ରାଜନଗର: ବିରଳ ବଉଳା କୁମ୍ଭୀରଙ୍କ ଏନ୍ତୁଡିଶାଳ ଭିତରକନିକାରେ କୁମ୍ଭୀର ଗଣନା କରାଯିବ । ଭିତରକନିକା ଜାତୀୟ ଉଦ୍ୟାନ ଓ ଜାତୀୟଉଦ୍ୟାନ ବାହାରେ ଥିବା ନଦୀ ନାଳ ଗୁଡିକରେ କୁମ୍ଭୀରମାନଙ୍କର ଗଣନା କରାଯିବ । କୁମ୍ଭୀର ଗଣନା ସମୟରେ ଭିତରକନିକା ଜାତୀୟ ଉଦ୍ୟାନ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ଜାନୁୟାରୀ ୪ ତାରିଖରୁ ୧୪ ତାରିଖ ଯାଏଁ ୧୦ ଦିନ ଧରି କୁମ୍ଭୀରମାନଙ୍କର ଗଣନା କରାଯିବ । ୧୦ଦିନ ଧରି ଭିତରକନିକା ଦେଶବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ଜାନୁୟାରୀ ୧୫ରେ ଭିତରକନିକା ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଖୋଲିବ । ଭିତରକନିକାରେ ଜାନୁୟାରୀ ୨୦୨୨ରେ ହୋଇଥିବା ଗଣନା ଅନୁସାରେ ୧୭୮୪ ବଉଳା କୁମ୍ଭୀର ଅଛନ୍ତି ।

Advertisment

ଏଠାରେ ସୂଚନାଯୋଗ୍ୟ ଯେ, ୧୯୭୦ ମସିହା ମଧ୍ୟଭାଗ୍ୟରେ କରାଯାଇଥିବା ଏକ ସର୍ଭେରେ ଭାରତବର୍ଷରେ କୁମ୍ଭୀର ମାନଙ୍କ ସଂଖ୍ୟା ନଗଣ୍ୟ ବୋଲି ଜଣାପଡିଥିଲା । ଏହାପରେ କୁମ୍ଭୀରମାନଙ୍କର ବଂଶ ବୃଦ୍ଧି ଓ ବାସସ୍ଥଳୀର ସ୍ଥିତି ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ମିଳିତ ଜାତିସଂଘର କୃଷି ଓ ଖାଦ୍ୟ ସଂସ୍ଥାର ସହାୟତାରେ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା ।

ଏହି ଯୋଜନା ଅନୁଯାୟୀ ଅନ୍ତର୍ଜାତୀୟଖ୍ୟାତି ସମ୍ପନ୍ନ ସାମୁଦ୍ରିକ ପ୍ରାଣୀ ବିଶେଷଜ୍ଞ ଡଃ. ଏଚ୍.ଆର୍. ବଷ୍ଟାର୍ଡ ଓଡିଶା ସମୁଦ୍ର ଉପକୂଳ ପରିଦର୍ଶନ କରି ଭିତରକନିକା କୁମ୍ଭୀର ବଂଶବୃଦ୍ଧି ପାଇଁ ଅନୁକୂଳ ପରିବେଶ ବୋଲି ଚିହ୍ନଟ କରିଥିଲେ । ୧୯୭୫ ମସିହାରେ ୧୧୫ ବର୍ଗ କିଲୋମିଟର ଅଂଚଳରେ ୫୦ ଲକ୍ଷ ବ୍ୟୟରେ ଦେଶର ପ୍ରଥମ ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ର ଗଢି ଉଠିଥିଲା । ପ୍ରଥମେ ୩୪ଟି ପରିପକ୍ୱ କୁମ୍ଭୀରଙ୍କ ସହିତ ୯୬ ଟି କୁମ୍ଭୀରଙ୍କୁ ନେଇ ଏହି ଯୋଜନା ଆରମ୍ଭ ହୋଇଥିଲା । ବର୍ତ୍ତମାନ ଏହି ସଂଖ୍ୟା ୧୭୮୪ରେ ପହଁଚିଛି ।