ଭୁବନେଶ୍ବର/ପୁରୁଣା ଭୁବନେଶ୍ବର: କଟକ ପରେ ଭୁବନେଶ୍ବର। ଅସଲି ପ୍ୟାକେଟ୍ ଭିତରେ ଘିଅ ନକଲି। ବ୍ରାଣ୍ଡେଡ୍ ଘିଅ ନାମରେ ବିଷ କିଣୁଛନ୍ତି ଭୁବନେଶ୍ବର ବାସିନ୍ଦା। ରିଫାଇନ୍ ଓ ଡାଲ୍ଡା ଘିଅରେ କେମିକାଲ ମିଶାଯାଇ ବାଲାଜୀ, ନଡ଼ିଆ ତେଲ, ଶିବଦୁର୍ଗା, ଶକ୍ତି, କ୍ରିଷ୍ଣା ଓ ଦୁର୍ଗା ଆଦି ଜଣାଶୁଣା ବ୍ରାଣ୍ଡ୍ର ଘିଅ ପ୍ରସ୍ତୁତ ହେଉଥିଲା। ଖାଲି ସେତିକି ନୁହେଁ, ପୋଡ଼ା ମୋବିଲରେ ରାଶି ତେଲ ତିଆରି ହେଉଥିଲା। ଆଉ ହାଇଦ୍ରାବାଦ୍ରେ ଅସଲି ବ୍ରାଣ୍ଡର ଲୋଗୋ ଥାଇ ଜରି ପ୍ୟାକେଟ୍ ପ୍ରିଣ୍ଟ ହେଉଥିଲା। ଖୋଲା ବଜାରରେ ଅସଲି ଦାମ୍ରେ ଏହି ସବୁ ନକଲି ଘିଅ ଓ ତେଲ ବିକ୍ରି ହେଉଥିଲା। ବର୍ଷବର୍ଷ ଧରି ଚାଲିଥିବା ଏଭଳି ଏକ ନକଲି ଘିଅ କାରଖାନାକୁ ସୁନ୍ଦରପଦା ତ୍ରିଲୋଚନ ବିହାରରେ ଠାବ କରିଛି କମିସନରେଟ୍ ପୁଲିସର କୁଇକ୍ ଆକ୍ସନ ଟିମ୍(କ୍ୟୁଏଟି)। ଏୟାରଫିଲ୍ଡ ଥାନା ପୁଲିସ ସହାୟତାରେ ସମ୍ପୃକ୍ତ କାରଖାନାରେ ଚଢ଼ଉ କରିବା ସହ ୩ କୁଇଣ୍ଟାଲ ନକଲି ଘିଅ ଓ ପ୍ରସ୍ତୁତି ସରଞ୍ଜାମ ଜବତ କରାଯାଇଛି। ଜବତ ଘିଅ ଓ ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟ ୪ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ସରକାରୀ ସ୍ବୀକୃତି ନ ଥାଇ ଏଭଳି କାରବାର କରୁଥିବାରୁ ଏହି କାରଖାନାକୁ ସିଲ୍ କରାଯାଇଛି। ଏଥିରେ ସମ୍ପୃକ୍ତ କାରଖାନା ମାଲିକକୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛି ତ୍ରିଲୋଚନବିହାର ପ୍ଲଟ ନମ୍ବର ୨୦୪ରେ ରହୁଥିବା ଅଭିମନ୍ୟୁ ପୃଷ୍ଟି।
ଏହି ସଂସ୍ଥାକୁ କିଏ କଞ୍ଚାମାଲ୍ ଯୋଗାଉଥିଲା? ଏଠାରୁ ନକଲି ତେଲ/ଘିଅ କେଉଁଠି ବିକ୍ରି ହେଉଥିଲା? ଏହି ନକଲି କାରବାରରେ ଆଉ କିଏ ସମ୍ପୃକ୍ତ ଅଛନ୍ତି? ଏ ସବୁର ଖୋଳତାଡ଼ ଚାଲିଛି। ସୂଚନା ମିଳିବା ପରେ ଖୁବ୍ଶୀଘ୍ର ଏହି ସବୁ ସ୍ଥାନଗୁଡ଼ିକରେ ଚଢ଼ଉ ହେବ ବୋଲି ପୁଲିସ କହିଛି।
ପୁଲିସ ସୂଚନା ମୁତାବକ, ଏକ ତିନିମହଲା ବିଶିଷ୍ଟ କୋଠାର ତଳଘରେ ଘିଅ ତିଆରି କାରଖାନା ଥିବା ବେଳେ ଅଭିମନ୍ୟୁ ସପରିବାର ଉପର ମହଲାରେ ରହନ୍ତି। ଏଠାରେ ଏଭଳି ନକଲି କାରବାର ଚାଲିଥିବା ନେଇ କ୍ୟୁଏଟି ସୂଚନା ପାଇବା ପରେ ଏୟାରଫିଲ୍ଡ ଥାନା ସହାୟତାରେ ଆଜି ପୂର୍ବାହ୍ନରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଦେଖାଯାଇଥିଲା କି ସେଠାରେ ତେଲ ସହ ଅନ୍ୟାନ୍ୟ କେମିକାଲ ମିଶାଇବା ପାଇଁ ମିକ୍ସଚର ମେସିନ୍ ସହ ୪ଟି ପ୍ୟାକିଂ ମେସିନ୍ ରହିଛି। ୩ଶହରୁ ଊର୍ଦ୍ଧ୍ବ ପ୍ୟାକେଟ ବିକ୍ରି ପାଇଁ ପ୍ରସ୍ତୁତ ହୋଇ ରହିଥିଲା। ରିଫାଇନ୍ ତେଲରେ ଡାଲଡା ଘିଅ ଓ କକୁ ମଞ୍ଜି ରସକୁ ମିଶାଇ ଘିଅ ପ୍ରସ୍ତୁତ କରାଯାଉଥିଲା। ୨୫ରୁ ଊର୍ଦ୍ଧ୍ବ ପେଟିରେ ଏହି ସବୁ କଞ୍ଚାମାଲ୍ ରହିଥିଲା। ସେହିପରି ବିକ୍ରି ପାଇଁ ପ୍ରସ୍ତୁତ ହୋଇଥିବା ରାଶିତେଲ ପ୍ୟାକେଟ୍ ସହ ପୋଡ଼ା ମୋବିଲ ମଧ୍ୟ ଜବତ ହୋଇଥିଲା। ବଜାରରେ ବିକ୍ରି ହେଉଥିବା ବ୍ରାଣ୍ଡେଡ୍ ଘିଅ/ତେଲ ଦାମ୍ଠାରୁ ଏଗୁଡ଼ିକୁ ବହୁତ୍ କମ୍ ଦରରେ ଦୋକାନୀମାନଙ୍କୁ ଯୋଗାଇ ଦିଆ ଯାଉଥିଲା। କିନ୍ତୁ ସେମାନେ ଲୋକଙ୍କୁ ବ୍ରାଣ୍ଡେଡ୍ ଦରରେ ବିକ୍ରି କରୁଥିବା ପୁଲିସ ତଦନ୍ତରୁ ଜାଣି ପାରିଛି।
ଅନ୍ୟପଟେ ଏହି ସଂସ୍ଥା ଦେଢ଼ବର୍ଷ ଧରି ଏଠାରେ ଚାଲୁଥିଲେ ମଧ୍ୟ ଏୟାରଫିଲ୍ଡ ଥାନା ପୁଲିସ କିଭଳି ଜାଣିପାରୁନଥିଲା ସେ ନେଇ ପ୍ରଶ୍ନ ଉଠିଛି। ପୁଲିସ ଜାଣତରେ ଏଭଳି କାରବାର ଚାଲିଥିବା ଅଭିଯୋଗ ହୋଇଛି। ନିକଟ ଅତୀତରେ ମଞ୍ଚେଶ୍ବରରେ ଏକ ନକଲି ଇଞ୍ଜିନ ଅଏଲ୍ ପ୍ରସ୍ତୁତକାରୀ ସଂସ୍ଥା ଠାବ ହୋଇଥିଲା। ବର୍ଷ ବର୍ଷ ବିନା ସ୍ବୀକୃତିରେ ଏହି କାରଖାନା ଚାଲିଥିଲା। ତାକୁ ମଧ୍ୟ କ୍ୟୁଏଟି ଚଢ଼ଉ କରି ଧରିଥିଲା। ଏହି ସଂସ୍ଥା ପୂର୍ବରୁ ମଧ୍ୟ ଏଭଳି କାରବାର କରି ସିଲ୍ ହୋଇଥିଲା। ଏହା ଉପରେ ପୁଲିସ ନଜର ରଖି ନ ଥିବାରୁ ସଂସ୍ଥା ପୁଣି ଥରେ ବେପାର କରିବାକୁ ସକ୍ଷମ ହୋଇଥିଲା। ଏଠାରେ ମଧ୍ୟ ପୁଲିସ ଜାଣି ଜାଣି ଆଖି ବୁଜି ଦେଇଥିବା ଅଭିଯୋଗ ହୋଇଥିଲା। ଏହାର କିଛି ଦିନ ପୂର୍ବରୁ ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ କମିସନରେଟ୍ ପୁଲିସର ସ୍ପେସାଲ ସ୍କ୍ବାଡ୍ ଏକ ନକଲି ସୋରିଷ ତେଲ ପ୍ରସ୍ତୁତକାରୀ ସଂସ୍ଥା ଠାବ କରିଥିଲା। ବିପୁଳ ପରିମାଣର ନକଲି ସୋରିଷ ତେଲ ଜବତ କରିବା ସହ ସମ୍ପୃକ୍ତ ସଂସ୍ଥାକୁ ସିଲ କରିଥିଲା। ଥାନା ଅଞ୍ଚଳରେ ଏଭଳି ନକଲି ସଂସ୍ଥା ଏତେ ଦିନ ଧରି ବେଧଡ଼କ ଚାଲିବାରେ ପୁଲିସର ସମ୍ପୃକ୍ତି ନେଇ ଚର୍ଚ୍ଚା ହୋଇଥିଲା।