ରାଜନଗର: ପର୍ଯ୍ୟଟକଙ୍କ ପାଇଁ ଆସନ୍ତାକାଲିଠାରୁ ଖୋଲିବ ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ପାଇଁ ପ୍ରତିବର୍ଷ ମେ’ ୧ ରୁ ଜୁଲାଇ ୩୧ ତାରିଖ ୩ ମାସ ଧରି ଭିତରକନିକା ବନ୍ଦ ରହିଥାଏ। ଏହି ସମୟରେ ପର୍ଯ୍ୟଟକଙ୍କର ଭିତରକନିକାରେ ପ୍ରବେଶ ଉପରେ କଟକଣା ଥାଏ। ଭିତରକନିକା ଖୋଲିବା ପାଇଁ ବନବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପର୍ଯ୍ୟଟକମାନେ ଭିତରକନିକା ମଧ୍ୟକୁ ପ୍ରବେଶ କରିବାକୁ ହେଲେ ପରିଚୟପତ୍ରକୁ ବାଧ୍ୟତାମୂଳକ କରାଯାଇଛି।

Advertisment

ପର୍ଯ୍ୟଟକମାନେ ଗୁପ୍ତି, ଚାନ୍ଦବାଲି, ଖୋଳା ଓ ଡାଙ୍ଗମାଳ ଭଳି ୪ଟି ପ୍ରବେଶପଥ ଦେଇ ଭିତରକନିକା ମଧ୍ୟକୁ ପ୍ରବେଶ କରିପାରିବେ। ଭିତରକନିକାରେ ପର୍ଯ୍ୟଟକମାନେ ଜଳପଥରେ ବଉଳା କୁମ୍ଭୀର, ଦେଶୀ ଓ ବିଦେଶୀ ପକ୍ଷୀ, ହରିଣ, ବାରହା, ସମ୍ବର, ଝିଙ୍କ ଆଦି ନାନା ପଶୁ ପକ୍ଷୀ ଓ ମ୍ୟୁଜିୟମ ଦେଖିବା ସହ ବନବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ପ୍ରଥମ ସ୍କାଏ ୱାକ ବ୍ରିଜ, ୱାଚ ଟାୱାର, ସେଲଫି ପଏଣ୍ଟ, ମ୍ୟାନଗ୍ରୁଭ ମେଟା ନର୍ସରୀ, ବୋଟ ଲାଇବ୍ରେରୀ, ସହିଦ ସ୍ତମ୍ଭ, କୁମ୍ଭୀର ପ୍ରଜନନ କେନ୍ଦ୍ର ଆଦି ଦେଖିପାରିବେ। ଯନ୍ତ୍ରଚାଳିତ ବୋଟ ସହ ବନବିଭାଗ ତରଫରୁ ଡାଙ୍ଗମାଳ ଓ ଗୁପ୍ତି ଠାରେ ରହିଥିବା ଫାଇବର ବୋଟରେ ମଧ୍ୟ ପର୍ଯ୍ୟଟକମାନେ ଭିତରକନିକାର ଶୋଭା ଉପଭୋଗ କରିପାରିବେ। ଚଳିତବର୍ଷ ଭିତରକନିକାକୁ ସମ୍ପୂର୍ଣ୍ଣ ଭାବେ ପଲିଥିନମୁକ୍ତ କରାଯାଇଛି।