତନ୍ତ୍ର ବ୍ଲକ୍‌ ମାନ୍ୟତା ମିଳିଥିଲା। ୧୮ଟି ପଞ୍ଚାୟତକୁ ନେଇ ଗଠିତ ଏହି ବ୍ଲକ୍‌ର ୯ ପଞ୍ଚାୟତକୁ ଘେରି ରହିଛି ବାଲିମେଳା ଜଳଭଣ୍ଡାର। ଅଧିକାଂଶ ପଞ୍ଚାୟତକୁ ସଡ଼କ ପଥରେ ଯାତାୟାତ ପାଇଁ ଆନ୍ଧ୍ର ଉପରେ ନିର୍ଭର କରିବାକୁ ପଡ଼ୁଛି। ଗୁରୁପ୍ରିୟା ସେତୁ ନିର୍ମାଣ ପରେ ବିଚ୍ଛିନ୍ନାଞ୍ଚଳରେ ବିକାଶ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି। କିନ୍ତୁ ବିଦ୍ୟୁତ୍‌ ସେବା ସ୍ବପ୍ନ ପାଲଟିଥିବାରୁ ଦୁର୍ବିସହ ଜୀବନ ବିତାଉଛନ୍ତି ଅଞ୍ଚଳବାସୀ। ଯେନତେନ ପ୍ରକାରେ ଦିନ କଟି ଯାଉଥିବା ବେଳେ ରାତ୍ରି ଭୋଜନରୁ ଆରମ୍ଭ କରି ପିଲାଙ୍କ ପାଠପଢ଼ା ସବୁ କିଛି ପାଇଁ ଭରସା ଡିବିରି ଓ ଜହ୍ନ ଆଲୁଅ। ରିପୋର୍ଟ ମୁତାବକ, ବ୍ଲକର ବଡ଼ପଡ଼ା ପଞ୍ଚାୟତର ରାଙ୍ଗନିଗୁଡ଼ା, ରେଖାପାଲୀ କଲୋନି, ମେଡାଗୁଡ଼ା, ମୁତାଆମ୍ବ, ବଡ଼ପଡ଼ା, ସିରିଲିମେଟା, ବୋଲିଗୁମା, କାରଲାମାଲ, ଗଜେଡ୍‌ ଗାଁରେ  ନାହିଁ ବିଦ୍ୟୁତ୍‌ ସେବା।

Advertisment

୪୭ ଗାଁକୁ ନାହିଁ ବିଦ୍ୟୁତ୍‌ ସେବା, ଡିବିରି ଆଲୁଅରେ ବିତୁଛି ରାତି
ହିଂସ୍ର ଜନ୍ତୁଙ୍କ ଭୟ, ସଞ୍ଜ ନଇଁଲେ ପଡ଼ିଯାଉଛି ତାଟିକବାଟ

ସେହିପରି ପେପରମେଟଲା ପଞ୍ଚାୟତର ଯନ୍ତାପାଇ, ପେପରମେଟଲା, ପଣସପୁଟ ପଞ୍ଚାୟତର ସିନ୍ଧିପୁଟ, ପଣସପୁଟ, ମୁଦିଗୁମା, ମୁକୁଡୁପାଲୀ, ମୁଲାପୁଟ, ଗୋରାସେତୁ, ଜାମଗୁଡ଼ା, ମସୁରିଗୁଡ଼ା, ଜାମଗୁଡ଼ା, ଡୋକାନ, ଦୋରାବାସା, ସିଙ୍ଗୋଇ, ହାଟପଦା, କୁମୁଡ଼ାଗୁଡ଼ା, ଟାଙ୍କୁଗୁଡ଼ା, ସାଲଗାମପୁଟ, ଖମାରିମାଲ, ପେଟାଲ, ରାଙ୍ଗନିଗୁଡ଼ା-୨, ଲାଙ୍ଗିଗୁଡା, ଦୋରାଘାଟ, ମାଝିଗୁଡ଼ା, ଜଲାଗୁଡ଼ା, ସିଲମେଟା, ସଙ୍ଗମଗୁଡ଼ା, ରାଲଗେଡା ପଞ୍ଚାୟତର ଗଜେଡ, ଟେକପଡ଼ା, ଯଡ଼ାମ୍ବ ପଞ୍ଚାୟତର ରାଙ୍ଗନିଗୁଡ଼ା, ଗାଜଲମାମୁଡ଼ି, ସିଙ୍ଗୋଇ, ଆଞ୍ଜାରିଗୁଡ଼ା, ଆମ୍ବପଦର, ପୂଜାରିଗୁଡ଼ା, ପୋଡ଼ାଖାଲ, ଅଣ୍ଡ୍ରାପାଲୀ ପଞ୍ଚାୟତର ସନ୍ୟାସୀଗୁଡ଼ାକୁ ମଧ୍ୟ ବିଦ୍ୟୁତ୍‌ ସେବା ପହଞ୍ଚି ପାରିନି। 

ପ୍ରତି ଗାଁକୁ ବିଦ୍ୟୁତ୍‌ ସେବା ପହଞ୍ଚାଇବା ପାଇଁ ସରକାରଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ପ୍ରଶାସନ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ଏଯାବତ୍‌ ଅନ୍ଧକାରମୁକ୍ତ ହୋଇପାରିନି ବିଚ୍ଛିନ୍ନାଞ୍ଚଳ। ଦୁର୍ଗମ ଅଞ୍ଚଳରେ ସଞ୍ଜ ନଇଁବା ପରେ ହିଂସ୍ର ଜନ୍ତୁଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳୁଥିବାରୁ ସଂଧ୍ୟା ୬ଟା ହେଲେ ଗ୍ରାମବାସୀ ରାତ୍ରି ଭୋଜନ ସାରି ଶୋଇପଡ଼ୁଛନ୍ତି। ପଡ଼ୋଶୀ ଆନ୍ଧ୍ରରୁ କିରାସିନି ଆଣି ଡିବିରି ଜଳାଇ ଘର କାମ କରିଥାନ୍ତି। ଗ୍ରାମବାସୀଙ୍କୁ ସରକାର ବିଗତ ଦିନରେ ମୋବାଇଲ ଫୋନ୍‌ ଯୋଗାଇ ଦେଇଥିଲେ। ଚାର୍ଜିଂ ସୁବିଧା ନଥିବାରୁ ମୋବାଇଲ୍ କୌଣସି କାମରେ ଆସୁନଥିବା ଗ୍ରାମବାସୀ କହିଛନ୍ତି। ଇତି ମଧ୍ୟରେ କିଛି ଗ୍ରାମବାସୀ ନିଜ ମୋବାଇଲ୍‌କୁ ବିକ୍ରି କରିଥିବା ସ୍ବୀକାର କରିଛନ୍ତି। ଇଚ୍ଛା ସତ୍ତ୍ବେ ଗ୍ରାମବାସୀ ଟିଭି ଦେଖିପାରୁ ନାହାନ୍ତି। ଏ ସମ୍ପର୍କରେ ବିଦ୍ୟୁତ୍‌ ବିଭାଗ ନିର୍ବାହୀ ଯନ୍ତ୍ରୀ ଆଶିଷ କୁମାର ଜେନାଙ୍କୁ ପଚାରିବାରୁ ସର୍ଭେ ପ୍ରକ୍ରିୟା ପରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି। ନିର୍ଦ୍ଦେଶ ଆସିଲେ ଗ୍ରାମଗୁଡ଼ିକୁ ବିଦ୍ୟୁତ୍‌ ସଂଯୋଗ ଦିଆଯିବ ବୋଲି କହିଛନ୍ତି।