ଅନିଶ୍ଚିତତାରେ ବିମାନବନ୍ଦର ରନ୍‌ୱେ ମରାମତି : ସ୍ଥାୟୀ ନିର୍ଦ୍ଦେଶକ ନଥିବାରୁ ନିଷ୍ପତ୍ତି ନିଆଯାଇପାରୁନି, ବିଳମ୍ବ ହେଲେ ବର୍ଷା ଋତୁରେ କାମ ପ୍ରଭାବିତ ହେବ

ଭୁବ‌େନଶ୍ବର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ରନ୍‌ୱେ ମରାମତି (ରିକାରପେଟିଂ) କାମ କେବେ ଆରମ୍ଭ ହେବ ତାହା ସ୍ଥିର ହୋଇପାରୁନି। ନଭେମ୍ବର ୧ରୁ ବିମାନବନ୍ଦର ରନ୍‌ୱେ ମରାମତି କାମ ଆରମ୍ଭ ହେବ ବୋଲି ସେପ୍ଟେମ୍ବର ମାସରୁ ସ୍ଥିର ହୋଇଥିଲେ ହେଁ ଶେଷ ମୁହୂର୍ତ୍ତରେ ଏହାକୁ ଡିସେମ୍ବର ୧କୁ ଘୁଞ୍ଚାଯାଇଥିଲା। କିନ୍ତୁ ଡିସେମ୍ବର ୧ରୁ ବି ମରାମତି କାମ ଆରମ୍ଭ ହେବନି ବୋଲି ଜଣାପଡ଼ିଛି। ଏପରିକି କେବେ ରନ୍‌ୱେ ମରାମତି କାମ ଆରମ୍ଭ ହେବ ତାହା ନିଷ୍ପତ୍ତି ନିଆଯାଇପାରୁନି।

ପ୍ରତି ୧୦ବର୍ଷରେ ବିମାନବନ୍ଦର ରନୱେ ମରାମତି ହେବାର ନିୟମ ଥିଲେ ହେଁ ୧୨ବର୍ଷ ହେଲା ଭୁବନେଶ୍ବର ବିମାନବନ୍ଦର ରନୱେ ମରାମତି ହୋଇନି। ଫଳରେ ରନୱେର ବିଭିନ୍ନ ସ୍ଥାନରେ କାର୍ପେଟ ଉଠି ଯାଇଥିବାରୁ ବିମାନ ଦୁର୍ଘଟଣାର ଆଶଙ୍କା ରହିଛି। ରନ୍‌ୱେ ରିକାରପେଟିଂ ଅତ୍ୟନ୍ତ ଆବଶ୍ୟକ ଥିବାରୁ ଏହାକୁ ନଜରରେ ରଖି ନଭେମ୍ବର ୧ରୁ ରନ୍‌ୱେ ମରାମତି କାମ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏହା କେବେ ହେବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇପାରୁନି।

ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ହଠାତ୍ ନଭେମ୍ବର ୧୫ରୁ ସ୍ବେଚ୍ଛାକୃତ ଅବସର ନେବା ପରେ ଏବେ ବିମାନବନ୍ଦରର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଏବଂ ପ୍ରଶାସନିକ ନିଷ୍ପତ୍ତି ନିଆଯାଇପାରୁନି। ଯଦିଓ ଭି.ଭି ରାଓଙ୍କୁ ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳୁଛି କିନ୍ତୁ ସେ କାର୍ଯ୍ୟରେ ଯୋଗଦେଇ ନଥିବାରୁ ଭାରପ୍ରାପ୍ତ ନିର୍ଦ୍ଦେଶକ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଉନାହାନ୍ତି। ଫଳରେ ବିମାନବନ୍ଦର ରନ୍‌ୱେ ରିକାରପେଟିଂ ପାଇଁ ଡିଜିସିଏ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅନୁମତି ‌େଦବା ସତ୍ତ୍ବେ ବି କାମ ଆରମ୍ଭ ହୋଇପାରୁନି।

ବିମାନବନ୍ଦର କର୍ତ୍ତୃପକ୍ଷ ମରାମତି କାମ ଆରମ୍ଭ କରୁନଥିବାବେଳେ ଘରୋଇ ବିମାନ କମ୍ପାନିଗୁଡ଼ିକର ବିମାନ ଉଡ଼ାଣ ପ୍ରଭାବିତ ହେବାକୁ ଥିବାରୁ ସେମାନଙ୍କୁ ବି ଆଗୁଆ ସୂଚନା ଦେବାକୁ ପଡ଼ିବ। ଏପରିସ୍ଥଳେ ବିମାନବନ୍ଦର କର୍ତ୍ତୃପକ୍ଷ କେବେ ରନ୍‌ୱେ ମରାମତି କାମ ଆରମ୍ଭ କରିବେ ନିଷ୍ପତ୍ତି ନେଲେ ତାହାର ଅନ୍ତତଃ ଦୁଇ ସପ୍ତାହ ପୂର୍ବରୁ ବିମାନ ଉଡ଼ାଣକାରୀ ସଂସ୍ଥାଗୁଡ଼ିକୁ ସୂଚନା ଦେବେ। ତେଣୁ ରନ୍‌ୱେ ମରାମତି କାମ ଏବେ ନୂଆ ନିର୍ଦ୍ଦେଶକଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି।

ସୂଚନାଯୋଗ୍ୟ ଯେ, ବିମାନବନ୍ଦର ରନୱେ ରିକାରପେଟିଂ କାମ ପାଇଁ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ବିମାନ ସେବା ୮ମାସ ପ୍ରଭାବିତ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ଏଥିରେ ନ‌ଭେମ୍ବର ୧ରୁ ଜୁନ୍ ୩୦, ୨୦୨୦ ପର୍ଯ୍ୟନ୍ତ ବିମାନ ଚଳାଚଳ ପ୍ରଭାବିତ ହେବ ବୋଲି କୁହାଯାଇଥିଲା। ନଭେମ୍ବର ୧ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରାତିରେ ଏବଂ ଏପ୍ରିଲ ୧ରୁ ଜୁନ୍ ୩୦ ପର୍ଯ୍ୟନ୍ତ ଦିନବେଳା ବିମାନ ଉଡ଼ାଣ ବନ୍ଦ କରିବାକୁ ବିମାନବନ୍ଦର କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ଏଥିରେ ନଭେମ୍ବର ୧ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରାତି ୧୦ଟାରୁ ସକାଳ ୫ଟା ୩୦ପର୍ଯ୍ୟନ୍ତ ଏବଂ ଏପ୍ରିଲ ୧ରୁ ଜୁନ୍ ୩୦ ପର୍ଯ୍ୟନ୍ତ ସକାଳ ୧୦ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବିମାନ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିଲା। ତେଣୁ ଯେତେବେଳେ ବି କାମ ଆରମ୍ଭ ହେଲେ ୮ମାସ ବନ୍ଦ ମରାମତି କାମ ହେବ। ବର୍ଷା ଋତୁ ଆସିଗଲେ କାମ କରିବା କଷ୍ଟକର ହେବାକୁ ଥିବାରୁ ବର୍ଷା ଋତୁ ପୂର୍ବରୁ ସମସ୍ତ ମରାମତି କାମ ଶେଷ କରିବାକୁ ଯୋଜନା ହୋଇଥିଲା। ହେଲେ ଏବେ ଏହା ଅନିଶ୍ଚିତତାକୁ ଠେଲି ହୋଇଯାଇଛି। ଅପରପକ୍ଷେ ୨୦୦୭ରେ ରନେୱ ରିକାରପେଟିଂ ସମୟରେ ପ୍ରାୟ ୨୮କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏବେ ୨୭୪୨ ମିଟର ଲମ୍ବର ରନୱେ ମରାମତି ପାଇଁ ପ୍ରାୟ ୩୦କୋଟି ଖର୍ଚ୍ଚ ହେବ ବୋଲି ଆକଳନ କରାଯାଉଛି।

ସମ୍ବନ୍ଧିତ ଖବର