ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ ବସବାସ କରୁଥିବା ବଉଳା କୁମ୍ଭୀର ମାନଙ୍କର ପାଖେଇ ଆସୁଛି ପ୍ରଜନନ ଋତୁ। ଏହାକୁ ଦୃଷ୍ଟିରେ ରଖି ରାଜନଗର ବନବିଭାଗ ପକ୍ଷରୁ ମେ ୧ ତାରିଖ ଠାରୁ ଜୁଲାଇ ୩୧ ଦୀର୍ଘ ୩ମାସ ଧରି ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ। ଏହି ସମୟ ଭିତରେ ଦେଶ ବିଦେଶର ପର୍ଯ୍ୟଟକମାନଙ୍କୁ ଭିତରକନିକା ପରିଭ୍ରମଣ ଓ ପ୍ରବେଶକୁ ବନ୍ଦ ରଖାଯିବ।

Advertisment

ବଉଳା କୁମ୍ଭୀର ମାନଙ୍କ ପ୍ରଜନନ ଋତୁ ସମୟରେ ଉଭୟ ପୁରୁଷ ଓ ମା କୁମ୍ଭୀର ମିଳନ ପର୍ବରେ ନିମଗ୍ନ ରହିଥାନ୍ତି। ଏହି ସମୟ ଭିତରେ ମା କୁମ୍ଭୀର ଅଣ୍ତା ଦାନ ପ୍ରକ୍ରିୟା ଶେଷ କରିଥାନ୍ତି। ଉଭୟ ମା ଓ ପୁରୁଷ କୁମ୍ଭୀର ହେନ୍ତାଳ ଆଉ ଖରଖରି ପତ୍ରରେ ଅଢେଇରୁ ୩ ଫୁଟ ଉଚ୍ଚର ବସା ବାନ୍ଧିଥାନ୍ତି। ନଦୀ କୂଳ ଠାରୁ ଜୁଆର ଛୁଇଁ ପାରୁନଥିବା ନିରାପଦ ସ୍ଥାନରେ ବସା ବାନ୍ଧିଥାନ୍ତି। ଏହି ବସାରେ ମା କୁମ୍ଭୀର ଅଣ୍ତାଦାନ କରିଥାନ୍ତି। ଏହି ସମୟରେ ସେମାନଙ୍କର ପ୍ରଜନନ ପକ୍ରିୟା ଠାରୁ ଆରମ୍ଭ କରି ଅଣ୍ତାଦାନ ପର୍ଯ୍ୟନ୍ତ କୁମ୍ଭୀର ହିଂସ୍ର ହୋଇଥାନ୍ତି। ସେମାନଙ୍କ ପ୍ରକ୍ରିୟାରେ ବାଧା ଦେଖାଦେଲେ ସେମାନେ ଆକ୍ରମଣ କରିବାକୁ ପଛାଇ ନଥାନ୍ତି। ଏହାକୁ ଦୃଷ୍ଟିରେ ରଖି ୩ମାସ ପର୍ଯ୍ୟନ୍ତ ଜାତୀୟ ଉଦ୍ୟାନରେ ପ୍ରବେଶ ଓ ପରିଭ୍ରମଣ ପାଇଁ ପର୍ଯ୍ୟଟକଙ୍କୁ ବନ୍ଦ ରଖାଯିବ ବୋଲି ରାଜନଗର ଡିଏଫଓ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି।