ଭିତରକନିକାରେ କମିଲେ ଦେଶୀୟ ପକ୍ଷୀ : ଲକ୍ଷ୍ମୀପ୍ରସାଦଡିଆରେ ୮୬୫୩୫, ମଠଆଡିଆରେ ୨୦୭୯

ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇଛି। ଗତବର୍ଷ ଭିତରକନିକାରେ ୯୧ ହଜାର ୨୨୪ଟି ପକ୍ଷୀଙ୍କ ସମାଗମ ହୋଇଥିବାବେଳେ ଏ ବର୍ଷ ଏମାନଙ୍କ ସଂଖ୍ୟା ୮୮,୬୧୪କୁ ଖସି ଆସିଛି। ଅର୍ଥାତ ଗତବର୍ଷ ଠାରୁ ଏ ବର୍ଷ ଭିତରକନିକାକୁ ୨୬୧୦ ପକ୍ଷୀ କମ୍ ଆସିଛନ୍ତି।

ପୂର୍ବରୁ କେବଳ ବଗଗହନରେ ଦେଶୀୟ ପକ୍ଷୀଙ୍କ ଭିଡ ଜମୁଥିଲା। ଗତ ୪/୫ ବର୍ଷ ହେଲା ବଗଗହନ ସମେତ ମଠ ଆଡିଆରେ ଏହି ଦେଶୀୟ ପକ୍ଷୀମାନଙ୍କର ସମାଗମ ହେଉଥିଲା। କିନ୍ତୁ ଏ ବର୍ଷ ଦେଶୀୟ ପକ୍ଷୀଙ୍କ ଠିକଣା ବଦଳିଛି। ମଠଆଡିଆରେ ୪୬୨ଟି ବସାରେ ୯୨୪ଟି ବଡପକ୍ଷୀ ଓ ୧୧୫୫ଟି ପକ୍ଷୀ ଶାବକ ଭିଡ ଜମାଇଥିବା ବେଳେ ନୂତନ ଠିକଣା ଲକ୍ଷ୍ମୀପ୍ରସାଦଡିଆରେ ୧୮,୮୩୪ଟି ବସାରେ ୩୭,୬୬୮ ବଡପକ୍ଷୀ ଓ ୪୮,୮୬୭ ପକ୍ଷୀ ଶାବକ ଭିଡ ଜମାଇଛନ୍ତି। ଗଣନା ବେଳେ ଦୁଇଟି ସ୍ଥାନରେ ୧୯,୨୯୬ଟି ବସାରେ ୩୮,୫୯୨ ବଡପକ୍ଷୀ ଓ ୫୦,୦୨୨ପକ୍ଷୀ ଶାବକଙ୍କୁ ଦେଖିବାକୁ ମିଳିଛି।

ଏ ବର୍ଷ ଅଗଷ୍ଟରେ ଗଣନା ପାଇଁ ଟିମ ଗଠନ କରାଯାଇଥିଲା। ମାତ୍ର ଗଣନା ପାଇଁ ଟିମ୍‌ ପହଞ୍ଚିବା ବେଳେ ମଠଆଡିଆରେ ପକ୍ଷୀମାନେ କାଠିକୁଟା ଧରି ଉଡୁଥିବା ଦେଖିବାକୁ ମିଳିଥିଲା। ଏଥିପାଇଁ ଗଣନାକୁ ଘୁଞ୍ଚାଇ ଦିଆଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ ଲକ୍ଷ୍ମୀପ୍ରସାଦଡିଆରେ ଦେଶୀୟପକ୍ଷୀ ଭିଡ ଜମାଇଥିବା ଘଟଣା ସାମ୍ନାକୁ ଆସିଥିଲା। ଚଳିତ ବର୍ଷ ସେପ୍ଟେମ୍ବର ୧୮ରୁ ୨୪ ତାରିଖ ପର୍ଯ୍ୟନ୍ତ ଦେଶୀୟ ପକ୍ଷୀମାନଙ୍କ ଗଣନା କରାଯାଇଥିଲା। କନିକା ଅତିରିକ୍ତ ବନସଂରକ୍ଷକ ସୁବ୍ରତ ପାତ୍ର ଓ ଫରେଷ୍ଟର ବିଜୟ କୁମାର ପାତ୍ରଙ୍କ ନେତୃତ୍ବରେ ୩ଟି ଟିମରେ ୧୫ଜଣ ବନକର୍ମଚାରୀ ଏହି ଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର