ସ୍ଥାନାନ୍ତର ହେବ ବୋସ୍‌!

ଏକାଧିକ ଜମି ପରିଦର୍ଶନ କଲେ ଉଚ୍ଚ ପଦସ୍ଥ ଅଧିକାରୀ

କଟକ : କଟକରୁ ଭୁବନାନନ୍ଦ ଓଡ଼ିଶା ସ୍କୁଲ୍‌ ଅଫ୍‌ ଇଞ୍ଜିନିୟରିଂ (ବୋସ୍‌)କୁୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ନେଇ ଆଶଙ୍କା ଦେଖାଦେଇଛିି। ଗତ କିଛି ଦିନ ଧରି ଏନେଇ ଚର୍ଚ୍ଚା ଚାଲିଥିଲା ବେଳେ ଆଜି ଉଚ୍ଚପଦସ୍ଥ ସରକାରୀ ଅଧିକାରୀଙ୍କ ଅଚାନକ୍‌ କଟକ ପରିଦର୍ଶନ କରିବା ସହିତ ବିଭିନ୍ନ ସରକାରୀ ଜମି ବୁଲି ଦେଖିବା ଫଳରେ ଏହି ଆଶଙ୍କା ଆହୁରି ଦୃଢ ହୋଇଛି। ସ୍ୱାସ୍ଥ୍ୟ ସଚିବ ଡାକ୍ତର ପ୍ରମୋଦ ମେହେର୍ଦ୍ଦା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସଚିବ ସଂଜୟ ସିଂହ ଏବଂ କମିସନର ବଲଓ୍ଵନ୍ତ ସିଂହ ଅଚାନକ୍‌ କଟକ ଗସ୍ତ କରିବା ସହିତ ବୋସ୍‌ କ୍ୟାମ୍ପସ୍‌, ବ୍ରଜବିହାରୀପୁରସ୍ଥିତ ସରକାରୀ ଜମି ପରିଦର୍ଶନ କରିଛନ୍ତି। ମଙ୍ଗଳାବାଗସ୍ଥିତ ବୋସ୍‌ ସ୍କୁଲ୍‌କୁ ଏଠାରୁ ସ୍ଥାନାନ୍ତର କରାଯିବା ସହିତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ଓ ଏସ୍‌ସିବି ମେଡିକାଲ୍‌ର ବର୍ଦ୍ଧିତ କ୍ୟାମ୍ପସ୍‌ ନିର୍ମାଣ କରାଯିବାକୁ ଯୋଜନା ଚାଲିଥିବା ସୂଚନା ମିଳିଛି। ପୂର୍ବରୁ ଏହି ଦୁଇଟି ମେଡିକାଲ୍‌ ପାଇଁ ବାରଙ୍ଗ ଓ ନୂଆବଜାର ଗାନ୍ଧୀପଲ୍ଲିଠାରେ ଜମି ଚିହ୍ନଟ ହୋଇଥିଲା। କିନ୍ତୁ ମୂଳ କ୍ୟାମ୍ପସ୍‌ଠୁ ଏଗୁଡ଼ିକ ବହୁତ ଦୂର ହୋଇଥିବାରୁ ପାଖରେ ଦ୍ୱିତୀୟ କ୍ୟାମ୍ପସ୍‌ ନିର୍ମାଣ କରିବାକୁ ଚିନ୍ତା କରାଯାଉଛି। ଶିଳ୍ପ ଓ ସାଧାରଣ ପ୍ରଶାସନ ବିଭାଗର କିଛି କ୍ୱାର୍ଟର କଟକ କେନ୍ଦ୍ର ଓ ବୋସ୍‌ କ୍ୟାମ୍ପସ୍‌ରେ ଥିବାବେଳେ ସେଗୁଡ଼ିକୁ ହଟାଯାଇ ଖାଲି ସ୍ଥାନ ବାହାର କରାଯିବ। ଏଥିସହିତ ବୋସ୍‌ର ସମ୍ପୂର୍ଣ୍ଣ ସ୍ଥାନକୁ ନବୀକରଣ କରାଯାଇ ସେଠାରେ ମେଡିକାଲ୍‌ ଖୋଲାଯାଇପାରେ ବୋଲି କୁହାଯାଉଛି। ଏଥିପାଇଁ ଉଭୟ ବିଭାଗର ସଚିବ ଓ କମିସନର କଟକର ଏକାଧିକ ସ୍ଥାନ ପରିଦର୍ଶନ କରିବା ପରେ ଆସନ୍ତା ୨୯ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ସହିତ ଏ ସଂକ୍ରାନ୍ତରେ ବୈଠକରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର