ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀ : ବିଜେଡି ପ୍ରାର୍ଥୀ ଚୟନ ଉପ‌ରେ ନଜର

ଭୁବନେଶ୍ବର : ନିର୍ବାଚନ ପାଖେଇ ଆସିଲାଣି। କିନ୍ତୁ ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀରେ ଲଢ଼େଇ ଚିତ୍ର ଏ ଯାଏ ସ୍ପଷ୍ଟ ହେଉନି। ବିଜେପି ତା’ର ପ୍ରାର୍ଥୀ ଘୋଷଣା କରିସାରିଥିଲା ବେଳେ ଏଠାରେ ବିଜେଡି ପ୍ରାର୍ଥୀ କିଏ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ବିଜେଡି ବର୍ତ୍ତମାନର ବିଧାୟକଙ୍କୁ ତୃତୀୟ ଥର ପାଇଁ ଭରସା କରିବ ନା ନୂଆ ପ୍ରାର୍ଥୀ ଦେବ ? ଦିନକୁ ଦିନ ଆଶାୟୀଙ୍କ ସଂଖ୍ୟା ବଢ଼ୁଥିଲା ବେଳେ ବିଜେଡି ସୁପ୍ରିମୋ ଏ ଯା‌ଏ ନିଷ୍ପତ୍ତି ଝୁଲାଇ ରଖିଛନ୍ତି।

ରାଜ୍ୟ ରାଜନୀତି‌େର ଭୁବନେଶ୍ବର ବିଧାନସଭା ନିର୍ବାଚନମଣ୍ଡଳୀ ବେଶ୍‌ ଗୁରୁତ୍ବ ବହନ କରୁଛି। ବିଜୁ ପଟ୍ଟନାୟକଙ୍କ ସମୟରୁ ଭୁବନେଶ୍ବର ଅଣକଂଗ୍ରେସ ଦୁର୍ଗ ଭାବେ ପରିଗଣିତ ହୋଇଆସୁଛି। ପ୍ରଥମେ ବିଜୁ ପଟ୍ଟନାୟକ ଏଠାରୁ ପ୍ରତିନିଧିତ୍ବ କରୁଥିଲେ। ବିଜେଡି ଗଠନ ହେଲା ପରେ ବିଜେଡି-ବିଜେପି ମେଣ୍ଟ ଯୋଗୁ ଭୁବନେଶ୍ବର ବିଧାନସଭା ନିର୍ବାଚନମଣ୍ଡଳୀ ବିଜେପି ଭାଗରେ ପଡ଼ିଥିଲା। ୨୦୦୦ ମସିହାରୁ ଲଗାତର ଦୁଇ ଥର ଏଠାରୁ ବିଶ୍ବଭୂଷଣ ହରିଚନ୍ଦନ ବିଜେପିରୁ ପ୍ରତିନିଧିତ୍ବ କ‌େଲ। କିନ୍ତୁ ୨୦୦୯ରେ ‌ମେଣ୍ଟ ଭାଙ୍ଗିବା ସହ ଭୁବନେଶ୍ବର ଭାଗ ଭାଗ ହୋଇ ତିନିଟି ନିର୍ବାଚନମଣ୍ଡଳୀ ହେଲା। ସେବେ ଠାରୁ ତିନିଟି ଯାକ ଆସନରେ ଦୁଇଟି ନିର୍ବାଚନ ହୋଇଛି ଓ ବିଜେଡି ପ୍ରାର୍ଥୀ ହିଁ ବିଜୟ ଲାଭ କରିଛନ୍ତି।

ଏକାମ୍ର ଓ ଉତ୍ତର ନିର୍ବାଚନମଣ୍ଡଳୀରେ କିଛି ଗ୍ରାମାଞ୍ଚଳ ସାମିଲ ହୋଇଥିଲା ବେଳେ ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀରେ କେବଳ ସହରାଞ୍ଚଳ(ବିଏମ୍‌ସି ଅଧୀନସ୍ଥ) ସାମିଲ ହୋଇଛି। ରାଜ୍ୟ ରାଜନୀତି ଦୃଷ୍ଟିକୋଣରୁ ଏହା ସମ୍ବେଦନଶୀଳ ଅଞ୍ଚଳ। ଏଠାରେ ବିଜେଡି ପ୍ରାର୍ଥୀ ଭାବେ ଗତ ଦୁଇଟି ନିର୍ବାଚନମଣ୍ଡଳୀରେ ବିଜୟ ମହାନ୍ତି ବିଜୟ ଲାଭ କରିଥିଲେ। ତୃତୀୟ ଥର ପାଇଁ ସେ ଦଳୀୟ ଟିକେଟ୍ ପାଇବେ ବୋଲି ଆଶା ବାନ୍ଧିଛନ୍ତି। ଯେହେତୁ ତାଙ୍କ ନାମରେ କିଛି ଅଭିଯୋଗ ନାହିଁ ଓ ବସ୍ତି ଅଞ୍ଚଳରେ ତାଙ୍କର ପ୍ରଭାବ ରହିଛି, ତେଣୁ ଦଳୀୟ ନେତୃତ୍ବ ତାଙ୍କ ଉପରେ ଭରସା କରିବେ ବୋଲି ସମର୍ଥକମାନେ ଆଶାବାଦୀ।

ତେବେ ଏଥର ଉତ୍ତର ଓ ମଧ୍ୟ ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ନିଶ୍ଚିତ ବଦଳିବେ ବୋଲି ଦଳୀୟ ମହଲରେ ଜୋର୍‌ଦାର୍ ଚର୍ଚ୍ଚା ଜାରି ରହିଛି। ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ମଧ୍ୟ କିମ୍ବା ଉତ୍ତରରେ ପ୍ରାର୍ଥୀ ‌ଦୌଡ଼ରେ ଆଗରେ ଥିଲେ। କିନ୍ତୁ ତାଙ୍କୁ ବିଡିଏ ଉପାଧ୍ୟକ୍ଷ ଓ ବିଜେଡିର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଗଲା ପରେ ପ୍ରାର୍ଥିତ୍ବ ଚର୍ଚ୍ଚା ଧୀମା ପଡ଼ିଯାଇଛି। ବିଜୁ ଛାତ୍ର ଜନତା ଦଳର ସଭାପତି ରାଣା ପ୍ରତାପ ପାତ୍ର ଏଠାରେ ଅନ୍ୟତମ ଦାବିଦାର ଅଛନ୍ତି। ଅତୀତରେ ଯୁବ ଓ ଛାତ୍ର ଶାଖା ସଭାପତିଙ୍କୁ ପ୍ରାର୍ଥୀ କରାଯିବାର ନଜିର ଥିବାରୁ ଏଥର ମଧ୍ୟ ତାହାର ପୁନରାବୃତ୍ତି ହେବ ବୋଲି କୁହାଯାଉଛି। ତାଙ୍କ ପାଇଁ ମଧ୍ୟ ବିଜେଡିର ଏକ ଶକ୍ତିଶାଳୀ ଗୋଷ୍ଠୀ ଲବି କରୁଛନ୍ତି।

ଭୁବନେଶ୍ବରର ଜଣାଶୁଣା ସମାଜସେବୀ ତଥା ବ୍ୟବସାୟୀ ରୁଦ୍ର ନାରାୟଣ ସାମନ୍ତରାୟ ବିଜେଡି ଟିକେଟ୍‌ ପାଇଁ ଅନ୍ୟତମ ପ୍ରମୁଖ ଦାବିଦାର ଅଛନ୍ତି। ‘ଜୟ ଓଡ଼ିଶା’ ସଂଗଠନ ମାଧ୍ୟମରେ ଶ୍ରୀ ସାମନ୍ତରାୟ ଗତ କିଛି ବର୍ଷ ଧରି ରାଜଧାନୀରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରି ବେଶ୍‌ ଚର୍ଚ୍ଚାକୁ ଆସିଛନ୍ତି। ରାଜଧାନୀର ବିଭିନ୍ନ ଅଞ୍ଚଳରେ ଏହି ଅନୁଷ୍ଠାନ ମାଧ୍ୟମରେ ସେ ନିଜର ପ୍ରଭାବ ଜାହିର କରିଆସୁଛନ୍ତି। ଆସନ୍ତାକାଲି ଶ୍ରୀ ସାମନ୍ତରାୟ ନିଜର ସମର୍ଥକମାନଙ୍କ ସହ ବିଜେଡିରେ ଯୋଗ ଦେଉଥିବା ସୂଚନା ମିଳିଛି। ତେଣୁ ତାଙ୍କ ପ୍ରାର୍ଥିତ୍ବକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ତାଙ୍କ ବାଦ୍ ‘ଉତ୍କଳ ପ୍ରସଙ୍ଗ’ ସମ୍ପାଦକ ଲେନିନ୍ ମହାନ୍ତି, ଯୁବ ନେତା ଦୁର୍ଗା ସାମନ୍ତରାୟ ଓ ବିଜୁ ଛାତ୍ର ଜନତା ଦଳର ପୂର୍ବତନ ଆବାହକ ରଞ୍ଜିତ ମହାପାତ୍ର ପ୍ରମୁଖ ଏଠାରେ ଟିକେଟ୍‌ ପାଇଁ ନିଜ ନିଜ ବାଟରେ ଉଦ୍ୟମ ଜାରି ରଖିଛନ୍ତି।

ବିଜେପି ପ୍ରଥମ ଦଳ ଭାବେ ମଧ୍ୟ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଭାବେ ଜଗନ୍ନାଥ ପ୍ରଧାନଙ୍କ ନାମ ଘୋଷଣା କରିଛି। ତାଙ୍କ ପ୍ରାର୍ଥିତ୍ବକୁ ନେଇ ଦଳ ଭିତରେ କୌଣସି ବିବାଦ ନାହିଁ। ଗତ ଥର ମଧ୍ୟ ଶ୍ରୀ ପ୍ରଧାନ ଏଠାରୁ ପ୍ରାର୍ଥୀ ହୋଇ ଦ୍ବିତୀୟ ସ୍ଥାନରେ ରହିଥିଲେ।

କଂଗ୍ରେସ ବି ଏ ଯାଏ ପ୍ରାର୍ଥୀ ଘୋଷଣା କରି ନାହିଁ। ଗତ ଥରର ପ୍ରାର୍ଥୀ ଥିବା ଶୁଭେନ୍ଦୁ ମହାନ୍ତି ଏଥର ଏଠାରେ ପ୍ରାର୍ଥୀ ଦୌଡ଼ରେ ନାହାନ୍ତି। କଂଗ୍ରେସ ପ୍ରାର୍ଥୀ ଭାବେ ଆର୍ଯ୍ୟ ଜ୍ଞାନେନ୍ଦ୍ରଙ୍କ ନାଁ ଚର୍ଚ୍ଚାର ଆଗରେ ରହିଛି।

ସମ୍ବନ୍ଧିତ ଖବର