ଭୁବନେଶ୍ବର: ଆଜିଠାରୁ ଇଣ୍ଡିଗୋ ପକ୍ଷରୁ ଭୁବନେଶ୍ବରରୁ ଆବୁଧାବିକୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପତାକା ଦେଖାଇ ଏହି ବିମାନ ସେବାର ଆରମ୍ଭ କରିଛନ୍ତି। ରାଜ୍ୟରେ ବିଜେପି ସରକାରର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟବାସୀଙ୍କୁ ଏହି ଭେଟି ଦେଇଛନ୍ତି। ଏହି ବିମାନଟି ସପ୍ତାହରେ ତିନି ଦିନ ଅର୍ଥାତ୍ ପ୍ରତ୍ୟେକ ମଙ୍ଗଳବାର, ଗୁରୁବାର ଓ ଶନିବାର ଯାତାୟାତ କରିବ। ୧୮୦ ସିଟ୍ ବିଶିଷ୍ଟ ଏହି ବିମାନଟି ଭୁବନେଶ୍ୱରରୁ ବାହାରି ମାତ୍ର ୪ ଘଣ୍ଟାରେ ଆବୁଧାବିରେ ପହଞ୍ଚିବ। ବିମାନ ଚଳାଚଳ ଆରମ୍ଭ ହେବା ଦ୍ୱାରା ଓଡ଼ିଶାରୁ ଆବୁଧାବି  ଯାଉଥିବା ଯାତ୍ରୀମାନେ ଉଭୟ ସମୟ ଓ ଆର୍ଥିକ ଦୃଷ୍ଟିରୁ  ଲାଭବାନ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ଆଜିଠାରୁ ଭୁବନେଶ୍ବରରୁ ବିଶାଖାପାଟଣାକୁ ବି ବିମାନ ସେବା ଆରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କେତେକ ଯାତ୍ରୀଙ୍କୁ ବୋର୍ଡିଂ ପାସ୍ ପ୍ରଦାନ କରିଥିଲେ।

Advertisment

ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ମଙ୍ଗଳବାର, ଗୁରୁବାର, ଶନିବାର ବିମାନ ସେବା ମିଳିବ
ଭୁବନେଶ୍ୱରରୁ ବିଶାଖାପାଟଣା ବି ବିମାନସେବା ଆରମ୍ଭ

ଅନ୍ତର୍ଜାତୀୟ ବିମାନସେବା ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ମାର୍ଗଦର୍ଶନ ଓ କେନ୍ଦ୍ର ସରକାରଙ୍କ ସମର୍ଥନରେ ରାଜ୍ୟ ସରକାରଙ୍କ ନୂଆ ଗନ୍ତବ୍ୟସ୍ଥଳ ନୀତି ଅଧୀନରେ ଏହି ସେବା ଆରମ୍ଭ କରାଯାଇଛି। ଏହି ବିମାନ ସେବା ଦ୍ୱାରା ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକ ସହ ଓଡ଼ିଶାର ଯୋଗାଯୋଗ ଆହୁରି ବ୍ୟାପକ ହେବ। ବାଣିଜ୍ୟ, ପର୍ଯ୍ୟଟନ, ପୁଞ୍ଜିନିବେଶ ଓ ସାଂସ୍କୃତିକ ବିନିମୟ କ୍ଷେତ୍ରରେ ମଧ୍ୟ ଆମର ସମ୍ପର୍କ ଆହୁରି ସୁଦୃଢ଼ ହେବ। ଆମ ସରକାର ଦେଶ ମଧ୍ୟରେ ଓ ବିଦେଶକୁ ଯୋଗାଯୋଗ ସୁଦୃଢ଼ କରିବା ପାଇଁ ସଡ଼କ ପଥ, ରେଳପଥ ସହିତ ଆକାଶ ପଥକୁ ମଧ୍ୟ ଗୁରୁତ୍ବ ଦେଉଛନ୍ତି। ଓଡ଼ିଶାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଯୋଡ଼ିବା ପାଇଁ ଉଦ୍ୟମ ଜାରି ରହିଛି। ଆଜି ଆବୁଧାବିକୁ ଯାଇଥିବା ବିମାନରେ ଏହି ବିମାନର କାର୍ଗୋ ସେବାରେ ବିଭିନ୍ନ ପନିପରିବା ସହିତ ୫୦ ଟନ୍‌ ଆମ୍ରପଲ୍ଲି ଆମ୍ବ ରପ୍ତାନି କରାଯାଇଛି।

ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ନୂଆ ଗନ୍ତବ୍ୟସ୍ଥଳ ନୀତି ଆଧାରରେ ବିଦେଶକୁ ଯାଉଥିବା ବିମାନ ପାଇଁ ରାଉଣ୍ଡ ଟ୍ରିପ୍ ପିଛା ୧୦ଲକ୍ଷ ଟଙ୍କା, ନୂଆ ରୁଟ୍‌ରେ ଚାଲୁଥିବା ଘରୋଇ ବିମାନ ପାଇଁ ରାଉଣ୍ଡ ଟ୍ରିପ୍ ପିଛା ୫ଲକ୍ଷ ଟଙ୍କା ସବ୍‌ସିଡି ପ୍ରଦାନ କରୁଛନ୍ତି। ଏପ୍ରିଲ ୧ରୁ ଏହି ନୀତି ଲାଗୁ ହେବା ପରେ ଭୁବନେଶ୍ୱରରୁ ଡେରାଡୁନ, ଗାଜିଆବାଦ, ଗୋଆ, ଇନ୍ଦୋର, କୋଚି, ଲକ୍ଷ୍ନୌ ଓ ପୋର୍ଟବ୍ଲେୟାରକୁ ବିମାନ ସେବା ଆରମ୍ଭ ହୋଇଥିବା ବେଳେ ଝାରସୁଗୁଡାରୁ ହାଇଦ୍ରାବାଦ, ଲକ୍ଷ୍ନୌ, ମୁମ୍ବାଇ ଓ ରାୟପୁରକୁ ମଧ୍ୟ ବିମାନ ସଂଯୋଗ କରାଯାଇଛି। ଏହାସହସହ ପୂର୍ବରୁ ଚାଲୁଥିବା ଭୁବନେଶ୍ବରରୁ ବ୍ୟାଙ୍କକ୍ ଏବଂ ଭୁବନେଶ୍ବରରୁ ସିଙ୍ଗାପୁର ବିମାନ ପାଇଁ ମଧ୍ୟ ରାଜ୍ୟ ସରକାର ରାଉଣ୍ଡ ଟ୍ରିପ୍ ପିଛା ୧୦ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରୁଛନ୍ତି।