ପୁରୀ : କଥାରେ ଅଛି ‘ଭୋଗେଇରେ ଭୋଗ ସୁନ୍ଦର’। ତାଳପତ୍ରରେ ପ୍ରସ୍ତୁତ ଭୋଗେଇର ସ୍ଥାନ ଶ୍ରୀମନ୍ଦିରରେ ସ୍ବତନ୍ତ୍ର। ମହାପ୍ରସାଦ ପ୍ରସ୍ତୁତି ବେଳେ ଚାଉଳ ଧୁଆ ହେଉ, ଅବା ଭୋଗକୁ ଯତ୍ନ ସହକାରେ ବାନ୍ଧି ବାହାରକୁ ପଠାଇବା ପାଇଁ ଭୋଗେଇର ଢେର ଚାହିଦା ରହିଛି। ଅଥଚ ଭୋଗେଇ ପାଇଁ ଆବଶ୍ୟକ ତାଳପତ୍ରର ଘୋର ଅଭାବ ଦେଖାଦେଲାଣି। ଅତୀତରେ ତାଳବଣିଆ ଥିଲା ତାଳପତ୍ର କାରିଗରଙ୍କ କଞ୍ଚାମାଲର ଖଣି। ମାତ୍ର ଏବେ ତାଳପତ୍ର ପାଇଁ ବ୍ରହ୍ମଗିରି ଉପରେ ନିର୍ଭର କରୁଛନ୍ତି ଭୋଗେଇ କାରିଗର। ତେବେ ସେଠାରେ ବି ତାଳପତ୍ରର ସଂକଟ ଦେଖିବାକୁ ମିଳିଲାଣି। ଏଣେ ଚାହିଦା ଅଧିକ ଓ ତାଳପତ୍ର କମ୍ ଉପଲବ୍ଧ ଥିବାରୁ ବେପାରୀମାନେ ୧୦୦ ତାଳପତ୍ର (ବଡ଼ ପତ୍ର) ବରଡ଼ାକୁ ୮୦୦ ଟଙ୍କା ନେଉଛନ୍ତି। ଏଣେ ତାଳପତ୍ରର ମୂଲ୍ୟ ବୃଦ୍ଧି ହେଉଥିବାରୁ ଭଲ ମଜୁରି ମିଳୁନାହିଁ। ତେଣୁ ଏହି ବୃତ୍ତିରେ ଥିବା ବହୁ କାରିଗର ଭୋଗେଇ ତିଆରିରୁ ମୁହଁ ଫେରାଇ ମୂଲ ଲାଗିଲେଣି। ହେଲେ ତାଳପତ୍ର ଭୋଗେଇ କାରିଗରୀକୁ ବଞ୍ଚାଇବା ଲାଗି ପ୍ରଶାସନ ତରଫରୁ ନା ପ୍ରୋତ୍ସାହନ ମିଳୁଛି ନା ଏନେଇ ଆନ୍ତରିକତା ପ୍ରକାଶ ପାଇଛି।
ପୁରୀର ଚମାରସାହି ସମେତ, ସାକ୍ଷୀଗୋପାଳ, ନହଳା, କାଞ୍ଜିଆ, ଗବକୁଣ୍ଡ, ଡେଲାଙ୍ଗ ପାଟପୁର, ପିପିଲି ନହଙ୍ଗା, ଶିରୁଳି ମହାବୀର ବିଧାରପୁର, ପାଟଳ, ନରସିଂହପୁର, ବଳଙ୍ଗାର ରୂପଦେଇପୁର, ଡେରିକି, ଚନ୍ଦ୍ରାଦେଇପୁର, ବ୍ରହ୍ମଗିରି, କୁଶୁପୁର, କପିଳେଶ୍ବରପୁର ଆଦିରେ ପ୍ରାୟ ୫ଶହରୁ ଅଧିକ ପରିବାରର ପ୍ରମୁଖ ବୃତ୍ତି ହେଉଛି ତାଳପତ୍ର କାରିଗରୀ। ସେମାନଙ୍କ ପାଇଁ ମୁଖ୍ୟ ବଜାର ହେଉଛି ଶ୍ରୀମନ୍ଦିର। ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତି ବେଳେ ପରିବା ଧୁଆ, ଚାଉଳ ଧୁଆ ଓ ଅନ୍ନ ଛଣା ପାଇଁ ମଧ୍ୟ ତାଳପତ୍ର ଭୋଗେଇର ବ୍ୟବହାର ହେଉଛି। ପୁରୁଷାନୁକ୍ରମେ କାରିଗରମାନେ କାହିଁ କେଉଁ କାଳରୁ ତାଳପତ୍ର ଭୋଗେଇ ଯୋଗାଇ ଆସୁଛନ୍ତି। ଏହାବ୍ୟତୀତ ତାଳପତ୍ରରେ ବିଞ୍ଚଣା ସମେତ ଝୁମୁକା, କଣ୍ଢେଇ ଓ ଅନ୍ୟ ଖେଳଣା ପ୍ରସ୍ତୁତ କରି ମେଳାରେ ବିକ୍ରି କରି ସେଥିରୁ ଅର୍ଥ ରୋଜଗାର କରୁଛନ୍ତି।
/sambad/media/post_attachments/wp-content/uploads/2023/02/p1-750x430.jpg)
ପଲିଥିନର ପ୍ରଚଳନ ଯୋଗୁ ତାଳପତ୍ର କାରିଗରମାନେ ବେଶ୍ ପ୍ରଭାବିତ ହୋଇଥିଲେ। ମାତ୍ର ପଲିଥିନ୍ ଉପରେ କଟକଣା ଓ ପାରମ୍ପରିକ ତାଳପତ୍ର ଭୋଗେଇରେ ମହାପ୍ରସାଦ କିମ୍ବା ଶୁଖିଲା ଭୋଗ ନେବା ପାଇଁ ଆଗ୍ରହ ପ୍ରକାଶ କରିବା ପରେ ଏବେ ବି ବହୁ ପରିବାର ଏହି ବୃତ୍ତିରେ ପରିବାରର ଗୁଜରାଣ ମେଣ୍ଟାଉଛନ୍ତି। ହେଲେ ଏଥିପାଇଁ ନା ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରୋତ୍ସାହନ ମିଳିଛି, ନା ବନ ବିଭାଗକୁ ତାଳଗଛ ରୋପଣ ଦିଗରେ ଗୁରୁତ୍ବ ଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କେବେ ନିର୍ଦ୍ଦେଶ ଦିଆଯାଇଛି। କଞ୍ଚାମାଲର ଅଭାବ ଓ ବାହାରୁ ଚଢ଼ା ଦରରେ ପତ୍ର କିଣିବାକୁ ପଡ଼ୁଥିବାରୁ କାରିଗର ତଥା ବୃତ୍ତିଧାରୀମାନେ ମୁହଁ ମୋଡ଼ିଲେଣି। ଦ୍ରୁତ ସହରୀକରଣ ପାଇଁ ହଜାର ହଜାର ତାଳଗଛ ବଳି ପଡ଼ିବା ପରେ ତାଳପତ୍ର ମିଳିବା କଷ୍ଟକର ହୋଇଗଲାଣି। ତେଣୁ ଶ୍ରୀମନ୍ଦିରରୁ ଶୁଖିଲା ଭୋଗ କିମ୍ବା ଅବଢ଼ା ଆଣିବା ପାଇଁ ବ୍ୟବହାର ହେଉଥିବା ତାଳପତ୍ର ଭୋଗେଇ ମଧ୍ୟ କେଇ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଯିବା ଆଶଙ୍କା ଦେଖା ଦେଇଛି।
ସିଦ୍ଧ ମହାବୀର ରେଳ ଫାଟକ ନିକଟ ଚମାରସାହିରେ ୩୦ରୁ ଅଧିକ ପରିବାରର ୭୦ରୁ ଅଧିକ କାରିଗର ତାଳପତ୍ର ଭୋଗେଇ ଓ ଅନ୍ୟ କାରିଗରୀ ପ୍ରସ୍ତୁତି କରି ଜୀବିକା ନିର୍ବାହ କରୁଥିଲେ ହେଁ ବର୍ତ୍ତମାନର ପିଢ଼ି ଏହି ପାରମ୍ପରିକ କାରିଗରୀରୁ ମୁହଁ ଫେରାଇ ନେଲେଣି। କୁଟୀରଶିଳ୍ପକୁ ପ୍ରୋତ୍ସାହନ ଦିଆଯାଉଥିଲେ ସୁଦ୍ଧା ତାଳପତ୍ର ପାରମ୍ପରିକ କାରିଗରୀ ପ୍ରୋତ୍ସାହନ ଅଭାବରୁ ଭୁଶୁଡ଼ିଯିବାକୁ ବସିଲାଣି। ଦିନେ ତାଳଗଛ ପାଇଁ ପରିଚୟ ବହନ କରୁଥିବା ତାଳବଣିଆ ଏବେ ତାଳଗଛ ଶୂନ୍ୟ ହୋଇଗଲାଣି। ତାଳଗଛ କାଟି ତାଳବଣିଆ ଅଞ୍ଚଳ ବିକଶିତ ହୋଇଛି, ଅର୍ଥାତ ଯେଉଁ ତାଳଗଛ ଚମାରସାହି ବାସିନ୍ଦାଙ୍କ ଜୀବିକା ପାଲଟିଥିଲା ତାକୁ ପୁନଃରୋପଣ ପାଇଁ କୌଣସି ବ୍ୟବସ୍ଥା କରାଗଲା ନାହିଁ। ଚମାରସାହି ତାଳପତ୍ର କାରିଗର ଟୁଲୁ ବେହେରାଙ୍କ ପରି ବହୁ ଯୁବକ ଏବେ ତାଳପତ୍ରର ଅଭାବ ଓ ମହଙ୍ଗା କିଣା ଯୋଗୁଁ ମୂଲ ଲାଗି ପରିବାର ପ୍ରତିପୋଷଣ କରୁଛନ୍ତି। ମୂଲରେ ଦିନକୁ ୫ଶହ ଟଙ୍କା ମିଳୁଥିଲେ ହେଁ ଭୋଗେଇ କଲେ ଦିନକୁ ୨୫୦ ଟଙ୍କା ମିଳିବା କାଠିକର ହୋଇଯାଉଛି। ଯଦି ଏବେଠୁ ତାଳଗଛ ରୋପଣ ଦିଗରେ ପଦକ୍ଷେପ ନିଆନଯାଏ, ତେବେ ତାଳପତ୍ର ଭୋଗେଇ ଆଉ ଶ୍ରୀମନ୍ଦିରରେ ଦେଖିବାକୁ ମିଳିବ ନାହିଁ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/srimandir-bhogei.jpg)