ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି। ନଭେମ୍ବର ୧୫ରେ ଶ୍ରୀ ହୋତାଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନକୁ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ଗ୍ରହଣ କରିବା ପରେ ସେ ଦାୟିତ୍ବ ହସ୍ତାନ୍ତର କରିଥିବା ଜଣାପଡ଼ିଛି।
ଅପରପକ୍ଷେ ଶ୍ରୀ ହୋତାଙ୍କ ସ୍ବେଚ୍ଛାକୃତ ଅବସର ପରେ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ମାଙ୍ଗାଲୁର ଅନ୍ତର୍ଜାତୀୟ ବିମାନ ବନ୍ଦରର ନିର୍ଦ୍ଦେଶକ ଭିଭି ରାଓଙ୍କୁ ଭୁବନେଶ୍ବର ବିମାନ ବନ୍ଦରର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି। ଶ୍ରୀ ରାଓ ଆସନ୍ତା ଡିସେମ୍ବର ୩ କିମ୍ବା ୭ତାରିଖରେ ଦାୟିତ୍ବ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ବର ବିମାନ ବନ୍ଦରର ନିର୍ଦ୍ଦେଶକ ପଦ ଛାଡ଼ିବା ପରେ ଏବେ ଭୁବନେଶ୍ବର ବିମାନବନ୍ଦରର ଯୁଗ୍ମ ମହାପ୍ରବନ୍ଧକ (ଇଲେକ୍ଟ୍ରିକାଲ) ଦେବାଶିଷ ସାହୁ ଭାରପ୍ରାପ୍ତ ନିର୍ଦ୍ଦେଶକ ଦାୟିତ୍ବରେ ଅଛନ୍ତି। ବିମାନବନ୍ଦରର ବରିଷ୍ଠ ଅଧିକାରୀ ହିସାବରେ ଶ୍ରୀ ସାହୁଙ୍କୁ ଗତ ୧୫ତାରିଖରେ ଶ୍ରୀ ହୋତା ଦାୟିତ୍ବ ହସ୍ତାନ୍ତର କରିଥିଲେ।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀ ହୋତା ଆସନ୍ତା ଜୁନ୍ ମାସରେ ଅବସର ନେଇଥାନ୍ତେ। ତେବେ ଏକ ଘରୋଇ ସଂସ୍ଥାରେ ଚାକିରି ଅଫର୍ ମିଳିବାରୁ ସେ ହଠାତ ଚାକିରିରୁ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ।