ଛତ୍ରପୁର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ୫ଗୋଟି ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ଭ୍ୟାନ୍ର ଶୁଭାରମ୍ଭ କରିଛନ୍ତି। ଟାଟା ଷ୍ଟିଲ ଏସ୍.ଇ.ଜେଡ୍ ଯୋଜନାରୁ ଏହି ୫ଗୋଟି ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ଜିଲ୍ଲା ପ୍ରଶାସନ ଦ୍ୱାରା ପରିଚାଳନା କରାଯିବ। ଏହି ଭ୍ରାମ୍ୟମାଣ ମୋବାଇଲ ସେବାରେ ଡାକ୍ତର, ଫାର୍ମାସିଷ୍ଟ, ସ୍ୱାସ୍ଥ୍ୟକର୍ମୀ ସେବା ଯୋଗାଇବେ। ଟାଟା ଦ୍ୱାରା ପ୍ରଦତ୍ତ ଏହି ୫ଗୋଟି ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ଭ୍ୟାନ୍ଗୁଡ଼ିକରେ ଅକ୍ସିଜେନ୍ ସୁବିଧା ରହିଛି। ଏହା ମୋବାଇଲ କ୍ଲିନିକ୍ ଭଳି କାର୍ଯ୍ୟ କରିବ। ସାଧାରଣ ଚିକିତ୍ସା ମଧ୍ୟ ଏହି ଭ୍ୟାନ୍ରୁ ମିଳିପାରିବ ବୋଲି ଜିଲ୍ଲାପାଳ ଅବଗତ କରାଇଥିଲେ। ଛତ୍ରପୁର, ଭଞ୍ଜନଗର ଓ ବ୍ରହ୍ମପୁର ଉପଖଣ୍ଡକୁ ଗୋଟିଏ ଲେଖାଏଁ ଭ୍ୟାନ୍ ଓ ବ୍ରହ୍ମପୁର ମହାନଗର ଅଞ୍ଚଳବାସୀଙ୍କ ନିମନ୍ତେ ଦୁଇଗୋଟି ଭ୍ୟାନ୍ ସେବା ଯୋଗାଇଦେବ।
ଏଠାରେ ପ୍ରକାଶ ଥାଉକି ପଞ୍ଚାୟତ ସ୍ତରରେ ୮୯ଗୋଟି ଅକ୍ସିଜେନ୍ ସୁବିଧା ଥାଇ ୩୩ଗୋଟି ଏବଂ ଶବ ବୋହିନେବା ଦିଗରେ ୧୧ଗୋଟି ଏହିପରି ସମୁଦାୟ ୧୩୩ଗୋଟି ଆମ୍ବୁଲାନ୍ସ ସେବା ଜିଲ୍ଲାରେ ପୂର୍ବରୁ ଯୋଗାଇ ଦିଆଯାଇଛି। ଗତ ଜୁଲାଇ ୧୩ଠାରୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ଆମ୍ବୁଲାନ୍ସ ପରିଚାଳନା କେନ୍ଦ୍ର ଖୋଲାଯାଇ ସେବା ପ୍ରଦାନ କରାଯାଉଛି। ଏଯାବତ ୨୦୧ଗୋଟି ସେବା ପ୍ରଦାନ କରାଯାଇଥିବା ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଚୟ କୁମାର ବିଶ୍ୱାଳ ଉପସ୍ଥିତ ରହି ଅବଗତ କରାଇଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଟାଟା ଷ୍ଟିଲ ଫାଉଣ୍ଡେସନ୍ର ବରିଷ୍ଠ ପରିଚାଳନ ସଞ୍ଜୀବ କୁମାର ସାହୁ, କାର୍ଯ୍ୟନିର୍ବାହୀ ଅଧିକାରୀ କିଶୋର କୁମାର ପରିଡା, ମୁଖ୍ୟ ସ୍ୱାସ୍ଥ୍ୟ ପରିଚାଳକ ନରସିଂହ ସାହୁ ଉପସ୍ଥିତ ଥିଲେ।