୫୦ ବର୍ଷ ପାଇଁ ଭୁବନେଶ୍ୱର ବିମାନ ବନ୍ଦରକୁ ଠିକାରେ ନେବ ଘରୋଇ ସଂସ୍ଥା ! ବର୍ଷକୁ ୧୦୦କୋଟି ଆୟ ଯୋଜନା

ଯାତ୍ରୀ ପିଛା ଟଙ୍କା ଦେବ ଘରୋଇ ସଂସ୍ଥା, ମହଙ୍ଗା ହୋଇଯିବ ପାର୍କିଂ ଫି’

ଭୁବ‌େନଶ୍ୱର : ୨୦୧୭-୧୮ ଆର୍ଥିକ ବର୍ଷରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ବାର୍ଷିକ କ୍ଷତି ଥିଲା ୧୯କୋଟି। ବିମାନବନ୍ଦର ଆରମ୍ଭ ହେବା ଦିନରୁ କେ‌ବେ ଲାଭରେ ଚାଲି ନ ଥିଲା। ବରଂ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ଏହାର ପରିଚାଳନା ପାଇଁ ବାର୍ଷିକ କୋଟି କୋଟି ଟଙ୍କା କ୍ଷତି ସହି ଆସୁଥିଲେ। ତେବେ ୨୦୧୮-୧୯ରେ ଭୁବନେଶ୍ବର ବିମାନବନ୍ଦରର ବାର୍ଷିକ ଲାଭ ହେଲା ୧୭କୋଟି। ଏହି ଲାଭ ହେବା ପରେ ଏଏଆଇ ଆଉ ବିପଦ ମୁଣ୍ଡାଇବାକୁ ଚାହୁଁନାହିଁ। ତେଣୁ ଭୁବନେଶ୍ବର ବିମାନବନ୍ଦରକୁ ଘରୋଇକରଣ କରିବାକୁ ଯୋଜନା କରିଛି। ଭୁବନେଶ୍ବର ବିମାନବନ୍ଦର ଘରୋଇକରଣ ହୋଇଗଲେ ବାର୍ଷିକ ୧୦୦କୋଟି ଟଙ୍କା ପାଇବ ବୋଲି ଏଏଆଇ ଲକ୍ଷ୍ୟ ରଖିଛି।

ଭୁବନେଶ୍ବର ବିମାନବନ୍ଦରକୁ ଘରୋଇକରଣ କରିବାକୁ ଏଏଆଇ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଏହା ଉପରେ କେବଳ କେନ୍ଦ୍ର କ୍ୟାବିନେଟ ମୋହର ବାଜିବା ବାକି ଅଛି। କ୍ୟାବିନେଟ ଅନୁମୋଦନ କଲେ ଯେକୌଣସି ମୁହୂର୍ତ୍ତରେ ଭୁବନେଶ୍ବର ବିମାନବନ୍ଦର ଘରୋଇକରଣ କରିବା ନେଇ ଘୋଷଣା ହୋଇପାରେ ବୋଲି ଜଣାପଡ଼ିଛି। ବିମାନବନ୍ଦର ଘରୋଇକରଣ ହେଲେ ଏଠାରେ ଯାତାୟାତ କରୁଥିବା ଯାତ୍ରୀଙ୍କ ହିସାବରେ ଘରୋଇ ସଂସ୍ଥା ଏଏଆଇକୁ ଅର୍ଥ ଦେବ।

ବିଜୁ ପଟ୍ଟନାୟକ ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତାଙ୍କ ସୂଚନା ଅନୁଯାୟୀ, ଏବେ ଘରୋଇକରଣ ହୋଇଥିବା ତିନିଟି ବିମାନବନ୍ଦରରୁ ଅହମ୍ମଦାବାଦ ବିମାନବନ୍ଦର ନେଇଥିବା ଘରୋଇ ସଂସ୍ଥା ଯାତ୍ରୀ ପିଛା ୧୭୬ଟଙ୍କା ହିସାବରେ ଏଏଆଇକୁ ଅର୍ଥ ଦେଉଛି। ତେଣୁ ଭୁବନେଶ୍ବର ବିମାନବନ୍ଦର ଘରୋଇକରଣ ହେଲେ ଏଏଆଇ ଅଧିକ ଟଙ୍କା ଲାଭ ପାଇବ। ଏବେ ଭୁବନେଶ୍ବର ବିମାନବନ୍ଦରରେ ବାର୍ଷିକ ପ୍ରାୟ ୬୦ଲକ୍ଷ ଯାତ୍ରୀ ଯାତାୟାତ କରୁଛନ୍ତି। ଯଦି ଏହି ହିସାବରେ ଟଙ୍କା ମିଳିବ ତେବେ ଏଏଆଇ ବିନା ପୁଞ୍ଜିନିବେଶରେ କୋଟି କୋଟି ଟଙ୍କା ପାଇବ।

ବିମାନବନ୍ଦର ନିର୍ଦ୍ଦେଶକଙ୍କ ହିସାବକୁ ଆକଳନ କଲେ ଜଣାପଡ଼ୁଛି ଯେ, ଭୁବନେଶ୍ବର ବିମାନବନ୍ଦର ପାଇଁ ଯଦି ‌ଘରୋଇ ସଂସ୍ଥା ଯାତ୍ରୀ ପିଛା ୧୭୦ଟଙ୍କା ହିସାବରେ ଏଏଆଇକୁ ଦିଏ ତେବେ ବର୍ଷକୁ ୧୦୨କୋଟି ଟଙ୍କା ଦେବ। ଦୀର୍ଘ ବର୍ଷ କ୍ଷତି ସହିବା ପରେ ଏଏଆଇ ଗତ ଆର୍ଥିକ ବର୍ଷରେ ମାତ୍ର ୧୭କୋଟି ଟଙ୍କା ଲାଭ କରିଥିଲା। ଚଳିତ ବର୍ଷ ବି ଲାଭ କରିବାର ସମ୍ଭାବନା ଅଛି। ହେଲେ ଘରୋଇକରଣ ହେଲେ ୧୦୦କୋଟିରୁ ଅଧିକ ଲାଭ ପାଇବାର ସମ୍ଭାବନା ଥିବାରୁ ଏବଂ ଦେଶର ସବୁଠୁ ଅଧିକ ପ୍ରଗତିଶୀଳ ବିମାନବନ୍ଦର ମାନ୍ୟତା ଭୁବନେଶ୍ବର ବିମାନବନ୍ଦରକୁ ମିଳିଥିବାରୁ ଏଏଆଇ ଭୁବନେଶ୍ବର ବିମାନବନ୍ଦରକୁ ଘରୋଇକରଣ କରିବାକୁ ଯୋଜନା କରିଛି।

ସେହିପରି ଶ୍ରୀ ହୋତାଙ୍କ ସୂଚନା ଅନୁଯାୟୀ, ଏଏଆଇ ଆମଠାରୁ ବିମାନବନ୍ଦରରେ କେତେ ଜମି ଅଛି, କେତେ ଜମି କେଉଁଥିପାଇଁ ବ୍ୟବହାର ହେଉଛି, କ’ଣ ସୁବିଧା ସୁଯୋଗ ଅଛି ତା’ର ସବିଶେଷ ତାଲିକା ମାଗି ନେଇଛି। ତେଣୁ ଘରୋଇକରଣ କରିବାକୁ କିଛି ଯୋଜନା କରୁଥାଇପାରେ। ହେଲେ ଏ ନେଇ ଆମ ନିକଟରେ ସୂଚନା ନାହିଁ।

ବିମାନବନ୍ଦର ଘରୋଇକରଣ ହେଲେ ଏଟିସି ଟାୱାର, ଏହାର ସମସ୍ତ କର୍ମଚାରୀ ଓ ତଥ୍ୟ ଏବଂ ଯୋଗଯୋଗ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ଏଏଆଇ ଅଧୀନରେ ରହିବ। ବାକି ସବୁ ଘରୋଇ ସଂସ୍ଥା ହାତରେ ରହିବ। ବିମାନବନ୍ଦରର ଟର୍ମିନାଲରୁ ଆରମ୍ଭ କରି ରନ୍‌ୱେ, ଅଫିସ, ପାର୍କିଂ ଜୋନ୍ ସମେତ ବିମାନବନ୍ଦର ଅଧୀନରେ ଥିବା ସମସ୍ତ ଜମି ଘରୋଇ ସଂସ୍ଥାକୁ ୫୦ବର୍ଷ ପାଇଁ ଲିଜ୍ ଦିଆଯିବ। ଏବେ ଯେଉଁ ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟ କରୁଛନ୍ତି ତାଙ୍କୁ ରଖିବା ନରଖିବା ନିଷ୍ପତ୍ତି ଘରୋଇ ସଂସ୍ଥାର। କିନ୍ତୁ ଏଏଆଇ କର୍ମଚାରୀଙ୍କୁ ଯଦି ଘରୋଇ ସଂସ୍ଥା ରଖେ ତେବେ ସର୍ବନିମ୍ନ ୩ବର୍ଷ ପର୍ଯ୍ୟନ୍ତ ଏଏଆଇ ଦେଉଥିବା ବେତନ ଦେବ। ଏହାପରେ ସେ କର୍ମଚାରୀ ବଦଳାଇ ପା‌ରିବ। କିନ୍ତୁ କୌଣସି ଏଏଆଇ କର୍ମଚାରୀଙ୍କର ଚାକିରି ଛଟେଇ ହେବନି। ବିମାନବନ୍ଦର ନିର୍ଦ୍ଦେଶକଙ୍କଠାରୁ ପିଅନ ପର୍ଯ୍ୟନ୍ତ ସମସ୍ତଙ୍କୁ ଘରୋଇ ସଂସ୍ଥା ତା’ ଇଚ୍ଛା ଅନୁଯାୟୀ ନିଯୁକ୍ତି ଦେବ।

ସେହିପରି ଯଦି କୌଣସି ଉନ୍ନତିମୂଳକ କାର୍ଯ୍ୟ ଏଏଆଇ କରୁଥିବ ତେବେ ଏହାକୁ ଅଧାରୁ ଘରୋଇ ସଂସ୍ଥାକୁ ହସ୍ତାନ୍ତର କରିଦିଆଯିବ। ଏଏଆଇର ସମସ୍ତ ଯୋଜନାକୁ ଘରୋଇ ସଂସ୍ଥା କାର୍ଯ୍ୟକାରୀ କରିବ। ଅର୍ଦ୍ଧନିର୍ମିତ ପ୍ରକଳ୍ପ ବାବଦକୁ ଏଏଆଇ ଯେତିକି ଅର୍ଥ ଖର୍ଚ୍ଚ କରିଥିବ ସେତିକି ଟଙ୍କା ଘରୋଇ ସଂସ୍ଥା ଏଏଆଇକୁ ଦେବ।

ବିମାନବନ୍ଦର ଘରୋଇକରଣ ହେଲେ ଯାତ୍ରୀଙ୍କୁ ଅଧିକ ସୁବିଧା ସୁଯୋଗ ମିଳିବ। ଏଠାରେ ବହୁ ଅତ୍ୟାଧୁନିକ ସୁବିଧା ସୁଯୋଗ ମିଳିବ, ତାରକା ହୋଟେଲ ଖୋଲିବ। ସେହିପରି ଏବେ ଟି-୩ ଟର୍ମିନାଲ ପାଇଁ ଯେଉଁ ହଜାରେ କୋଟିର ଯୋଜନା ହୋଇଛି ତାହାକୁ ବି ଘରୋଇ ସଂସ୍ଥା କରିବ। ହେଲେ ଏବେ ବିମାନବନ୍ଦରରେ ଘରୋଇ ଗାଡ଼ି ପାଇଁ ଯେଉଁ ପାର୍କିଂ ଫି’ ଛାଡ଼ ହୋଇଛି ତାହା ଘରୋଇକରଣ ହେଲେ ହେବନି। ସବୁ ଗାଡ଼ିର ପାର୍କିଂ ଫି’ ବହୁତ ବଢ଼ିଯିବ।

ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦେଶରେ ଏବେ ୬ଟି ବିମାନବନ୍ଦରକୁ ଘରୋଇକରଣ କରିବାକୁ ନିଷ୍ପତ୍ତି ନିଆସରିଛି। ଏଥିରୁ ତିନିଟି ବିମାନବନ୍ଦର ଅହମ୍ମଦାବାଦ, ଲକ୍ଷ୍ନୌ, ମାଙ୍ଗାଲୋର ବିମାନବନ୍ଦର ସଂପୂର୍ଣ୍ଣ ଘରୋଇକରଣ ହୋଇଥିବାବେଳେ ବାକି ତିନିଟି ଜୟପୁର, ଗୌହାଟି, ଥିରୁବନନ୍ତପୁରମ୍‌କୁ ଘରୋଇକରଣ କରିବା ନେଇ ନିଷ୍ପତ୍ତି ନିଆଯାଇଥିଲେ ହେଁ ‌ବୈଷୟିକ କାରଣ ଯୋଗୁଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ପାରିନାହିଁ। ଘରୋଇକରଣ ହୋଇଥିବା ତିନିଟି ବିମାନବନ୍ଦରରୁ ଏଏଆଇ ଅଧିକ ଲାଭବାନ ହୋଇଥିବାରୁ ଏବଂ ବିମାନବନ୍ଦରର ଭିତ୍ତିଭୂମି ବଢ଼ିଥିବାରୁ ଏବଂ ଯାତ୍ରୀଙ୍କୁ ଅଧିକ ସୁବିଧା ସୁଯୋଗ ମିଳିଥିବାରୁ ଏଏଆଇ ଏବେ ଭୁବନେଶ୍ବର, ବାରଣାସୀ, ଅମୃତସର, ତ୍ରିଚି, ଇନ୍ଦୋର ଓ ରାୟପୁର ବିମା‌ନବନ୍ଦରକୁ ଘରୋଇକରଣ କରିବାକୁ ଯୋଜନା କରିଛି।

ସମ୍ବନ୍ଧିତ ଖବର