ରାଜନଗର: ଭିତରକନିକାରେ ଏବେ ଚାଲିଛି କୁମ୍ଭୀର ଗଣନା। କୁମ୍ଭୀର ଗଣନା ପାଇଁ ସ୍ଥିର ଜଳରାଶି ଓ ଶାନ୍ତ ପରିବେଶର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ଚଳିତମାସ ୧୪ରୁ ୨୨ ତାରିଖ ଯାଏଁ ୯ଦିନ ଧରି ଭିତରକନିକାକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି। ବନ ବିଭାଗ ପକ୍ଷରୁ ଏ ନେଇ ଖବରକାଗଜରେ ବିଜ୍ଞାପନ ମାଧ୍ୟମରେ ନୋଟିସ୍‌ ମଧ୍ୟ ପ୍ରକାଶ କରାଯାଇଛି। ଏହା ଜାଣି ନ ପାରି ଭିତରକନିକା ବୁଲି ଆସୁଥିବା ସାଧାରଣ ପର୍ଯ୍ୟଟକଙ୍କୁ ଭିତରକୁ ଛଡ଼ା ଯାଉନାହିଁ। ହେଲେ, ବଡ଼ବଡ଼ିଆ ପର୍ଯ୍ୟଟକଙ୍କ ପାଇଁ ଭିତରକନିକାରେ ସାହାଣ ମେଲା କରି ଦିଆଯାଇଥିବା ଅଭିଯୋଗ ହୋଇଛି। ସମ୍ପ୍ରତି ଭିତରକନିକା ପେଣ୍ଠରେ ଇକୋ ରିଟ୍ରିଟ୍‌ ଚାଲିଛି। ଇକୋ ରିଟ୍ରିଟ୍‌କୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଭିତରକନିକା ବୁଲିବାକୁ ଅନୁମତି ଦିଆଯାଉଛି। ଇକୋ ରିଟ୍ରିଟ୍‌ର ବଡ଼ବଡ଼ିଆ ପର୍ଯ୍ୟଟକମାନେ ସ୍ଥଳପଥ ଓ ଜଳପଥରେ ଭିତରକନିକାର ଶୋଭା ଉପଭୋଗ କରୁଛନ୍ତି।

Advertisment

ଆଜି ମଧ୍ୟ ପେଣ୍ଠରୁ ଇକୋ ରିଟ୍ରିଟ୍‌ର ପର୍ଯ୍ୟଟକମାନେ ସ୍ଥଳପଥ ଦେଇ ଗୁପ୍ତିରେ ପହଞ୍ଚି ସେଠାରୁ ଜଳପଥରେ ଭିତରକନିକା ବୁଲିଥିବା ଦେଖିବାକୁ ମିଳିଛି। ଗତ ୧୪ ତାରିଖରୁ ଭିତରକନିକା ବନ୍ଦ ରହିଥିଲା ବେଳେ ୧୯ ତାରିଖରୁ କୁମ୍ଭୀର ଗଣନା ପକ୍ରିୟା ଜାରି ରହିଛି। ଏହା ୨୧ ତାରିଖ ଯାଏଁ ଚାଲିବ। ବୋଟ୍‌ ଚାଲିଲେ ଖରା ପୋଉଁଥିବା କୁମ୍ଭୀରମାନେ ପାଣିକୁ ଚାଲିଯିବେ ଏବଂ ଗଣନା ଠିକ୍‌ ଭାବେ ନ ହେବାର ସମ୍ଭାବନା ରହିଛି। କୁମ୍ଭୀର ଗଣନା ପାଇଁ ମୁଖ୍ୟତଃ ହୁଲି ଡଙ୍ଗାର ବ୍ୟବହାର କରାଯାଉଛି। ଏଭଳି ସ୍ଥିତିରେ ଗଣନା ପ୍ରକ୍ରିୟାକୁ ପ୍ରଭାବିତ କରୁଥିବା ପର୍ଯ୍ୟଟକଙ୍କ ବୋଟ୍‌ ଚାଲିବାକୁ କିପରି ଅନୁମତି ଦିଆଗଲା, ତାହାକୁ ନେଇ ପ୍ରଶ୍ନ ଉଠିଛି। ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ ରହିଥିଲା ବେଳେ ବଡ଼ବଡ଼ିଆଙ୍କ ପାଇଁ କ’ଣ ଅଲଗା ନିୟମ ରହିଛି କି ବୋଲି ସାଧାରଣରେ ପ୍ରଶ୍ନ କରାଯାଇଛି।