ଭୁବନେଶ୍ବର: ଧୀରେ ଧୀରେ ସାମ୍ନାକୁ ଆସିବାରେ ଲାଗିଛି ଭୁବନେଶ୍ବର ପେଟ୍ରୋଲ୍ ଟାଙ୍କିରେ ଘଟିିଥିବା ବିସ୍ଫୋରଣର ଭୟବହତା। ପ୍ରତ୍ୟେକ୍ଷଦର୍ଶୀମାନଙ୍କ ବିବରଣୀରୁ ସୂଚନା ମିଳିଛି ଯେ ରାଜଧାନୀର ରାଜଭବନ ନିକଟସ୍ଥ ଇଣ୍ଡିଆନ୍ ଅଏଲ୍ ଟାଙ୍କିରେ ଘଟିଥିବା ବିସ୍ଫୋରଣ ପ୍ରଭାବ କେତେ ଭୟଙ୍କର ଥିଲା। ବିସ୍ପୋରଣ ଯୋଗୁଁ ପ୍ରାୟ ୧ କିଲୋମିଟର ଦୂର ପର୍ଯ୍ୟନ୍ତ ଇଟା ଖଣ୍ଡ ଓ କାଚ ଖଣ୍ଡ ବିଛାଡ଼ି ହୋଇ ପଡ଼ିଥିଲା। ବିସ୍ଫୋରଣର ତୀବ୍ରତା ଏତେ ଥିଲା ଯେ ଟାଙ୍କିର ଆଖପାଖ ଅଞ୍ଚଳରେ ଥିବା ଘର କାନ୍ଥ ଭାଙ୍ଗି ଇଟା ଖଣ୍ଡ ସବୁ ବହୁ ଦୂରରକୁ ଛିଟିକି ପଡ଼ିଥିଲା। ପୁଣି କେତେ ଲୋକଙ୍କର ଘରର ଆଜବେଷ୍ଟସ୍ ଓ ଗାଡ଼ି କାଚ ଭାଙ୍ଗି ଯାଇଥିବା ଦେଖାଯାଇଛି। ସେହିପରି ଝରକା କାନ୍ଥରେ ଲାଗିଥିବା କାଚ ଖଣ୍ଡ ଖଣ୍ଡ ହୋଇ ବହୁ ଦୂୂର ପର୍ଯ୍ୟନ୍ତ ଛିଞ୍ଚାଡ଼ି ହେଇ ପଡ଼ିଥିଲା। ଏହା ଦ୍ବାରା ଅନେକ ଆହତ ମଧ୍ୟ ହୋଇଛନ୍ତି। ଦୁର୍ଘଟଣାସ୍ଥଳ ନିକଟସ୍ଥ ଗଙ୍ଗନଗର ଓ ୬ ନମ୍ବର ଅଞ୍ଚଳରେ ଏଭଳି ଘଟଣା ସାମ୍ନାକୁ ଆସିଛି ।
ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ ବର୍ଣ୍ଣନା ଅନୁଯାୟୀ, ପେଟ୍ରୋଲ୍ ଟାଙ୍କିଠାରୁ ଆଖପାଖ ୧ କିଲୋମିଟର ଦୂରରେ ଥିବା କଳା କେନ୍ଦ୍ର ଅନୁଷ୍ଠାନ ନିକଟରେ ରହୁଥିବା ମହିଳାଙ୍କ ଗୋଡ଼ରେ ଗୋଟିଏ ବଡ଼ ଇଟା ଖଣ୍ଡ ବାଜିଥିଲା। ଯାହା ଫଳରେ ସେ ଆହତ ହୋଇଥିଲେ। ସେହିପରି ପେଟ୍ରୋଲ୍ ଟାଙ୍କି ନିକଟସ୍ଥ ବସ୍ତିରେ ରହୁଥିବା ଜଣେ ମହିଳାଙ୍କ କହିବା ଅନୁସାରେ ତାଙ୍କର ଛୋଟ ପୁଅ ବାହାରେ ଖେଳୁଥିବା ସମୟରେ ଆକାଶରୁ ଏକ ଇଟା ଖଣ୍ଡ ଆସି ପଡ଼ିଥିଲା। ଏହାପରେ ବିସ୍ଫୋରଣର ପ୍ରଭାବରେ ଏକ ଲୁହା ଖଣ୍ଡ ଉଡ଼ି ଆସି ତାଙ୍କ ପୁଅର ଶରୀରରେ ବାଜିଥିଲା। ଏହାପରେ ପୁଅର ପ୍ରବଳ ରକ୍ତସ୍ରାବ ହେବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ଅନେକଙ୍କର ହାତରେ ଆଘାତ ଲାଗିଥିବା ବେଳେ କାହାର ନାାକ, ଆଖି ଓ କାନରେ ମଧ୍ୟ ଆଘାତ ଲାଗିଛି।
ସ୍ଥାନୀୟ ଅଧବାସୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ବିସ୍ପୋରଣର ଶବ୍ଦ ପ୍ରଚଣ୍ଡ ଥିଲା। ପେଟ୍ରୋଲ ଟାଙ୍କିକୁ ଲାଗି ରହିଥିବା ଏକ ଆପାର୍ଟମେଣ୍ଟର ଜନୈକ ଅଧିବାସୀ କହନ୍ତି ମୁଁ ଟିଭି ଦେଖୁଥିଲି ହଠାତ୍ ବିରାଟ ଶବ୍ଦ ହେବା ସଙ୍ଗେ ସଙ୍ଗେ ଖଣ୍ଡ ଖଣ୍ଡ କାଚ ଆସି ମୋ ଉପରେ ପଡ଼ିଲା। ମୁଁ ଭାବିଲି ଭୂମିକମ୍ପ ହେଲା। କାଚ ଖଣ୍ଡ ବାଜିବା ଫଳରେ ତାଙ୍କର ମୁଣ୍ଡରେ ଆଘାତ ଲାଗିଛି ବୋଲି ସେ କହିଛନ୍ତି। ପେଟ୍ରୋଲ୍ ପମ୍ପ ପାଖାପାଖି ରହୁଥିବା ଅନେକଙ୍କର ଘରେ କାଚ ଖଣ୍ଡ ମାଡ଼ ହୋଇଛି। ବିଜୁ ଜନତା ଦଳର ନେତା ରୋହିତ ପୂଜାରୀଙ୍କ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ତାଙ୍କ ଘରେ ଲାଗିଥିବା କାଚ ସବୁ ଭାଙ୍ଗି ଗୁଣ୍ଡ ହୋଇଯାଇଛି।
ରାଜଧାନୀ ଭୁବନେଶ୍ବରରେ ଏଭଳି ବିସ୍ଫୋରଣ ପ୍ରଥମ ଥର ପାଇଁ ଘଟିଥିବା କୁହାଯାଉଛି। ଏହି ଅଗ୍ନିିକାଣ୍ଡ ବେଳେ ନିଆଁ ପ୍ରାୟ୨୦/୨୫ ଫୁଟ୍ ଉଚ୍ଚ ପର୍ଯ୍ୟନ୍ତ ଉଠିଥିଲା। ପ୍ରଚଣ୍ଡ ଶବ୍ଦ ଘଟି ସମଗ୍ର ଅଞ୍ଚଳକୁ ଦୋହଲାଇ ଦେଇଥିଲା।