ଫେବ୍ରୁଆରି ପ୍ରଥମ ସପ୍ତାହରୁ ଭୁବନେଶ୍ୱର ବିମାନବନ୍ଦରର  ରିକାର୍ପେଟିଂ କାମ; ପ୍ରଭାବିତ ହେବ ନ‌ାହିଁ ବିମାନ ଚଳାଚଳ

ଭୁବନେଶ୍ୱର: ରନୱେ ରିକାର୍ପେଟିଂ କାର୍ଯ୍ୟ ଲାଗି ଭୁବନେଶ୍ୱର ବିମାନ ବନ୍ଦର ବନ୍ଦ ହେବନାହିଁ ଏବଂ ପୂର୍ବବତ ବିମାନ ଚଳାଚଳ ଜାରି ରହିବ ବୋଲି ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଫେବ୍ରୁଆରି ପ୍ରଥମ ସପ୍ତାହରୁ ଭୁବନେଶ୍ୱର ବିମାନବନ୍ଦରର  ରିକାର୍ପେଟିଂ କାମ ଆରମ୍ଭ ହେବ ଏବଂ ୮ରୁ ୧୦ ମାସ ଧରି ଏହି କାମ ଚାଲିବ । ତେବେ ପ୍ରାଥମିକ ପର୍ଯ୍ୟାୟରେ ରାତିରେ ଏହି କାମ କରାଯିବ କିନ୍ତୁ ଶେଷ ପର୍ଯ୍ୟାୟରେ ପାଖାପାଖି ୨ରୁ ୩ମାସ ପାଇଁ ଦିନ ବେଳା ଏହି ରିକାର୍ପେଟିଂ କାମ କରାଯିବ ବୋଲି ସୂଚନା ଦେଇଛନ୍ତି ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରର ନିର୍ଦ୍ଦେଶକ ଭି.ଭି.ରାଓ ।

ସେ କହିଛନ୍ତି କି, ବିମାନବନ୍ଦରର ରନୱେ ରିକାର୍ପେଟିଂ କାମ ପାଇଁ ବିମାନ ଚଳାଚଳ ସେବାରେ କୌଣସି ପ୍ରକାରର ଅସୁବିଧା ହେବ ନାହିଁ । ଏଥିପାଇଁ ବିଭିନ୍ନ ବିମାନ ପରିବହନ କଂପାନିଙ୍କ ସହ ଆଲୋଚନା କରାଯାଇ ବିମାନ ଚଳାଚଳ ସମୟରେ ପରିବର୍ତ୍ତନ କରାଯିବ ବୋଲି କହିଛନ୍ତି ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରର ନିର୍ଦ୍ଦେଶକ । ଫଳରେ ଯାତ୍ରୀମାନଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।

ପ୍ରତି ୧୦ବର୍ଷରେ ବିମାନବନ୍ଦର ରନୱେ ମରାମତି ହେବାର ନିୟମ ଥିଲେ ହେଁ ୧୨ବର୍ଷ ହେଲା ଭୁବନେଶ୍ବର ବିମାନବନ୍ଦର ରନୱେ ମରାମତି ହୋଇନି। ଫଳରେ ରନୱେର ବିଭିନ୍ନ ସ୍ଥାନରେ କାର୍ପେଟ ଉଠି ଯାଇଥିବାରୁ ବିମାନ ଦୁର୍ଘଟଣାର ଆଶଙ୍କା ରହିଛି। ରନ୍‌ୱେ ରିକାରପେଟିଂ ଅତ୍ୟନ୍ତ ଆବଶ୍ୟକ ଥିବାରୁ ଏହାକୁ ନଜରରେ ରଖି ନଭେମ୍ବର ୧ରୁ ରନ୍‌ୱେ ମରାମତି କାମ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା। ମାତ୍ର  ବିମାନବନ୍ଦର ତତ୍କାଳୀନ ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ହଠାତ୍ ନଭେମ୍ବର ୧୫ରୁ ସ୍ବେଚ୍ଛାକୃତ ଅବସର ନେବା ପରେ ଏବେ ବିମାନବନ୍ଦରର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଏବଂ ପ୍ରଶାସନିକ ନିଷ୍ପତ୍ତି ନିଆଯାଇପାରୁ ନଥିଲା।

ସମ୍ବନ୍ଧିତ ଖବର