ଶେଷ ହେଲା ହଳଦିପାଣି ନୀତି, ଆଜିଠାରୁ ମହାପ୍ରଭୁଙ୍କ ଭିତର ଚନ୍ଦନଯାତ୍ରା

ପୁରୀ : କରୋନା କଟକଣା ପାଇଁ ନରେନ୍ଦ୍ର ପୁଷ୍କରିଣୀ ବଦଳରେ ଆଜି ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନଙ୍କ ସହ ଚନ୍ଦନ ଠାକୁରମାନେ ହଳଦି ପାଣି ଖେଳିଛନ୍ତି। ଆଜି ସନ୍ଧ୍ୟାରେ ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମକୃଷ୍ଣ ଓ ପଞ୍ଚମହାଦେବ ମୁକ୍ତିମଣ୍ଡପ ନିକଟ ଜଳକ୍ରୀଡ଼ା ମଣ୍ଡପ ନିକଟକୁ ‌ବିଜେ କରିଥିଲେ। ସେଠାରେ ଚାପ ନୀତି ଶେଷ ପରେ ଠାକୁରମାନଙ୍କ ହଳଦି ପାଣି, ପିଚକାରୀ ଖେଳ ହୋଇଥିଲା। ପରମ୍ପରା ମୁତାବକ, ଏହି ଦିନ ମହାପ୍ରଭୁଙ୍କ ରାତି ଚାପ ଏବଂ ନୌବିହାର ହୁଏ ନାହିଁ। କେବଳ ମହାପ୍ରଭୁ ଚାପ ଛୁଇଁ ଫେରି ଆସିଥାନ୍ତି। ଏହି ପରମ୍ପରା ଅନୁଯାୟୀ ମହାପ୍ରଭୁ ଚାପ ଛୁଇଁ ପୁଣି ଫେରି ଆସିଥିଲେ। ହଳଦି ପାଣି ଖେଳ ପରେ ପରେ ଚନ୍ଦନ ଠାକୁରମାନେ ବି ଫେରି ଆସିଥିଲେ। ଏହା ସହ ବାହାର ଚନ୍ଦନଯାତ୍ରା ଶେଷ ହୋଇଥିଲା ଓ ୨୧ ଦିନିଆ ଭିତର ଚନ୍ଦନଯାତ୍ରା ଆରମ୍ଭ ହୋଇଥିଲା। ଆସନ୍ତାକାଲି ଠାରୁ ଚନ୍ଦନ ଠାକୁରମାନେ ୨୧ ଦିନ ପାଇଁ ଭିତର ଚନ୍ଦନଯାତ୍ରା କରିବେ। ଶ୍ରୀମନ୍ଦିର ଭିତରେ ବେଢ଼ା ପରିକ୍ରମା ସହ ଚନ୍ଦନ କୁଣ୍ଡରେ ସ୍ନାନ କରିବେ। ପ୍ରତୀକାତ୍ମକ ଡଙ୍ଗାରେ ଚାପ ଖେଳିବେ।

ସମ୍ବନ୍ଧିତ ଖବର