ଗୌହାଟୀ ଏମ୍ସର ପ୍ରଥମ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ପରୀକ୍ଷା, ମାର୍ଗଦର୍ଶନ ଦେବେ ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶିକା

ଭୁବନେଶ୍ବର: ଗୁଣାତ୍ମକ ସେବା ଏବଂ ଚିକିତ୍ସା କ୍ଷେତ୍ରରେ ଉନ୍ନତ ଗବେଷଣା ପାଇଁ ଭୁବନେଶ୍ବର ଏମ୍ସ ଦେଶରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଭଲ ସ୍ବାସ୍ଥ୍ୟସେବା ଯୋଗାଇବାରେ ସମଗ୍ର ପୂର୍ବ ଭାରତରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଉକ୍ତ ସଂସ୍ଥାର ନିର୍ଦ୍ଦେଶିକା ଡ. ବି.ଗୀତାଞ୍ଜଳିଙ୍କ ମାର୍ଗଦର୍ଶନରେ ଗୌହାଟୀ ଏମ୍ସର ପ୍ରଥମ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନୁଷ୍ଠିତ ହେବ। ଏହା ଜଣାପଡିବା ପରେ ସ୍ବାସ୍ଥ୍ୟ ବିକାଶ କ୍ଷେତ୍ରରେ ନିଜ ପତିଆରା ବୃଦ୍ଧି କରି ଚାଲିଥିବା ଉକ୍ତ ଅନୁଷ୍ଠାନ ସଫଳତାର ଆଉ ପାଦେ ଆଗକୁ ବଢ଼ିଛି। ଚଳିତ ମାସ ୧୮ରୁ ଏହି ପରୀକ୍ଷା ହେବ ବୋଲି ସୂଚନା ମିଳିଛି।

କରୋନା କଟକଣା ମଧ୍ୟରେ ଗତ ଜାନୁଆରି ୧୨ରେ ଏଠାରେ ପାଠପଢ଼ା ଆରମ୍ଭ ହୋଇଥିଲା। ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶିକା ଡ. ବି.ଗୀତାଞ୍ଜଳି ଗୌହାଟୀ ଏମ୍ସକୁ ମାର୍ଗଦର୍ଶନ କରୁଥିଲେ। ସଫଳତାର ସହିତ ଗୋଟିଏ ଶିକ୍ଷାବର୍ଷ ସମାପ୍ତ କରିବା ପରେ ପ୍ରଥମ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ପରୀକ୍ଷା ପରିଚାଳନା କରିବ ଗୌହାଟୀ ଏମ୍ସ। ଭୁବନେଶ୍ବର ଏମ୍ସ ମାର୍ଗଦର୍ଶନରେ କଲ୍ୟାଣୀ ଏମ୍ସ (ପଶ୍ଚିମବଙ୍ଗ) ଏବଂ ଗୌହାଟୀ ଏମ୍ସ ସଫଳତାର ସହିତ କାର୍ଯ୍ୟ ଆରମ୍ଭ କରିଛନ୍ତି। ଡ. ବି.ଗୀତାଞ୍ଜଳି ପୂର୍ବରୁ ସଫଳତାର ସହିତ ପାଟ୍ନା ଏମ୍ସ ଏବଂ କଲ୍ୟାଣୀ ଏମ୍ସର ନିର୍ଦ୍ଦେଶିକା ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇଛନ୍ତି।

ଭୁବନେଶ୍ବର ଏମ୍ସର ଡେପୁଟି ଡାଇରେକ୍ଟର ଆଡ୍ମିନିଷ୍ଟ୍ରେସନ୍(ଡିଡିଏ) ପି.କେ.ରାୟ ମଧ୍ୟ ଗୌହାଟୀ ଏମ୍ସର ଡିଡିଏ ଦାୟିତ୍ବରେ ଅଛନ୍ତି। ଭୁବନେଶ୍ବର ଏମ୍ସର ଡ. ସୁଦୀପ୍ତ ରଞ୍ଜନ ସିଂ ଗୌହାଟୀ ଏମ୍ସର ନୋଡାଲ୍ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ଭୁବନେଶ୍ବର ଏମ୍ସର ଅଧ୍ୟାପକମାନେ ଗୌହାଟୀ ଏମ୍ସର ପରୀକ୍ଷା ସଫଳ ପରିଚାଳନା ନିମନ୍ତେ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ପାଇଛନ୍ତି।

ସମ୍ବନ୍ଧିତ ଖବର