କେନ୍ଦ୍ରାପଡା/ରାଜନଗର : ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମୁଦ୍ର ପତ୍ତନ ବୃଦ୍ଧି ପାଇବ। ସାରା ଉପକୂଳ ଅଂଚଳରେ ସମୁଦ୍ରସ୍ତର ବୃଦ୍ଧି ପାଇବା ସହ ପାରାଦୀପ ୩ ଫୁଟ ପର୍ଯ୍ୟନ୍ତ ପାଣିରେ ବୁଡ଼ିଯିବ ବୋଲି ଜାତିସଂଘର ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଅନ୍ତଃସରକାରୀ କମିଟିର ରିପୋର୍ଟକୁ ଆଧାର କରି ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ସତର୍କବାଣୀ ଶୁଣାଇଛି। ଜଳବାୟୁ ପରିବର୍ତ୍ତନକୁ ରୋକାଯିବା ପାଇଁ ପଦକ୍ଷେପ ନେବାକୁ ନାସା ଆହ୍ବାନ ଦେଇଛି। ମାତ୍ର ବାତ୍ୟା, ବନ୍ୟା, ସୁନାମୀ ପ୍ରାଦ୍ରୁର୍ଭାବରୁ ଉପକୂଳକୁ ସୁରକ୍ଷା ଯୋଗାଉଥିବା ହେନ୍ତାଳବଣ ବା ଲୁଣାଜଙ୍ଗଲ ବିପଦରେ ରହିଛି। ଓଡ଼ିଶାର ୮୬ ପ୍ରତିଶତ ଲୁଣା ଜଙ୍ଗଲ ଥିବା ଭିତରକନିକାର ହେନ୍ତାଳବଣ ପ୍ରତି ବିପଦ ସୃଷ୍ଟି ହୋଇଛି। ଜଙ୍ଗଲ ମଧ୍ୟକୁ ମଧୁରଜଳ ପରିମାଣ ହ୍ରାସ ପାଇବା ଯୋଗୁଁ ଏପରି ସ୍ଥିତି ସୃଷ୍ଟି ହୋଇଛି। ଭିତରକନିକା ଜାତୀୟ ଉଦ୍ୟାନ ଅଂଚଳରେ ଜଳ ଭୂବୈଜ୍ଞାନିକ (ଜଳ ପରିସଂସ୍ଥାନୀୟ) ସର୍ଭେ କରାଯାଇ ପଦକ୍ଷେପ ନିଆ ନ ଗଲେ ହେନ୍ତାଳବଣ ପ୍ରତି ବିପଦ ଘନେଇ ଆସିବ ବୋଲି ପରିବେଶବିତ୍ମାନେ ଚିନ୍ତାବ୍ୟକ୍ତ କରିଛନ୍ତି।
/sambad/media/post_attachments/wp-content/uploads/2021/09/vv.jpg)
ଭାରତ ସରକାରଙ୍କ ବନ ସର୍ବେକ୍ଷଣ ସଂସ୍ଥା-୨୦୧୩ର ରିପୋର୍ଟ ଅନୁସାରେ ଦେଶରେ ୪୬୨୮ ବର୍ଗକିମି ଲୁଣା ଜଙ୍ଗଲ ରହିଛି। ଓଡ଼ିଶାରେ ମାତ୍ର ୨୧୩ ବର୍ଗ କିମି ଲୁଣା ଜଙ୍ଗଲ ରହିଛି। ସେଥିମଧ୍ୟରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଅର୍ଥାତ ଭିତରକନକାରେ ୧୮୩ ବର୍ଗ କିମି ଲୁଣା ଜଙ୍ଗଲ ରହିଛି। ରାଜ୍ୟର ପ୍ରାୟ ୮୬ ପ୍ରତିଶତ ଲୁଣା ଜଙ୍ଗଲ କେନ୍ଦ୍ରାପଡ଼ାରେ ରହିଛି। ଭିତରକନିକା ଜାତୀୟ ଉଦ୍ୟାନର ମାନ୍ୟତା ପାଇବାପରେ ଲୁଣାଜଙ୍ଗଲ ସୁରକ୍ଷିତ ହୋଇପାରିଛି। ମାତ୍ର ମଧୁରଜଳ ସ୍ରୋତ ଭିତରକନିକାକୁ ନିୟମିତ ଭାବେ ହ୍ରାସ ପାଉଥିବାରୁ ଲୁଣା ଜଙ୍ଗଲ ପ୍ରତି ବିପଦ ସୃଷ୍ଟି ହୋଇଛି। ହେନ୍ତାଳବଣ ବା ଲୁଣାଜଙ୍ଗଲ ସୃଷ୍ଟି ପାଇଁ ଏକ ନିର୍ଦ୍ଦିଷ୍ଟ ପରିମାଣର ମଧୁର ଓ ଲୁଣି ଜଳ ଆବଶ୍ୟକ। ନଦୀମାନଙ୍କରେ ପ୍ରବାହିତ ମିଠା ପାଣି ଓ ସମୁଦ୍ରରୁ ପ୍ରତିଦିନ ଜୁଆରରେ ଆସୁଥିବା ଲୁଣି ପାଣିର ମିଶ୍ରଣ ଯୋଗୁଁ ଲୁଣାଜଙ୍ଗଲ ବଂଚି ରହିଥାଏ। ବ୍ରାହ୍ମଣୀ, ବୈତରଣୀ ଓ ଖରସ୍ରୋତା ନଦୀର ମିଠାଜଳ ଭିତରକନିକାରେ ପ୍ରବାହିତ ହୋଇଥାଏ। ଏହି ୩ଟି ନଦୀର ମଧୁରଜଳ ସ୍ରୋତ କମିବାରେ ଲାଗିଛି।
/sambad/media/post_attachments/wp-content/uploads/2021/09/punacha-pruthiv.jpg)
ଗତ ୧୬ ଅକ୍ଟୋବର ୨୦୨୦ରେ ରାଜନଗର ବନବିଭାଗ, ଚିଲିକା ଉନ୍ନୟନ କର୍ତୃପକ୍ଷ ଓ ଦିଲ୍ଲୀସ୍ଥିତ ଜିଇଜେଡ୍ ସଂସ୍ଥାର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ କର୍ମଶାଳାର ତଥ୍ୟ ଅନୁଯାୟୀ, ଭିତରକନିକା ଜାତୀୟ ଉଦ୍ୟାନକୁ ୭୦ ପ୍ରତିଶତ ମଧୁରଜଳ ପ୍ରବାହିତ ହେଉଥିଲା। ତାହା ଏବେ ବର୍ଷା ଦିନେ ୪୦ ପ୍ରତିଶତକୁ ଖସି ଆସିଥିବା ବେଳେ ଖରାଦିନେ ଏହା ୧୫ ପ୍ରତିଶତ ମଧ୍ୟରେ ରହୁଛି। ଯାହା କି ଲୁଣା ଜଙ୍ଗଲ ପାଇଁ ଭୟଙ୍କର ବିପଦକୁ ଡାକିଆଣୁଛି। ମନ୍ଥର ପଦ୍ଧତି ପ୍ରକ୍ରିୟାରେ ଲୁଣାଜଙ୍ଗଲର ଗଛଗୁଡ଼ିକ ପ୍ରଭାବିତ ହୋଇଥାଏ। ଯଦି ଏବେଠୁ ଏ ନେଇ ପଦକ୍ଷେପ ନିଆ ନ ଯିବ, ଆଉ କିଛିଦିନ ପରେ ଭିତରକନିକାର କିଛି ପ୍ରଜାତିର ଲୁଣା ଗଛ ଲୋପ ପାଇଯିବ ବା ସଂଖ୍ୟା ହ୍ରାସ ପାଇବ ବୋଲି ଆଶଙ୍କା ପ୍ରକାଶ କରାଯାଇଥିଲା। ଭିତରକନିକାର ଲୁଣାଜଙ୍ଗଲକୁ ବଂଚାଇ ରଖିବା ପାଇଁ ଜଳ ଭୂବୈଜ୍ଞାନିକ ସର୍ଭେ କରାଯିବା ନିହାତି ଜରୁରୀ।
ଚିଲିକାରେ ଏହି ସର୍ଭେ କରାଯାଇ ପଦକ୍ଷେପ ନିଆଯାଇଛି। ଓଡ଼ିଶାର ପ୍ରାୟ ୮୬ ପ୍ରତିଶତ ଲୁଣାଜଙ୍ଗଲ ଭିତରକନିକାରେ ଥିବା ବେଳେ ଆଜିଯାଏ ଭିତରକନିକାରେ ଏହି ସର୍ଭେ କରା ଯାଇନାହିଁ। ହେନ୍ତାଳବଣ ଲୁଣାଢେଉ ଓ ପ୍ରାକୃତିକ ଦୁର୍ବିପାକରୁ ଅଂଚଳର ଧନଜୀବନକୁ ରକ୍ଷା କରିବାରେ ସୁରକ୍ଷା ବଳୟ ସୃଷ୍ଟି କରିଥାଏ। ‘ୟାସ୍’ ବାତ୍ୟା ତାହାର ସଦ୍ୟତମ ଉଦାହରଣ। ଜୈବ ବିବିଧତାର ସଂରକ୍ଷଣ ଓ ଲୁଣା ଜଙ୍ଗଲର ସୁରକ୍ଷା ପାଇଁ ଭିତରକନିକାରେ ଜଳ ଭୂବୈଜ୍ଞାନିକ ସର୍ଭେ କରାଯାଇ ଭିତରକନିକାକୁ ମଧୁରଜଳ ସ୍ରୋତ ବଢାଇବା ପାଇଁ ପଦକ୍ଷେପ ନେବା ନିହାତି ଜରୁରୀ ବୋଲି ପରିବେଶବିତ୍ମାନେ ମତ ପ୍ରକାଶ କରିଛନ୍ତି।
(ଏହି ଆଲେଖ୍ୟଟି ‘ସମ୍ବାଦ ଡିଜିଟାଲ୍’ର ପରିବେଶ ସଚେତନତା ଅଭିଯାନ ‘ପୁନଶ୍ଚ ପୃଥିବୀ-ୱାନ୍ ଆର୍ଥ, ୟୁନାଇଟ୍ ଫର୍ ଇଟ୍’ର ଅଂଶବିଶେଷ)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Bhitarkanika-is-in-Dangour_Punascha-Pruthibi_Thumbnail.jpg)