ବିମାନବନ୍ଦରର ହେବ ନବକଳେବର : ଅଢ଼େଇ ବର୍ଷ ଭିତରେ ତୃତୀୟ ଟର୍ମିନାଲ

ଖର୍ଚ୍ଚ ହେବ ୯୦୦ କୋଟି ଟଙ୍କା, ଟି-ୱାନ୍‌, ଟି-ଟୁକୁ ଯୋଡ଼ିବ ଲିଙ୍କ୍‌ ବିଲଡିଂ, ପାରାଦୀପ ବିମାନବନ୍ଦର ଖୁବ୍‌ଶୀଘ୍ର

ଭୁବନେଶ୍ବର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ହେବ ନବକଳେବର। ନୂଆ ଓ ପୁରୁଣା ଟର୍ମିନାଲ୍‌କୁ ସଂଯୋଗ କରିବା ପାଇଁ ଏକ ଲିଙ୍କ୍‌ ବିଲ୍‌ଡିଂ ନିର୍ମାଣ ହେବ। ଏଥିସହ ବିମାନବନ୍ଦରରେ ଥିବା ଟି-ୱାନ୍‌ ଓ ଟି-ଟୁ ଟର୍ମିନାଲ ପରେ ଏବେ ଟି-ଥ୍ରି’ ଟର୍ମିନାଲ୍ ନିର୍ମାଣ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି। ବାର୍ଷିକ ପ୍ରାୟ ୮୦ଲକ୍ଷ ଯାତ୍ରୀଙ୍କ ଯିବା ଆସିବାକୁ ସୁବନ୍ଦୋବସ୍ତ କରିବା ଲକ୍ଷ୍ୟରେ କେନ୍ଦ୍ର ‌ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏହି କ୍ରମରେ ଟି-ୱାନ୍‌ ଓ ଟି-ଟୁ ଟର୍ମିନାଲ୍‌କୁ ଯୋଡ଼ିବା ପାଇଁ ଏକ ଲିଙ୍କ୍‌ ବିଲ୍‌ଡିଂର ଆଜି ଶୁଭ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରାୟ ୮୭କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ବିଲଡିଂ କାର୍ଯ୍ୟ ବର୍ଷକ ମଧ୍ୟରେ ଶେଷ ହେବ। ନୂତନ ଲିଙ୍କ୍‌ ବିଲ୍‌ଡିଂ ନିର୍ମାଣ ପରେ ଟର୍ମିନାଲ୍-୨ରେ ବି ଅନ୍ତର୍ଜାତୀୟ ବିମାନ ଅବତରଣ କରିବ। ଯାତ୍ରୀମାନେ ଟର୍ମିନାଲ୍-୨ରେ ଥିବା ଏରୋବ୍ରିଜ୍‌ରେ ଓହ୍ଲାଇ ଲିଙ୍କ୍‌ ବିଲ୍‌ଡିଂ ମାଧ୍ୟମରେ ଟର୍ମିନାଲ୍-୧କୁ ଆସି ପାରି‌ବେ। ସେହିପରି ପାରାଲାଲ୍‌ ଟ୍ୟାକ୍ସି ଷ୍ଟାଣ୍ଡ ଓ ୧୪୭ କୋଟି ଟଙ୍କା ବ୍ୟୟରେ ୮ଟି ନୂତନ ପାର୍କିଂ ବେ’ ନିର୍ମାଣର ମଧ୍ୟ ଶୁଭ ଦିଆଯାଇଛି।

ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ପୁରୁଣା ବିମାନବନ୍ଦର ଓ ନୂଆ ବିମାନବନ୍ଦର ମଧ୍ୟରେ ଥିବା ଗ୍ୟାପ୍‌କୁ ଲିଙ୍କ୍ ବିଲଡିଂ ମାଧ୍ୟମରେ ଯୋଡ଼ାଯିବ। ଏହାଦ୍ୱାରା ଭୁବନେଶ୍ୱର ବିମାନବନ୍ଦରର କ୍ଷମତା ବୃଦ୍ଧି ପାଇବ। ବିମାନବନ୍ଦରର ପଶ୍ଚିମରେ ନୂଆ ଟର୍ମିନାଲ ହେଲେ ଏହା ବଡ଼ ବିମାନବନ୍ଦରରେ ପରିଣତ ହେବ। ଖୋର୍ଦ୍ଧା ପାଖାପାଖି ଅଞ୍ଚଳରେ ଦ୍ୱିତୀୟ ବିମାନବନ୍ଦରର ଆନୁଷଙ୍ଗିକ କାମ ଆରମ୍ଭ ହୋଇଛି। କିଛି ମାସ ପୂର୍ବେ ବୀର ସୁରେନ୍ଦ୍ର ସାଏ ନାମରେ ନାମିତ ଝାରସୁଗୁଡା ବିମାନବନ୍ଦର ଉଦ୍‌ଘାଟିତ ହୋଇଛି। ସେଠାରୁ ଦିଲ୍ଲୀ, କୋଲକାତା ଓ ହାଇଦ୍ରାବାଦକୁ ବଡ଼ ଏୟାରଲାଇନ୍ ମାଧ୍ୟମରେ ମାର୍ଚ୍ଚ ପ୍ରଥମ ସପ୍ତାହରୁ ବିମାନ ଚଳାଚଳ କରିବାର ବ୍ୟବସ୍ଥା କରାଯିବ। ଉଡାନ୍‌ ଯୋଜନାରେ ଭୁବନେଶ୍ୱର ଓ ଝାରସୁଗୁଡ଼ାରୁ ବିଭିନ୍ନ ଅଞ୍ଚଳକୁ ବିମାନ ଚାଲିବା ନେଇ ବର୍ଷକୁ କେନ୍ଦ୍ର ସରକାର ଶହେ କୋଟିରୁ ଅଧିକ ଟଙ୍କା ସବସିଡି ଦେବେ। ରାଉରକେଲା, ଉତ୍‌କେଲା ଓ ଜୟପୁର ବିମାନବନ୍ଦର ଖୁବ୍‌ଶୀଘ୍ର ପୂର୍ଣ୍ଣାଙ୍ଗ ରୂପ ‌ନେବ। ପାରାଦୀପ ପୋର୍ଟ ଅଥରିଟି, ଏଏଆଇ(ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ) ଓ ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ ମିଳିତ ଭାବେ ପାରାଦୀପଠାରେ ଏକ ବିମାନବନ୍ଦର ନିର୍ମାଣ କରିବାକୁ ଯୋଜନା ‌ରଖାଯାଇଛି ବୋଲି ସେ କହିଛନ୍ତି।

ବର୍ଷକୁ ବର୍ଷ ଯାତ୍ରୀଙ୍କ ସଂଖ୍ୟା ବଢ଼ୁଥିବାରୁ ତାହାକୁ ଦୃଷ୍ଟିରେ ରଖି ୯୩୫ କୋଟି ଟଙ୍କା ବ୍ୟୟରେ ଟର୍ମିନାଲ୍-୩ର ନିର୍ମାଣ କରିବାକୁ ଯୋଜନା ହୋଇଛି। ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ଏହାର କାମ ଆରମ୍ଭ ହେବ। ଅଢ଼େଇ ବର୍ଷ ମଧ୍ୟରେ ପୂର୍ଣ୍ଣାଙ୍ଗ ରୂପ ନେବ। ଫଳରେ ପ୍ରତିବର୍ଷ ଭୁବନେଶ୍ୱର ବିମାନବନ୍ଦରରେ ପ୍ରାୟ ୮୮ ଲକ୍ଷ ଯାତ୍ରୀଙ୍କ ଯିବା ଆସିବା ସୁବ୍ୟବସ୍ଥିତ ହୋଇପାରିବ ବୋଲି ବିମାନବନ୍ଦରର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି। ଶିଳାନ୍ୟାସ ଉତ୍ସବରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ୍‌ ଓରାମ୍‌, ଏଏଆଇ ଚେୟାରମ୍ୟାନ୍‌ ଗୁରୁ ପ୍ରସାଦ ମହାପାତ୍ରଙ୍କ ସମେତ ବିମାନ ଚଳାଚଳ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ତଥା ବେସାମରିକ ଉଡ଼ାଣ ମନ୍ତ୍ରୀ ସୁ‌ରେଶ ପ୍ରଭୁ ଭିଡିଓରେ ବାର୍ତ୍ତା ଦେଇଥି‌ଲେ।

ସମ୍ବନ୍ଧିତ ଖବର