ଅନିଶ୍ଚିତତାରେ ୯୩୫ କୋଟିର ଟି-୩ ଟର୍ମିନାଲ, ଟଙ୍କା ନଥିବାରୁ ଟେଣ୍ଡର ଡକାଯାଇପାରୁନି

ଏଏଆଇକୁ ରାଜସ୍ୱ ଆଦାୟ ଚିନ୍ତା, ବିମାନବନ୍ଦରର ୪୫ଏକର ଜମି ଲିଜ୍‌ରେ ଦେବ

ଭୁବନେଶ୍ବର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଟି-୩ ଟର୍ମିନାଲ ନିର୍ମାଣ ପାଇଁ ବର୍ଷକ ତଳୁ ଯୋଜନା ହେଲାଣି। ଏହାକୁ ପ୍ରଶାସନିକ ଅନୁମତି ଦେବା ସହ ଏନେଇ ଅର୍ଥ ମଞ୍ଜୁର କରିବାକୁ ୧୦ମାସ ତଳୁ ଭୁବନେଶ୍ବର ବିମାନବନ୍ଦର କର୍ତ୍ତୃପକ୍ଷ ଏଏଆଇକୁ ଚିଠି ଲେଖିଲେଣି। କିନ୍ତୁ ଏ ନେଇ କିଛି ନିଷ୍ପତ୍ତି ନିଆଯାଇପାରୁନି। ଏପରିକି ଟି-୩ ଟର୍ମିନାଲ ପାଇଁ ଏଏଆଇ ପକ୍ଷରୁ ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରୁ ଟେଣ୍ଡର ଆହ୍ବାନ କରାଯିବ ବୋଲି କହି ଏହି ଯୋଜନାକୁ ଅନିଶ୍ଚିତତା ଭିତରକୁ ଠେଲି ଦିଆଯାଇଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏଏଆଇ ଏବେ ଭୁବନେଶ୍ବରରେ ଟି-୩ ଟର୍ମିନାଲ ପାଇଁ ୯୩୫କୋଟି ଟଙ୍କା ଖର୍ଚ୍ଚ କରିବାକୁ ଚାହୁଁନି। ଭୁବନେଶ୍ବର ବିମାନବନ୍ଦର କ୍ଷତିରେ ଚାଲୁଥିବାବେଳେ ଗତ ଆର୍ଥିକ ବର୍ଷରୁ ଏହା ଲାଭ କରିବା ଆରମ୍ଭ କରିଛି। ତାହା ପୁଣି ମାତ୍ର ୧୭କୋଟି ଟଙ୍କା। ଏହିଭଳି କ୍ଷେତ୍ରରେ ୯୩୫କୋଟି ଟଙ୍କା ପୁଞ୍ଜିନିବେଶକୁ ଏଏଆଇର ବରିଷ୍ଠ ଅଧିକାରୀମାନେ ବିରୋଧ କରୁଛନ୍ତି।

ତେଣୁ ଭୁବନେଶ୍ବର ବିମାନବନ୍ଦରକୁ ଘରୋଇକରଣ କରି ଘରୋଇ ସଂସ୍ଥା ଦ୍ବାରା ଟି-୩ ଟର୍ମିନାଲ ନିର୍ମାଣ କରିବାକୁ ଏଏଆଇ ଚିନ୍ତା କରୁଥିବାବେଳେ ଏହା ଯଦି କାର୍ଯ୍ୟକାରୀ ନ ହୁଏ ତେବେ ବିମାନବନ୍ଦରରେ ଥିବା ୪୫ଏକର ଖାଲି ଜମିକୁ ଲିଜ୍‌ରେ ଦେଇ ସେହି ଟଙ୍କାରେ ବିମାନବନ୍ଦରର ଭିତ୍ତିଭୂମି ଉନ୍ନତୀକରଣ କରିବାକୁ ଯୋଜନା ଅଛି। ବିଭିନ୍ନ ସଂସ୍ଥାକୁ ୨୫ରୁ ୩୦ବର୍ଷ ପର୍ଯ୍ୟନ୍ତ ଜମି ଲିଜ୍‌ରେ ଦେଇ ସେଠାରୁ ମୋଟା ଅଙ୍କର ରାଜସ୍ବ ଆଦାୟ କରିବାକୁ ଯୋଜନା ହେଉଥିବା ଜଣାପଡ଼ିଛି। ଯେଉଁଥିପାଇଁ ଭୁବନେଶ୍ବର ବିମାନବନ୍ଦର କର୍ତ୍ତୃପକ୍ଷ ଏଠାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିବାକୁ ଯୋଜନା କରିଥିବାବେଳେ ଏହା ଉପରେ ଏଏଆଇ ରୋକ୍ ଲଗାଇ ଦେଇଛି। ଭୁବନେଶ୍ବର ବିମାନବନ୍ଦର କର୍ତ୍ତୃପକ୍ଷ ବିମାନବନ୍ଦର ନିକଟରେ ‌୮ରୁ ୧୦ଟି ତାରକା ହୋଟେଲ ଖୋଲିବାକୁ ବର୍ଷକ ତଳେ ଯୋଜନା କରିଥିବାବେଳେ ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। କେବଳ ଟେଣ୍ଡର ଡାକିବା ବାକି ଥିଲା। କିନ୍ତୁ ଏଏଆଇ ଏହି ଯୋଜନାକୁ ଅଟକାଇ ଦେଇଛି। ଭୁବନେଶ୍ବର ବିମାନବନ୍ଦରରେ କେବଳ ହୋଟେଲ ଖୋ‌ଲିବନି ଆଉ କ’ଣ କ’ଣ ଖୋଲାଯାଇପାରିବ ସେ ନେଇ ସର୍ଭେ କରି ଟେଣ୍ଡର ଡକାଯିବା ସହ ସେହି ଅନୁଯାୟୀ ଜମି ଲିଜ୍‌ ଦେବାକୁ ଯୋଜନା ହେଉଛି ବୋଲି ଏଏଆଇ ପକ୍ଷରୁ କୁହାଯାଇଛି।

ଏଏଆଇର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଦେଶର ୮ଟି ବିମାନବନ୍ଦରରେ ଥିବା ପ୍ରାୟ ୭୪୪ଏକର ଜମିକୁ ଲିଜ୍‌ ଦେବାକୁ ଯୋଜନା ହୋଇଛି। ଏଥିରେ କୋଲକାତା ବିମାନବନ୍ଦର‌େର ୧୪୫ଏକର, ଅମୃତସରରେ ୪୫ଏକର, ଭୁବନେଶ୍ବରରେ ୪୫ଏକର, ଜୟପୁରରେ ୩୫ଏକର, ବାରାଣାସୀରେ ୬୦ଏକର, ଲକ୍ଷ୍ନୌରେ ୨୧୭ଏକର, ରାୟପୁରରେ ୮୦ଏକର ଏବଂ ତିରୁପତିରେ ୧୧୭ଏକର ଜମି ଚିହ୍ନଟ ହୋଇଛି। ଏହି ଜମିଗୁଡ଼ିକୁ ବିଭିନ୍ନ ସଂସ୍ଥାକୁ ଲିଜ୍ ଆକାରରେ ଦେଇ ସେଥିରୁ ମିଳିବାକୁ ଥିବା ଅର୍ଥରେ ବିମାନବନ୍ଦରର ଭିତ୍ତିଭୂମି ଉନ୍ନତୀକରଣ କରାଯିବ। ବିମାନବନ୍ଦରରେ ଯେଉଁ ଜମି ବ୍ୟବହାର ହେଉ ନ ଥିବ ଏବଂ ସେଠାରେ ଏବେ କିଛି କରିବାକୁ ବିମାନବନ୍ଦର କର୍ତ୍ତୃପକ୍ଷ ଯୋଜନା କରି ନ ଥିବେ ସେହିଭଳି ଜମିକୁ ଲିଜ୍‌ରେ ଦିଆଯିବ। ଜମି ଲିଜ୍‌ରେ ନେଲେ କେତେ ଭଡ଼ା ଦେବାକୁ ପଡ଼ିବ ତାହା ଏଏଆଇ ନିଷ୍ପତ୍ତି ନେବ। ଏହି ଜମିରେ ବିଭିନ୍ନ ଅନୁଷ୍ଠାନର ପ୍ରଶିକ୍ଷଣ କାର୍ଯ୍ୟାଳୟ, ୱାର୍କସପ୍, ‌ହୋଟେଲ, ରେସ୍ତୋରାଁ, ବିଶ୍ରାମଘର, ‌େୱୟାର ହାଉସ୍‌, କାର୍ଗୋ କମ୍ପ୍ଲେକ୍ସ ଆଦି ଖୋଲିବା ପାଇଁ ସର୍ତ୍ତ ରହିବ।

ସୂଚନାଯୋଗ୍ୟ ଯେ, ଦେଶରେ ୧୨୯ଟି ବିମାନବନ୍ଦର ଥିବାବେଳେ ୨୦୧୭-୧୮ରେ ୯୪ଟି ବିମାନବନ୍ଦର କ୍ଷତିରେ ଚାଲୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର