କେନ୍ଦୁଝର: ଭୂସଂସ୍କାର ଓ ଜମିଜମା ରେକର୍ଡର କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ କେନ୍ଦୁଝର ଜିଲ୍ଲାକୁ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଭୂମି ସମ୍ମାନ (ପ୍ଲାଟିନମ୍ ଆୱାର୍ଡ)ରେ ସମ୍ମାନିତ ହୋଇଛି। ଜୁଲାଇ ୧୮ ତାରିଖରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନଭବନରେ ଆୟୋଜିତ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କେନ୍ଦୁଝର ଜିଲ୍ଲାକୁ ଏହି ସମ୍ମାନ ପ୍ରଦାନ କରିଥିଲେ। ଜିଲ୍ଲାପାଳ ଆଶିଷ ଠାକ୍‌ରେଙ୍କ ଆଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମହଲା ରାଷ୍ଟ୍ରପତିଙ୍କଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ।

Advertisment

ଡେପୁଟି କଲେକ୍ଟର ଏମ୍‌ଡି ଫିରୋଜ ଖାନ୍ ଏବଂ ଡେପୁଟି କଲେକ୍ଟର ପ୍ରଭୁକଲ୍ୟାଣ ଦାସ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଭୂସଂସ୍କାର ପାଇଁ କେନ୍ଦୁଝର ଜିଲ୍ଲାରେ ହାତକୁ ନିଆଯାଇଥିବା ତ୍ୱରିତ ଓ ସଫଳ କାର୍ଯ୍ୟକ୍ରମ ଯଥା, ଜମିପଟ୍ଟାର କମ୍ପ୍ୟୁଟରୀକରଣ, କାଡାଷ୍ଟ୍ରାଲ ମ୍ୟାପ୍ ଡିଜିଟାଇଜେସନ ଏବଂ ମ୍ୟାପ୍ ସହିତ ଜମିପଟ୍ଟା ସଂଯୋଗୀକରଣ, ରେଜିଷ୍ଟ୍ରେସନ କାର୍ଯ୍ୟାଳୟରେ ଅନ୍‌ଲାଇନ୍‌ ଜମି ପଞ୍ଜୀକରଣ ବ୍ୟବସ୍ଥା, ବିଭିନ୍ନ ରାଜସ୍ୱ କାର୍ଯ୍ୟାଳୟର ଜମିଜମା ରେକର୍ଡ ସହିତ ପଞ୍ଜୀକରଣର ଏକୀକରଣ ଏବଂ ଆଧୁନିକ ରେକର୍ଡ ରୁମ୍ ପରିଚାଳନା କ୍ଷେତ୍ରରେ ପ୍ରତିଶତ ସଫଳତା ପାଇଁ କେନ୍ଦୁଝର ଜିଲ୍ଲାକୁ ଏହି ସମ୍ମାନ ମିଳିଛି।