ଭୁବନ ବାଦ୍ୟକରଙ୍କୁ ତାଙ୍କ ‘କାଚା ବାଦାମ୍…’ ଗୀତ ପାଇଁ ମିଳିଲା ୩ ଲକ୍ଷ, ଏହା ସହ ଆହୁରି ଅନେକ ଅଫର୍

କୋଲକାତା: ଭୁବନ ବାଦ୍ୟକରଙ୍କୁ ଏକ ମ୍ୟୁଜିକ୍ କମ୍ପାନି ତାଙ୍କ ଭାଇରାଲ୍ ଗୀତ ‘କାଚା ବାଦାମ୍’ ପାଇଁ ୩ ଲକ୍ଷ ଟଙ୍କା ଦେଇଛି। ପଶ୍ଚିମବଙ୍ଗ ପୁଲିସ୍ ମଧ୍ୟ ତାଙ୍କୁ ସମ୍ମାନିତ କରିଛି। ପୁଲିସ୍ ସହିତ ଭୁବନଙ୍କ ଫଟୋ ଦ୍ରୁତ ଗତିରେ ଭାଇରାଲ୍ ହେଉଛି। ଏହା ସହିତ ଭୁବନଙ୍କ ନିକଟକୁ ଦିଲ୍ଲୀ, ମୁମ୍ବାଇ ଓ ବାଂଲାଦେଶରୁ ଅନେକ ଅଫର୍ ମଧ୍ୟ ଆସିଛି।

କିଛି ଦିନ ପୂର୍ବରୁ ଭୁବନ ନିଜ ଦୁଃଖ ପ୍ରକାଶ କରି କହିଥିଲେ, ସେ ଏକ ମ୍ୟୁଜିକ୍ ଷ୍ଟୁଡିଓ ସହ ଗୀତ ସୁଟିଂ କରିଥିଲେ ଏହା ସହ ଓଡିଓ-ଭିଡିଓ ରେକର୍ଡିଂ ବି କରିଥିଲେ କିନ୍ତୁ ଏଥିପାଇଁ ପାଉଣା ମିଳିନାହିଁ। ଏବେ ସେ ସୁଟିଂ କରିଥିବା ମ୍ୟୁଜିକ୍ କମ୍ପାନି ‘ଗୋଧୁଲି ବେଲା ମ୍ୟୁଜିକ୍’ ତାଙ୍କୁ ତାଙ୍କ ପାଉଣା ବାବଦରେ ଅର୍ଥ ପ୍ରଦାନ କରିଛି। ଭୁବନଙ୍କୁ ଗୁରୁବାର ‘ଗୋଧୁଲି ବେଲା ମ୍ୟୁଜିକ୍’ ୩ ଲକ୍ଷ ଟଙ୍କା ଦେଇଛି ଓ ତାଙ୍କ ସହ ଏକ ଚୁକ୍ତି ସ୍ଵାକ୍ଷର କରିଛି। ‘ଗୋଧୁଲି ବେଲା ମ୍ୟୁଜିକ୍’ର ଗୋପାଳ ଘୋଷ ଭୁବନଙ୍କ ବିଷୟରେ କହିଛନ୍ତି, ଆମେ ଭୁବନ ଦା’ଙ୍କ ସହ ୩ ଲକ୍ଷ ଟଙ୍କାର ଚୁକ୍ତି କରିଥିଲୁ। ଆମେ ତାଙ୍କୁ ଦେଢ ଲକ୍ଷ ଟଙ୍କା ଦେଇଛୁ। ଆଉ ଦେଢ ଲକ୍ଷ ଟଙ୍କା ଆସନ୍ତା ସପ୍ତାହରେ ଦେବୁ।

ଭୁବନ ଏକ ସାକ୍ଷାତକାରରେ କହିଛନ୍ତି, ଲୋକମାନେ ମୋ ଗୀତରେ ଡ୍ୟାନ୍ସ କରୁଛନ୍ତି ସେଥିରୁ ଆପଣମାନେ ବୁଝି ପାରୁଥିବେ ମୁଁ ସେଲିବ୍ରିଟି ହୋଇଯାଇଛି। ଏବେ ମୋତେ ବାଦାମ ବିକିବାକୁ ପଡିବ ନାହିଁ। ମୁଁ ଏବେ ବାଦାମ ବିକିବାକୁ ଗଲେ ଲୋକେ କିଣିବେ ନାହିଁ, ସେମାନେ ବାଦାମ କିଣିବା ବଦଳରେ ମୋତେ ଗୀତ ଗାଇବାକୁ କହିବେ। ଯଦି ମୋର ଗୀତ ଲୋକମାନଙ୍କ ପାଖକୁ ପହଞ୍ଚିପାରିବ ତାହେଲେ ମୋତେ ସଙ୍ଗୀତ ଉପରେ ହିଁ ଧ୍ୟାନ ଦେବାକୁ ପଡିବ। ମୁଁ ଅଧିକରୁ ଅଧିକ ଭାଇରାଲ୍ ଗୀତ ତିଆରି କରିବାକୁ ଚାହଁଛି। ଏବେ ସ୍ଥିତି ପରିବର୍ତ୍ତନ ହୋଇଯାଇଛି। ଏବେ ମୋତେ ଉପଲବ୍ଧି ହୋଇଯାଇଛି ଯେ ମୁଁ କିଛି ପାଇପାରିବି। ଲୋକମାନେ ମୋ ଗୀତକୁ ନିଜ ଲୋକପ୍ରିୟତା ବଢାଇବା ପାଇଁ ବ୍ୟବହାର କରୁଥିଲେ ଓ ମୋତେ ଏଥିରୁ କିଛି ମିଳୁ ନଥିଲା।

ଏବେ ଆଶା କରୁଛି ଯେ ସବୁକିଛି ବଦଳିଯିବ। ମୋତେ ମୁମ୍ବାଇ ଓ ଦିଲ୍ଲୀରୁ ଅଫର୍ ମିଳୁଛି। ବାଂଲାଦେଶରୁ ବି ମୋତେ ଅଫର୍ ମିଳୁଛି କିନ୍ତୁ ମୋ ସ୍ତ୍ରୀ ଚାହୁଁନାହିଁ ଯେ ମୁଁ ସେଠାକୁ ଯାଏ। ତଥାପି ମୁଁ ଖୁସି ଅଛି କାରଣ ମୋର କଠିନ ପରିଶ୍ରମ ଓ ସଂଘର୍ଷର ଫଳ ମିଳିବା ଆରମ୍ଭ ହୋଇଛି।

ଭୁବନ ‘ଗୋଧୁଲି ବେଲା ମ୍ୟୁଜିକ୍’ ସହ କରିଥିବା ମ୍ୟୁଜିକ୍ ଭିଡିଓକୁ ୟୁଟ୍ୟୁବରେ ୬ କୋଟି ୯୪ ଲକ୍ଷରୁ ଅଧିକ ଲକ୍ଷ ଲୋକ ଦେଖିଛନ୍ତି। ଭୁବନଙ୍କ ଅଭିନୀତ ହରିୟାଣା ଭର୍ସନର ‘କାଚା ବାଦାମ୍…’ ଗୀତ ଭିଡିଓକୁ ୩ କୋଟି ୮୬ ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି।

ସମ୍ବନ୍ଧିତ ଖବର