ରାଜ୍ୟରେ ପର୍ଯ୍ୟଟନ ବିଭାଗ ଅଛି ବୋଲି ଜଣାପଡ଼ୁନି। ଆଗରୁ ବାରମ୍ବାର ସଚିବ ଓ ନିର୍ଦ୍ଦେଶକ ବଦଳୁଥିବାରୁ ବିଭାଗଟି ସବୁବେଳେ ଅସ୍ଥିର ରହୁଥିଲା। କିନ୍ତୁ ଏବେ ସଚିବ ଓ ନିର୍ଦ୍ଦେଶକ ସ୍ଥିର ଥିଲେ ବି ବିଭାଗ କୋଉ କାମକୁ ନୁହେଁ। ଏହି ବିଭାଗ ସାରା ରାଜ୍ୟରେ କି ପର୍ଯ୍ୟଟନ ଭିତ୍ତିଭୂମି ତିଆରି କରୁଛି, ତାହା ତ ପର କଥା। ଖୋଦ୍ ରାଜଧାନୀରେ ‌ପର୍ଯ୍ୟଟନ ବିଭାଗର ଅସ୍ତିତ୍ବ ହିଁ ନାହିଁ କହିଲେ ଚଳେ। ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ଭୁବନେଶ୍ବର ଏକ ପର୍ଯ୍ୟଟନସ୍ଥଳୀ। କିନ୍ତୁ ଏହି ସହର ପାଇଁ ବିଭାଗର କିଛି ଯୋଜନା ନାହିଁ।

Advertisment

publive-image

ବିଭାଗର ଗୋଟିଏ ବଡ଼ ଅବଦାନ ଥିଲା ବିନ୍ଦୁସାଗରରେ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ସୋ’। ଏକାମ୍ର ବିଧାୟକ ଅଶୋକ ପଣ୍ଡା ଏହି ବିଭାଗର ମନ୍ତ୍ରୀ ଥିଲା ବେଳେ ପ୍ରକଳ୍ପଟି କରିଦେଇଥିଲେ। କିନ୍ତୁ ଏବେ ପର୍ଯ୍ୟଟନ ବିଭାଗ ଇଲେକ୍ଟ୍ରି ବିଲ୍‌ ଦେଉ ନଥିବାରୁ ଦୁଇ ଦୁଇ ଥର ଲାଇନ୍‌ କଟାହେଲାଣି। ସରକାର ଏକାମ୍ର ପାଇଁ ବଡ଼ ବଡ଼ ଯୋଜନା କରୁଥିଲା ବେଳେ ପର୍ଯ୍ୟଟନ ବିଭାଗ ଚରମ ଅବହେଳା କରି ସରକାରଙ୍କ ନାକ କାଟିଦେଉଛି। ଏହା ବାଦ୍ ସହରର ଆଉ କୌଣସି ସ୍ଥାନରେ ବିଭାଗର ସ୍ଥିତି ଜଣାପଡ଼ୁନି। ଏହି ବିଭାଗର ମନ୍ତ୍ରୀ, ସଚିବ, ନିର୍ଦ୍ଦେଶକ ଏତେ ବିଦେଶ ବୁଲୁଛନ୍ତି। କିନ୍ତୁ ରାଜ୍ୟର ରାଜଧାନୀ ପାଇଁ ବଡ଼ ଯୋଜନା କେମିତି କରିପାରୁନାହାନ୍ତି, ତାହା ବୁଝାପଡ଼ୁ ନାହିଁ। କେବଳ ଇକୋ ରିଟ୍ରିଟ୍‌ କରି ସିଜିନାଲ୍‌ ଟେଣ୍ଟ୍‌ ପକାଇଲେ ବିଭାଗ ଏକ ଇଭେଣ୍ଟ୍‌ ମ୍ୟାନେଜ୍‌ମେଣ୍ଟ୍‌ ସଂସ୍ଥା ସିନା ହେବ, କିନ୍ତୁ ରାଜ୍ୟର କିଛି ଲାଭ ହେବନି।

-ଅମିତାଭ