ଭୁବନେଶ୍ବରରେ ବାଲିଯାତ୍ରା ନାଁରେ ଉତ୍ସବ ଆୟୋଜନ ଉଦ୍ୟମକୁ ବିରୋଧ, ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକ : ଭୁବନେଶ୍ବରରେ ବାଲିଯାତ୍ରା ନାଁରେ ଉତ୍ସବ ଆୟୋଜନକୁ ବିରୋଧ କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଅଚ୍ୟୁତାନନ୍ଦ ସ୍ବାଇଁଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାରେ ଦର୍ଶାଯାଇଛି ଯେ ବରିମୁଣ୍ଡ, ମଞ୍ଚେଶ୍ବର, ପଟିଆ, ରଘୁନାଥପୁର, କଳାରାହାଙ୍ଗ ଅଞ୍ଚଳର କେତେକ ବ୍ୟକ୍ତି ଭୁବନେଶ୍ବର ବାଲିଯାତ୍ରା ଆୟୋଜନ ପାଇଁ ୨୦୧୭ରେ ଉଦ୍ୟମ କରିଥିଲେ। ଜିଲ୍ଲା ପ୍ରଶାସନ ଏଥି ପାଇଁ ଅନୁମତି ଦେଇ ନଥିଲା। ୨୦୧୮ରେ ଏହି ଅଞ୍ଚଳର କିଛି ବ୍ୟକ୍ତି କିନ୍ତୁ ବରିମୁଣ୍ଡ ମଞ୍ଚେଶ୍ବର ମୌଜାରେ ବେଆଇନ ଭାବେ ବାଲିଯାତ୍ରା ଉତ୍ସବ ଆୟୋଜନ କରିଥିଲେ। ଏଥି ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ଅନୁମତି ଦେଇ ନଥିଲେ ମଧ୍ୟ ସେମାନେ ଉତ୍ସବ ଆୟୋଜନ କରିଥିଲେ। ବେଆଇନ ବାଲିଘାଟ ଚଳାଇବା ପାଇଁ ଏହି ବ୍ୟକ୍ତିମାନେ ଏପରି ଉତ୍ସବ ଆୟୋଜନ କରୁଛନ୍ତି ବୋଲି ଆବେଦନରେ ଦର୍ଶାଯାଇଛି। ଚଳିତ ବର୍ଷ ମଧ୍ୟ ଏପରି ବାଲିଯାତ୍ରା ଉତ୍ସବ ବେଆଇନ ଭାବେ ଆୟୋଜନ ପାଇଁ କେତେକ ବ୍ୟକ୍ତି ଉଦ୍ୟମ ଆରମ୍ଭ କରିଛନ୍ତି। ଏପରି ଆୟୋଜନ ପାଇଁ ଆଖପାଖ ଗ୍ରାମବାସୀଙ୍କ ସହଯୋଗ ନଥିବା ବେଳେ ପ୍ରଶାସନ ମଧ୍ୟ ଏଥି ପାଇଁ ଅନୁମତି ଦେଉ ନାହିଁ। କିନ୍ତୁ ବିନା ଅନୁମତିରେ ଆୟୋଜନ କରାଯାଉଥିବା ଉତ୍ସବକୁ ରୋକିବାକୁ ପ୍ରଶାସନ କିଛି ପଦକ୍ଷେପ ଗ୍ରହଣ କରୁ ନାହିଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ପ୍ରାଶାସନିକ ନିଷ୍କ୍ରିୟତା ବିରୋଧରେ ଦାୟର ଜନସ୍ବାର୍ଥ ମାମଲାରେ ଖୋର୍ଦ୍ଧା ଜିଲ୍ଲାପାଳ, କେନ୍ଦ୍ରାଞ୍ଚଳ ଆରଡିସି, ଭୁବନେଶ୍ବର ତହସିଲଦାର, ରାଜସ୍ବ ସଚିବ, ଭୁବନେଶ୍ବର ଉପଜିଲ୍ଲାପାଳ, ପୁଲିସ କମିସନର ଓ ଡିସିପିଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ବାଇଁ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର