ଭିତରକନିକାରେ ନିଆରା ଦୃଶ୍ୟ : ଠିକଣା ବଦଳାଇଲେ ଦେଶୀୟ ପକ୍ଷୀ

ରାଜନଗର : ଭିତରକନିକାରେ ଦେଶୀୟ ପକ୍ଷୀ ବାରମ୍ବାର ଠିକଣା ବଦଳାଉଛନ୍ତି। ପକ୍ଷୀବିହାର ରୂପେ ପରିଚିତ ବଗଗହନକୁ ଛାଡ଼ି ସେମାନେ ୪/୫ବର୍ଷ ହେଲା ମଠଆଡିଆରେ ବସା ବାନ୍ଧୁଥିଲେ। ମାତ୍ର ଏ ବର୍ଷ ସେମାନେ ପୁଣି ଠିକଣା ବଦଳାଇଛନ୍ତି। ବ୍ରାହ୍ମଣୀ ନଦୀ ମଧ୍ୟରେ ଥିବା ଲକ୍ଷ୍ମୀପ୍ରସାଦଡିଆରେ ୧୦ହଜାରରୁ ଅଧିକ ଦେଶୀୟ ପକ୍ଷୀ ବସା ବାନ୍ଧି ଅଣ୍ତା ଦେଇଛନ୍ତି।

ବିଶ୍ବପ୍ରସିଦ୍ଧ ଭିତରକନିକାରେ ବର୍ଷା ଋତୁରେ ବିଭିନ୍ନ ସ୍ଥାନରୁ ଦେଶୀୟ ପକ୍ଷୀମାନେ ଆସି ଭିଡ଼ ଜମାଇଥା’ନ୍ତି। ପ୍ରତିବର୍ଷ ଲକ୍ଷାଧିକ ଦେଶୀୟପକ୍ଷୀଙ୍କ କାକଳିରେ ଭିତରକନିକା ଫାଟିପଡ଼େ। ଦୀର୍ଘ ୨୦/୨୫ ବର୍ଷ ଧରି ଭିତରକନିକାର ବଗଗହନରେ ଦେଶୀୟ ପକ୍ଷୀମାନେ ଭିଡ଼ ଜମାଇବା ସହିତ ବସା ବାନ୍ଧିଥା’ନ୍ତି। ମାତ୍ର, ୪/୫ବର୍ଷ ହେଲା ଦେଶୀୟ ପକ୍ଷୀମାନେ ବଗଗହନ ବଦଳରେ ସେଠାରୁ ୩ କିମି ଦୂର ମଠଆଡିଆରେ ଭିଡ଼ ଜମାଇଆସୁଥିଲେ। ମାତ୍ର, ଏ ବର୍ଷ ମଠଆଡିଆରେ ମାତ୍ର ୩/୪ ହଜାର ଦେଶୀୟ ପକ୍ଷୀ ବସାବାନ୍ଧି ଅଣ୍ତା ଦେଇଛନ୍ତି। ବଗଗହନରେ ଆଦୌ ପକ୍ଷୀ ବସା ବାନ୍ଧି ନଥିବାବେଳେ ଦେଶୀୟ ପକ୍ଷୀ କୁଆଡ଼େ ଗଲେ ସେ ନେଇ ବନବିଭାଗ ସନ୍ଦିହାନରେ ଥିଲା। ତେବେ, ପକ୍ଷୀଗଣନା ପାଇଁ ନିୟୋଜିତ ଟିମ୍‌ ବ୍ରାହ୍ମଣୀ ନଦୀ ମଧ୍ୟରେ ଥିବା ଲକ୍ଷ୍ମୀପ୍ରସାଦଡିଆରେ ସେମାନଙ୍କୁ ଠାବ କରିଥିଲେ।

ମିଳିଥିବା ସୂଚନା ଅନୁସାରେ, ଗତମାସ ୨୩ରୁ ୨୯ ତାରିଖ ଯାଏଁ ଦେଶୀୟ ପକ୍ଷୀଙ୍କ ଗଣନା ପାଇଁ ସ୍ଥିର ହୋଇଥିଲା। ଏଥିପାଇଁ ୨ଟି ଟିମ୍‌ ଗଠନ ହୋଇଥିଲା। ଏହି ଟିମ୍‌ ୨୩ ତାରିଖରେ ମଠଆଡ଼ିଆରେ ପହଞ୍ଚିବା ପରେ ହଜାରହଜାର ସଂଖ୍ୟାର ପକ୍ଷୀ କାଠି କୁଟା ନେଇ ଉଡୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ସେଠାରେ ଥିବା ରୁଅ ଓ ବନି ଗଛରେ ୧୦ହଜାରରୁ ଅଧିକ ପକ୍ଷୀ ବସା ବାନ୍ଧି ଅଣ୍ତା ଦେଇଥିଲେ। ଏମାନଙ୍କ ମଧ୍ୟରେ ଅଧିକ ସଂଖ୍ୟକ ଗେଣ୍ତାଳିଆ ଓ ବଗ ଥିବା ବନବିଭାଗ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର