ଭୁବନେଶ୍ବର: ରାଜଧାନୀରେ ଠା’କୁଠା ବିଶାଳ କୋଠା ସହିତ ବିଳାସପୂର୍ଣ୍ଣ ଘର। ବ୍ରହ୍ମପୁରରେ ଡ୍ୟୁ‌ପ୍ଲେକ୍‌ସ ଓ ପ୍ରମୁଖ ସ୍ଥାନରେ ପ୍ଲଟ୍‌। ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ବି ପୁଳାପୁଳା ଟଙ୍କା, ବିପୁଳ ସୁନାଗହଣା। ଆଜି ଭିଜିଲାନ୍‌ସ ଜାଲରେ ପଡ଼ିଥିବା ଭୁବନେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତଙ୍କ ସମ୍ପତ୍ତି ଦେଖି ଅଧିକାରୀମାନଙ୍କ ଆଖି ମଧ୍ୟ ଖୋସି ହୋଇଯାଇଛି। ଖାଲି ଏତିକି ନୁ‌ହେଁ, ବାବୁ ବେଶ୍‌ ରଙ୍ଗିନ ମିଜାଜର! ବିଦେଶ ଭ୍ରମଣ ସଉକ ବି କିଛି କମ୍ ନୁହେଁ। ୟୁରୋପ, ସ୍ବିଜର୍‌ଲ୍ୟାଣ୍ଡ ଆଦି ଭ୍ରମଣ କରି ସେ ଲକ୍ଷ ଲକ୍ଷ ଟଙ୍କା ଉଡ଼ାଇଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ୭ଟି ଟିମ୍‌ ଆଜି ତାଙ୍କର ରାଜଧାନୀର ସରକାରୀ କାର୍ଯ୍ୟାଳୟ, ୟୁନିଟ୍‌-୩ ସ୍ଥିତ ସରକାରୀ ଆବାସିକ ସମେତ ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ବ୍ରହ୍ମପୁରସ୍ଥିତ ପୈତୃକ ଘର ଆଦି ୭ଟି ସ୍ଥାନରେ ଚଢ଼ଉ କରି ବିପୁଳ ସମ୍ପତ୍ତି ଠାବ କରିଛନ୍ତି। ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢ଼ଉ କରାଯାଇଛି।

Advertisment

ଚଢ଼ଉ ବେଳେ ଭୁବନେଶ୍ୱର ପାଣ୍ଡରା ଅଞ୍ଚଳରେ ୪,୮୦୦ ବର୍ଗଫୁଟ୍‌ରେ ନିର୍ମିତ ୩ମହଲା ଆବାସିକ କୋଠା,‌ ଚନ୍ଦ୍ରଶେଖରପୁର ଅଞ୍ଚଳରେ ୨ମହଲା କୋଠା, ଲକ୍ଷ୍ମୀସାଗର ନୀଳାଚଳ ସିଟିରେ ଆପାର୍ଟମେଣ୍ଟ, ବ୍ରହ୍ମପୁର ନୀଳାଚଳ ହାଇଟସ୍‌ରେ ଆପାର୍ଟମେଣ୍ଟ ଆଦି ଠାବ କରାଯାଇଛି। ଜବତ କୋଠା, କମ୍ପ୍ଲେକ୍ସ ଓ ଆପାର୍ଟମେଣ୍ଟର ମୂଲ୍ୟ ୩ କୋଟିରୁ ଊର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଇଛି। ସେହିପରି ଭୁବନେଶ୍ବର ଓ ବ୍ରହ୍ମପୁରର ପ୍ରମୁଖ ଅଞ୍ଚଳରେ ୫ଟି ପ୍ଲଟ୍‌ ମଧ୍ୟ ଠାବ ହୋଇଛି। ଏହାର ପ୍ରକୃତ ମୂଲ୍ୟ ୨ କୋଟିରୁ ଊର୍ଦ୍ଧ୍ବ ହେବ ବୋଲି ଭିଜିଲାନ୍ସ ଆକଳନ କରିଛି।

ଏହାଛଡ଼ା ତାଙ୍କର ବିଭିନ୍ନ ବ୍ୟାଙ୍କ୍‌ରେ ଥିବା ଏକାଧିକ ଆକାଉଣ୍ଟ୍‌ ଓ ଇନ୍‌ସ୍ୟୁରାନ୍ସ ଜମାକୁ ଠାବ କରାଯାଇଛି।‌ ସେଥିରେ ଦେଢ଼କୋଟିରୁ ଅଧିକ ଟଙ୍କା ଥିବା ଜଣାପଡ଼ିଛି। ଘରୁ ନଗଦ ୧ଲକ୍ଷ ୨୧ହଜାର ଟଙ୍କା, ୫୩୬ ଗ୍ରାମ୍‌ର ସୁନା ଗହଣା, ୨୦.୫ଲକ୍ଷ ଟଙ୍କାର ଆସବାବପତ୍ର ମଧ୍ୟ ଜବତ କରାଯାଇଛି। ଗୋଟିଏ ୪ ଚକିଆ ଯାନ ଓ ୨ଟି ବାଇକ୍‌ ଠା‌ବ ହୋଇଛି। ଠାବ ହୋଇଥିବା ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୭ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ବାବୁଙ୍କର ଆୟ ବହିର୍ଭୂତ ସମ୍ପତ୍ତି ଆହୁରି ଢେର୍‌ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ୮ଜଣ ଡିଏସ୍‌ପିଙ୍କ ନେତୃତ୍ବରେ ୫ଜଣ ଆଇଆଇସି ଓ ଅନ୍ୟ କର୍ମଚ‌ାରୀମାନେ ୭ଟି ସ୍ଥାନରେ ଆଜି ଏହି ଚଢ଼ଉ କରିଥିଲେ।