ଭୁବନେଶ୍ବର: ଲୋକସଭା ନିର୍ବାଚନ ପରେ ସରକାର ଗଠନ ପ୍ରକ୍ରିୟା ଶେଷ ହୋଇଛି। ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଘରୋଇକରଣ ଯୋଜନା ଉପରେ କାମ ଆରମ୍ଭ କରିଛନ୍ତି। ଦେଶରେ ଥିବା ୧୧ଟି ବିମାନବନ୍ଦରର ଘରୋଇକରଣ କରାଯିବ। ସେହି ତାଲିକାରେ ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନାମ ରହିଛି। ଏଥିପାଇଁ ଶିଳ୍ପପତି ଗୌତମ ଆଦାନିଙ୍କ କମ୍ପାନି ଆଦାନି ଏଣ୍ଟରପ୍ରାଇଜେସ୍‌ ବିଡ୍ ଦାଖଲ କରିବାର ସମ୍ଭାବନା ରହିଛି।

Advertisment

ଭୁବନେଶ୍ବର ବିମାନବନ୍ଦର ହେଉଛି ଏକ ଲାଭଜନକ ବିମାନବନ୍ଦର। ଏହା ହେଉଛି ଦେଶର ଚତୁର୍ଦ୍ଦଶ ବ୍ୟସ୍ତବହୁଳ ବିମାନବନ୍ଦର ଯାହା ୪୧ ଲକ୍ଷ ଯାତ୍ରୀଙ୍କୁ ପରିଚାଳନା କରିବାର କ୍ଷମତା ରଖିଛି। ଖୁବ୍‌ଶୀଘ୍ର ଏହି ବାର୍ଷିକ ଯାତ୍ରୀ ପରିଚାଳନା କ୍ଷମତାକୁ ୮୮ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବା ଉପରେ ବିମାନବନ୍ଦର କର୍ତ୍ତୃପକ୍ଷ କାମ କରୁଛନ୍ତି। ବିମାନବନ୍ଦରରେ ଅନେକ ଏକ୍ସ-ରେ ବ୍ୟାଗେଜ୍ ସ୍କାନର, ଚେକ୍-ଇନ୍ କାଉଣ୍ଟର, ଯାତ୍ରୀଙ୍କ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଗେଟ୍‌, ଇମିଗ୍ରେସନ କାଉଣ୍ଟର ରହିଛି। ୨୦୨୩-୨୪ରେ ଏହା ବିମାନ ଚଳାଚଳ ଏବଂ ଯାତ୍ରୀ ସଂଖ୍ୟାରେ ୩୦ ପ୍ରତିଶତ ବୃଦ୍ଧି ହାସଲ କରିଥିଲା।

ଦେଶରେ ବିମାନବନ୍ଦର ଘରୋଇକରଣର ପ୍ରଥମ ପର୍ଯ୍ୟାୟରେ ଅହମ୍ମଦାବାଦ, ଲକ୍ଷ୍ନୌ, ମାଙ୍ଗାଲୋର, ଜୟପୁର, ଗୌହାଟି ଓ ଥିରୁବନନ୍ତପୂରମ ବିମାନବନ୍ଦରର ପରିଚାଳନା ଦାୟିତ୍ବ ଶିଳ୍ପପତି ଗୌତମ ଆଦାନିଙ୍କ ସଂସ୍ଥା ଆଦାନି ଏଣ୍ଟରପ୍ରାଇଜେସ୍‌କୁ ହସ୍ତାନ୍ତର କରାଯାଇଥିଲା। ଏହି ପ୍ରକ୍ରିୟାର ଦ୍ବିତୀୟ ପର୍ଯ୍ୟାୟରେ ଅମୃତସର, ବାରାଣସୀ, ଇନ୍ଦୋର, ରାୟପୁର, ଭୁବନେଶ୍ବର ଓ ତିରୁଚିରାପଲ୍ଲୀ ବିମାନବନ୍ଦରର ଘରୋଇକରଣ କରାଯିବ। ବର୍ତ୍ତମାନ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଅଧୀନରେ ପରିଚାଳିତ ହେଉଥିବା ଏହି ବିମାନବନ୍ଦରଗୁଡ଼ିକୁ ଆଗାମୀ ଦିନରେ ଘରୋଇ ସରକାରୀ ସହଭାଗିତା (ପିପିପି) ମୋଡ୍‌ରେ ପରିଚାଳନା କରାଯିବ। ପୂର୍ବରୁ ଅନେକ ବିମାନବନ୍ଦର ପରିଚାଳନା ଦାୟିତ୍ବ ହାସଲ କରିଥିବା ଆଦାନି ଏଣ୍ଟରପ୍ରାଇଜେସ୍‌ ଦ୍ବିତୀୟ ପର୍ଯ୍ୟାୟ ନିଲାମକୁ ନେଇ ବେଶ୍‌ ଉତ୍ସାହିତ କରିଛି। କମ୍ପାନି ପକ୍ଷରୁ କୁହାଯାଇଛି ଯେ ଆମେ ନିଶ୍ଚିତ ରୂପେ ଘରୋଇକରଣ ପ୍ରକ୍ରିୟାରେ ଭାଗ ନେବୁ। କାରଣ ଏହା ହେଉଛି ଆମର ଅନ୍ୟତମ ଦୃଢ଼ କ୍ଷେତ୍ର।

ଟ୍ରେନ୍‌ରେ ଦିବ୍ୟାଙ୍ଗ ଓ ମହିଳାଙ୍କ ସିଟ୍‌ ଦଖଲକଲେ ଦଣ୍ଡ, ଆର୍‌ପିଏଫ୍‌ ପକ୍ଷରୁ ସ୍ପେସାଲ୍‌ ଡ୍ରାଇଭ୍‌

ଭୁବନେଶ୍ବର: ଏବେ ଟ୍ରେନ୍‌ରେ କେହି ଦିବ୍ୟାଙ୍ଗ ଓ ମହିଳାଙ୍କ ସିଟ୍‌ରେ ବସିଲେ, ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିବ। ଏମିତିକି ଜେଲ୍‌ ଯିବାକୁ ପଡ଼ିପାରେ। ଗତ ୧୦ ଦିନ ହେଲା ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ପକ୍ଷରୁ ଏଭଳି ସ୍ପେସାଲ୍‌ ଡ୍ରାଇଭ୍‌ ଆରମ୍ଭ କରାଯାଇଛି। ଆର୍‌ପିଏଫ୍‌ ଅଧିକାରୀ ଓ କର୍ମଚାରୀମାନେ ରୀତିମତ ବିଭିନ୍ନ ଟ୍ରେନ୍‌ରେ ଯାଞ୍ଚ କରୁଛନ୍ତି ଏବଂ ନିୟମ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରୁଛନ୍ତି। ଦିବ୍ୟାଙ୍ଗଙ୍କ ସିଟ୍‌ ଦଖଲ କରିଥିବା ରେଳଯାତ୍ରୀଙ୍କୁ ରେଳବାଇ ଆଇନ ୧୫୨ ଓ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସିଟ୍‌ ଦଖଲକାରୀଙ୍କୁ ଆଇନ ୧୬୨ ଅନୁସାରେ ଦଣ୍ଡିତ କରାଯାଉଛି। ନିୟମ ଉଲ୍ଲଂଘନକାରୀଙ୍କୁ ସ୍ପେସାଲ୍‌ ରେଳବାଇ ମା‌ଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର କରାଯିବା ପରେ ୫୦୦ ଟଙ୍କା କିମ୍ବା ଅଧିକ ଜରିମାନା କରାଯାଉଛି।

ସବୁଦିନ ପ୍ରାୟ ୧୦ଟି ଟ୍ରେନ୍‌ରେ ଏଭଳି ଯାଞ୍ଚ କରାଯାଉଛି ବୋଲି ସୂଚନା ମିଳିଛି। ସାଲିମାର୍ ଏକ୍ସପ୍ରେସ୍‌, ଧଉଳି ଏକ୍ସପ୍ରେସ୍‌, ପୁରୀ ବଡ଼ବିଲ୍‌ ଏକ୍ସପ୍ରେସ୍‌, ହୀରାଖଣ୍ଡ ଏକ୍ସପ୍ରେସ୍‌ ଏବଂ ବିଭିନ୍ନ ଇଣ୍ଟରସିଟିରେ ଏଭଳି ଯାଞ୍ଚ କରାଯାଉଛି। ନିୟମ ଉଲ୍ଲଂଘନକାରୀଙ୍କୁ ଦଣ୍ଡିତ କରାଯିବା ସହ ଯାତ୍ରୀମାନଙ୍କୁ ସଚେତନ କରାଯାଉଛି। ଆର୍‌ପିଏଫ୍‌ ପକ୍ଷରୁ ଏଭଳି ଅଭିଯାନ ଏବେ ନିୟମିତ ଚାଲିବ ଏବଂ କିଛି ଦିନ ପରେ ନିୟମ ଉଲ୍ଲଂଘନକାରୀଙ୍କୁ ଅଧିକ ପରିମାଣର ଜରିମାନା ଦେବାକୁ ପଡ଼ିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ ଯେ ଦିବ୍ୟାଙ୍ଗ ଏବଂ ମହିଳାମାନଙ୍କ ପାଇଁ ଟ୍ରେନ୍‌ରେ ଥିବା ସ୍ବତନ୍ତ୍ର ସିଟ୍‌ସବୁକୁ ବହୁ ସମୟରେ ଅନ୍ୟ ଯାତ୍ରୀମାନେ ଅକ୍ତିଆର କରୁଥିଲେ। ଏମିତିକି ଦିବ୍ୟାଙ୍ଗ ଓ ମହିଳାମାନଙ୍କୁ ଦେଖିବା ପରେ ବି ସିଟ୍‌ ଛାଡ଼ୁନଥିଲେ ଏବଂ ପ୍ରତିବାଦ କଲେ ଝଗଡ଼ା କରୁଥିଲେ। ଏନେଇ ରେଳ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ ହେଲା। ଏହି ଅଭିଯୋଗକୁ ଗୁରୁତ୍ବର ସହ ନେଇଛି ‌ରେଳ ବିଭାଗ। ତେଣୁ ଆର୍‌ପିଏଫ୍‌କୁ ଏଥିପାଇଁ ରେଳ କର୍ତ୍ତୃପକ୍ଷ ଦାୟିତ୍ବ ଦେଇଛନ୍ତି ଏବଂ କଡ଼ାକଡ଼ି ଯାଞ୍ଚ କରିବାର ନିର୍ଦ୍ଦେଶ ପାଇବା ପରେ ୧୦ ଦିନ ହେଲା ଏହି ସ୍ପେସାଲ୍‌ ଡ୍ରାଇଭ୍‌ ଚାଲିଛି।