କୋଭିଡ୍‌ ମୁକାବିଲାରେ ଭୁବନେଶ୍ବର ବିମାନବନ୍ଦର: ୧୫୬ ଖାଲି ଅକ୍ସିଜେନ୍‌ ଟ୍ୟାଙ୍କର ଅବତରଣ

୬୬୯ ବାକ୍ସ କୋଭିଡ ଟିକା ପରିବହନ

ଭୁବନେଶ୍ବର : କୋଭିଡ୍‌-୧୯ ବିରୋଧରେ ଦେଶର ଲଢ଼େଇକୁ ସୁଦୃଢ଼ କରିବା ଲାଗି ପ୍ରତିଦିନ ଦେଶର ବିଭିନ୍ନ ବିମାନବନ୍ଦର ଜରିଆରେ ଜରୁରି ଚିକିତ୍ସା ସାମଗ୍ରୀ ଓ ସରଞ୍ଜାମ ପରିବହନ କରାଯାଉଛି। ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ(ଏଏଆଇ)ର ଭୁବନେଶ୍ବର ବିମାନବନ୍ଦର ଓ ଏହାର ଅଂଶୀଦାରମାନେ ଚିକିତ୍ସା ସାମଗ୍ରୀ ଓ ସରଞ୍ଜାମର ୨୪ ଘଣ୍ଟିଆ ବାଧାମୁକ୍ତ ପରିବହନ ସୁବିଧା ଯୋଗାଇଦେବା କ୍ଷେତ୍ରରେ ସକ୍ରିୟ ଭୂମିକା ଗ୍ରହଣ କରୁଛନ୍ତି। ଏ କ୍ଷେତ୍ରରେ ଭୁବନେଶ୍ବର ବିମାନବନ୍ଦର ଅଗ୍ରଣୀ ଭୂମିକା ନେଇଛି। ମେ’ ୯ ସୁଦ୍ଧା ବିଭିନ୍ନ ଏୟାରଲାଇନ୍ସ ଜରିଆରେ ମୋଟ ୬୬୯ ବାକ୍ସ(୨୦.୫୩ ଏମ୍‌ଟି) କୋଭିଡ ଟିକା ପରିବହନ କରାଯାଇଛି। ଦେଶରେ ଦେଖାଦେଇଥିବା ଅକ୍ସିଜେନ ସଂକଟକୁ ଦୂର କରିବା ଲାଗି ଏପ୍ରିଲ ୨୩ରୁ ମେ’ ୧୧ ମଧ୍ୟରେ ଭାରତୀୟ ବାୟୁସେନାର ସି-୧୭, ସି-୧୩୦ଜେ, ଏଏନ ୩୨ ଆଦି ୭୫ଟି ବିମାନ ଜରିଆରେ ମୋଟ ୧୫୬ଟି ଖାଲି ଅକ୍ସିଜେନ ଟ୍ୟାଙ୍କର, ୫୨୬ ଅକ୍ସିଜେନ କନସେଣ୍ଟ୍ରେଟର୍‌, ୧୪୦ ଅକ୍ସିଜେନ ସିଲିଣ୍ଡର ପରିବହନ ହୋଇଛି। ୩୫୦୦ଟି ୧୦ ଲିଟର ସିମଲେସ୍‌ ସିଲିଣ୍ଡର, ୧୫୨୦ଟି ୪୬.୭ ଲିଟର ସିମଲେସ ସିଲିଣ୍ଡର ଖୁବଶୀଘ୍ର ପରିବହନ କରାଯିବ। ଏହା ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ବିଦେଶରୁ ଆସିବାର ଯୋଜନା ରହିଥିବା ଏଏଆଇ ପକ୍ଷରୁ ସୂଚନା ମିଳିଛି।

ଯାତ୍ରୀଙ୍କ ନିରାପଦ ଯାତ୍ରା ସୁନିଶ୍ଚିତ କରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଭୁବନେଶ୍ବର ବିମାନବନ୍ଦର ପକ୍ଷରୁ ସମସ୍ତ କୋଭିଡ୍‌-୧୯ ମାର୍ଗଦର୍ଶିକା ପାଳନ କରାଯାଉଛି। ସମସ୍ତ ଯାତ୍ରୀ, ଅଂଶୀଦାର, ଆଗନ୍ତୁକ, କର୍ମଚାରୀ ଆଦିକୁ ବିମାନ ବନ୍ଦରର କର୍ମଚାରୀମାନେ ନିରନ୍ତର ଭାବେ କୋଭିଡ୍‌-୧୯ ଉପଯୁକ୍ତ ଅଭ୍ୟାସ ମାନିବା ଓ ଭିଡ଼ ଏଡ଼ାଇବା ଲାଗି ସମୟ ବ୍ୟବଧାନ ବଜାୟ ରଖିବା ଲାଗି ଅନୁରୋଧ କରାଯାଇଛି। କୋଭିଡ-୧୯ ସମ୍ପର୍କରେ ସଚେତନତା ସୃଷ୍ଟି, ଯାତ୍ରୀଙ୍କ ନିରାପତ୍ତା ସୁନିଶ୍ଚିତ କରିବା ଲାଗି ଟର୍ମିନାଲର ବିଭିନ୍ନ ଇଲେକ୍ଟ୍ରୋନିକ ଓ ସ୍ଥାୟୀ ଡିସପ୍ଲେ’ ମାଧ୍ୟମରେ ମାର୍ଗଦର୍ଶିକା ପ୍ରଦର୍ଶିତ କରାଯାଉଛି। ସମସ୍ତ ବିମାନବନ୍ଦର ନିଜର ସାମର୍ଥ୍ୟ ଅନୁଯାୟୀ ଏହି ଲଢ଼େଇରେ ଯୋଗ ଦେଉଛନ୍ତି। ଭୁବନେଶ୍ବର ବିମାନବନ୍ଦର ପକ୍ଷରୁ ସମସ୍ତ ସୁରକ୍ଷା ପଦକ୍ଷେପ ସୁନିଶ୍ଚିତ କରାଯାଇ ଓଡ଼ିଶା ସରକାରଙ୍କ ସହାୟତାରେ ଏଏଆଇର କର୍ମଚାରୀ ଓ ଅଂଶୀଦାରଙ୍କ ପାଇଁ କୋଭିଡ୍‌ ଟିକାକରଣ କ୍ୟାମ୍ପ ଆୟୋଜନ କରାଯାଇଛି।

ସମ୍ବନ୍ଧିତ ଖବର