ରେକର୍ଡ ଭାଙ୍ଗିଲା ଭୁବନେଶ୍ବର : ଦେଶର ସବୁଠୁ ଉତ୍ତପ୍ତ ସହର

୩୫ଂ ଉପରେ ୧୩ ସହର

ଭୁବନେଶ୍ବର : ଧୁ ଧୁ ଖରା। ଘରୁ ବାହାରିବା ମୁସ୍କିଲ। ସକାଳ ୧୦ଟାରୁ ଏମିତି ତାତି ଯେ ଦେହ ଜଳିଗଲା ପରି ଲାଗୁଛି। ରାସ୍ତାଘାଟ ବି ଶୂନଶାନ। ବସ୍‌, କାର ଗଡ଼ୁଥିବ ବେଳେ କାଁ ଭାଁ ବାଇକ୍‌ ଦେଖିବାକୁ ମିଳୁଛି। ଚାଲି ଚାଲି ଯିବା ତ ପଥଚାରୀଙ୍କ ପାଇଁ କଷ୍ଟକର ହୋଇପଡ଼ୁଛି। ଭୁବନେଶ୍ବରରେ ଆଜି ମେ’ ମାସର ତାତି ଅନୁଭୂତ ହେଉଛି।

ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ଦିନର ତାପମାତ୍ରା ପ୍ରାୟ ୨.୯ ଡିଗ୍ରି ବଢ଼ିଛି। ଗୁରୁବାର ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୩୬.୩ ଡିଗ୍ରି ଥିବା ବେଳେ ଆଜି ୩୯.୨ ଡିଗ୍ରିରେ ପହଞ୍ଚିଛି। ତାପମାତ୍ରା ଏତେ ବଢ଼ିଛି ଯେ ସାରା ଦେଶର ସର୍ବୋଚ୍ଚ ତାପମାତ୍ରା ଭୁବନେଶ୍ବରରେ ହିଁ ରେକର୍ଡ ହୋଇଛି। ପାଣିପାଗ କେନ୍ଦ୍ରର ତଥ୍ୟ କହୁଛି ୨୦୧୭ରେ ଫେବ୍ରୁଆରି ୨୦ରେ ରାଜଧାନୀର ତାପମାତ୍ରା ୩୬ ଓ ୨୦୧୮ ଫେବ୍ରୁଆରି ୨୫ରେ ୩୮ ଡିଗ୍ରି ରହିଥିଲା। ଭୁବନେଶ୍ବର ସମେତ ମାଲକାନଗିରି ତାପମାତ୍ରା ବି ବଢ଼ିଛି। ଗତକାଲି ମାଲକାନଗିରିରେ ୩୮ ଡିଗ୍ରି ରହିଥିବା ବେଳେ ଆଜି ୩୯.୨ ଡିଗ୍ରି ରେକର୍ଡ କରାଯାଇଛି। ପଶ୍ଚିମ ଓ ଉପକୂଳ ଓଡ଼ିଶାର ଅଧିକାଂଶ ସହରର ତାପମାତ୍ରା ୩୫ ଡିଗ୍ରି ଉପରକୁ ଚାଲିଯାଇଛି। ଫେବ୍ରୁଆରି ମାସ‌ରେ ଭୁବନେଶ୍ବରରେ ଏଭଳି ତାତି ହେବା ଘଟଣା ଗତ ତିନି ବର୍ଷରେ ପ୍ରଥମ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି।

ଶନିବାର ବି ସମାନ ସ୍ଥିତି ଲାଗିରହିବ। ଭୁବନେଶ୍ବର ସମେତ ଅଧିକାଂଶ ସହରର ତାପାମତ୍ରା ୩୫ ଡିଗ୍ରି ଉପରେ ରହିବ। ପୂର୍ବାହ୍ନ ୧୧ଟାରୁ ଅପରାହ୍‌ଣ ୩ଟା ପର୍ଯ୍ୟନ୍ତ ପ୍ରବଳ ଖରା ହେବ। ୨୪ ତାରିଖ ପରେ ତାପମାତ୍ରାରେ ପରିବର୍ତନ ଆସିବ। ପଶ୍ଚିମ, ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାରେ ୨୬ ତାରିଖ ପର୍ଯ୍ୟନ୍ତ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ୨୫ ତାରିଖ ପାଇଁ ଭାରତୀୟ ପାଣିପାଗ କେନ୍ଦ୍ର ଆଲର୍ଟ ଜାରି କରିଛି।

ଓୟୁଏଟି କୁଳପତି ତଥା ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଭୁବନେଶ୍ବର ନିକଟସ୍ଥ ଅଞ୍ଚଳର ବାୟୁର ବେଗ ଅତି କମ୍‌ ତଥା ସ୍ଥିର ରହିଥିବାରୁ ସହରାଞ୍ଚଳରୁ ନିର୍ଗତ ସବୁଜ ଗୃହ ଗ୍ୟାସ୍‌ ତାପମାତ୍ରା ବଢ଼ିବାର ପ୍ରମୁଖ କାରଣ ପାଲଟିଛି। ବହୁତ କମ୍‌ ସମୟରେ ଫେବ୍ରୁଆରିରେ ଭୁବନେଶ୍ବରର ତାପମାତ୍ରା ଏଭଳି ଦେଖିବାକୁ ମିଳିଛି। ସେ ଆହୁରି ଆକଳନ କରିଛନ୍ତି ଯେ ଶନିବାର ମଧ୍ୟ ରାଜ୍ୟରେ ତାପମାତ୍ରା ଅପରିବର୍ତ୍ତିତ ରହିବ। ଭୁବନେଶ୍ବର ତାପାମାତ୍ରା ଗୋଟିଏ ଡିଗ୍ରି ବୃଦ୍ଧି ପାଇ ୪୦ ଡିଗ୍ରି ଟପିଯାଇପାରେ। ହେଲେ ରବିବାର ତାପମାତ୍ରା ସ୍ବାଭାବିକ ସ୍ତରକୁ ଫେରିବ। ୨୫ ତାରିଖଠାରୁ ଭୁବନେଶ୍ବର ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ବିଶେଷ ଭାବେ କମିବ। ୬ରୁ ୭ ଡିଗ୍ରି କମିପା‌ରେ। ଏହାପରେ ସପ୍ତାହକ ପର୍ଯ୍ୟନ୍ତ କୋହଲା ପାଗ ଲାଗିରହିବ। ମାର୍ଚ୍ଚ ୩ରୁ ତାପମାତ୍ରା ପୁଣିଥରେ ବଢ଼ିବ। ସର୍ବନିମ୍ନ ତାପମାତ୍ରା ୨୭ ତାରିଖ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ। ୨୪ ତାରିଖ ଅପରାହ୍‌ଣରୁ ରାଜ୍ୟରେ ପାଗ‌େର ପରିବର୍ତନ ହେବ। ଉପକୂଳ ଅଞ୍ଚଳରେ ଖରାଟିଆ ପାଗ ରହୁଥିବା ବେଳେ ଉତ୍ତର ସୀମାନ୍ତ, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲକା ବର୍ଷା ହୋଇପାରେ। ୨୫ରେ ଖୋର୍ଧା, ପୁରୀ, ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ସ୍ବଳ୍ପ ବର୍ଷା ହୋଇପାରେ।‌ ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ବର୍ଷାର ସମ୍ଭାବନା ରହିଛି। ୨୬ ତାରିଖରେ ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝରରେ ବି ସ୍ବଳ୍ପ ବର୍ଷା ହେବାକୁ ଥିବା ବେଳେ ପଶ୍ଚିମ ଓଡ଼ିଶା ସଂଲଗ୍ନ କେନ୍ଦ୍ରୀୟ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲ୍‌କା ବର୍ଷା ହୋଇପାରେ। ୨୭ ତାରିଖ ଦିନ ସାରା ରାଜ୍ୟରେ ପାଗ ମେଘୁଆ ରହିବା ସହ ଉତ୍ତର ଓଡ଼ିଶାରେ ୧୦ରୁ ୧୫ ମିମି ବର୍ଷା ହେବ। ଏହି ବର୍ଷା‌ ମୁଗ, ବିରି ଓ ପନିପରିବା ଚାଷ ପାଇଁ ଅନୁକୂଳ ରହିବ। କୁଆପଥର ବର୍ଷା ହେଲେ ପନିପରିବା ଉପରେ ପ୍ରଭାବ ପଡ଼ିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର