ଦୂରଦର୍ଶନକୁ ବୁଡ଼େଇଦେବେ

ଭୁବନେଶ୍ୱର : ନମସ୍କାର, ଆଜିର ମୁଖ୍ୟ ସମାଚାର। ଦୂରଦର୍ଶନର ମନଛୁଆଁ ମୋଣ୍ଟେଜ୍‌ ସରୁସରୁ ଆରମ୍ଭ ହେଉଥିବା ସମାଚାର ଦର୍ଶକଙ୍କୁ ଟିଭି ପରଦା ଆଗରେ ଅଟକାଇ ଦେଉଥିଲା। ୭ଟା ନବାଜୁଣୁ ଲକ୍ଷଲକ୍ଷ ଲୋକ କାନ ଡେରି ବସି ଯାଉଥିଲେ। ଟିଭି ଉପରୁ ନଜର ହଟୁ ନଥିଲା। ଯେମିତି ଦୂରଦର୍ଶନର ଖବର ଥିଲା ବେଦର ଗାର। ଖବରର ଏକମାତ୍ର ବିଶ୍ୱସନୀୟ ମାଧ୍ୟମ। କିନ୍ତୁ ଆଜି ଡିଡି ଓଡ଼ିଆ ଖବର ପ୍ରସାରଣର ଦୌଡ଼ରେ ଅନ୍ୟ ଘରୋଇ ନ୍ୟୁଜ୍‌ ଚ୍ୟାନେଲ୍‌ଗୁଡ଼ିକଠାରୁ ବହୁ ପଛରେ। ଏହାର କାରଣ ସାଟେଲାଇଟ୍‌ ନୁହେଁ, ବରଂ ଓଡ଼ିଶାର ଦୂରଦର୍ଶନ ଦାୟିତ୍ୱରେ ଥିବା କର୍ତୃପକ୍ଷଙ୍କ ଆନ୍ତରିକତାର ଅଭାବ। ମୋଟା ଅଙ୍କର ଦରମା ପାଉଥିବା ଦୂରଦର୍ଶନ କର୍ତୃପକ୍ଷଙ୍କର ଯେମିତି ଏଥିପ୍ରତି ନିଘା ନାହିଁ।

ସମାଚାର ପ୍ରସାରଣ ସମୟ ସୀମାକୁ ପରିବର୍ତନ କରିବା ସହ ସମୟ ବ୍ୟବଧାନକୁ ବଢ଼ାଇବାକୁ ମାର୍ଚ ମାସରୁ ଚିଠି ଆସିଲାଣି। ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଘଣ୍ଟାଏ ଅନ୍ତରରେ ୩୦ ମିନିଟ୍‌ ଏବଂ ୫ ମିନିଟ୍‌ ଲେଖାଏଁ ଖବର ପ୍ରସାରଣ କରିବା ନେଇ ଚିଠି କରାଯାଇଛି। ଟଙ୍କା ବି ମଞ୍ଜୁର ହୋଇଛି। ମାତ୍ର ‘ଆପେ ବଞ୍ଚିଲେ ବାପର ନାଁ’ ନ୍ୟାୟରେ ସମାଚାର ଚିରାଚରିତ ଭାବେ ଚାଲିଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଧନ ସିଂହ ରାଠୋର୍‌ ଓଡ଼ିଶା ଆସିଥିବା ବେଳେ ଦୂରଦର୍ଶନକୁ ଯାଇ ଏ ସମ୍ପର୍କରେ କାର୍ଯ୍ୟ ତ୍ୱରାନ୍ଵିତ କରିବାକୁ କହିଥିଲେ। କର୍ତୃପକ୍ଷ ବି ହଁ ଭରିଥିଲେ। ତଥାପି ମନମୁଖୀ କାର୍ଯ୍ୟଧାରାକୁ ବଦଳାଇଲେ ନାହିଁ।

କୋଲକାତା, ଗୌହାଟି, ପାଟ୍‌ନା, ଇମ୍ଫାଲ୍‌ ଏବଂ ଅନ୍ୟ ଦୂରଦର୍ଶନରେ ସମ୍ବାଦ ପରିବେଷଣର ସମୟ ୩୦ ମିନିଟ୍‌ ହୋଇଥିଲେ ସୁଦ୍ଧା ଡିଡି ଓଡ଼ିଆରେ ଏହା ୧୫ ମିନିଟ୍‌ରେ ସୀମିତ। ତାହା ବି ପ୍ରାଇମ୍‌ ଟାଇମ୍‌ରେ ନୁହେଁ। ଅନ୍ୟ ସ୍ଥାନରେ ସନ୍ଧ୍ୟା ୭ଟାରେ ସମ୍ବାଦ ପରିବେଷଣ ହେଉଥିବା ବେଳେ ଏଠାରେ ସାଢ଼େ ୬ଟାରୁ ୬ଟା ୪୫ ପର୍ଯ୍ୟନ୍ତ ସମ୍ବାଦ ପରିବେଷଣ ହେଉଛି। ସେହିପରି ସକାଳେ ୮ଟାରୁ ୮ଟା ୧୫ ଖବର ପ୍ରସାରିତ ହେଉଛି। ଏହାବ୍ୟତୀତ ଅପରାହ୍‌ଣ ୩ଟା ଏବଂ ୫ଟାରେ ଅନ୍ୟ ରାଜ୍ୟରେ ୫ ମିନିଟ୍‌ ଲେଖାଏଁ ସମ୍ବାଦ ପ୍ରସାରଣ ହେଉଥିବା ବେଳେ ଓଡ଼ିଶାରେ ଏବେ ବି ଏହା ୨ ମିନିଟ୍‌ରେ ସୀମିତ ଅଛି। ସବୁଠୁ ବଡ଼ କଥା ହେଉଛି ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଘଣ୍ଟାଏ ଅନ୍ତରରେ ୩୦ ମିନିଟ୍‌ ଓ ୫ ମିନିଟ୍‌ ଲେଖାଏଁ ସମ୍ବାଦ ପରିବେଷଣ କରାଯିବା କେନ୍ଦ୍ର ନିର୍ଦେଶ ଦେଇଛି। ଅଥଚ ଡିଡି ଓଡ଼ିଆ ପକ୍ଷରୁ ତତ୍ପରତା ପ୍ରକାଶ ପାଇନାହିଁ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଡିଡି ଓଡ଼ିଆରେ ଏବେ ପ୍ରସାରିତ ହେଉଥିବା ଖବର ପାଇଁ ଦିନକର ଖର୍ଚ (ସମସ୍ତ କର୍ତୃପକ୍ଷ ଓ ଠିକା ଭିତ୍ତିକ କର୍ମଚାରୀ ପାଉଥିବା ପାରିଶ୍ରମିକକୁ ଆକଳନ କଲେ) ୨ଲକ୍ଷ ଛୁଇଁବ। ଏଇ ତୁଳନାରେ ଘରୋଇ ଚ୍ୟାନେଲ୍‌ରେ ଏତିକି ଟଙ୍କା ବ୍ୟୟ ହେଉ ନଥିଲେ ହେଁ ଘରୋଇ ଚ୍ୟାନେଲ୍‌ ଟିଆର୍‌ପିର ଶୀର୍ଷରେ ରହିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପର୍ଯ୍ୟାପ୍ତ ଟଙ୍କା ଖର୍ଚ କରି ଡିଡି ଓଡ଼ିଆକୁ ଚଳଚଞ୍ଚଳ କରିବାକୁ ପଦକ୍ଷେପ ନେଇଥିଲେ ହେଁ ଏଯାଏଁ କର୍ତୃପକ୍ଷଙ୍କ ନିଦ ଭାଙ୍ଗୁନାହିଁ। ଖାଲି ସେତିକି ନୁହେଁ ନିକଟରେ ୧୫ ମିନିଟ୍‌ର ଖବର ପ୍ରସାରଣ ମଧ୍ୟରେ ଜଣେ ବରିଷ୍ଠ ଅଭିନେତାଙ୍କ ଶ୍ରାଦ୍ଧ ବାର୍ଷିକୀର ସମ୍ବାଦ ୪ ମିନିଟ୍‌ ଧରି ପ୍ରସାରିତ ହୋଇଥିଲା କିନ୍ତୁ ସେହିଦିନର ଅନେକ ଗୁରୁତ୍ୱପୂର୍ଣ୍ଣ ସମ୍ବାଦ ଦିଆଯାଇ ନଥିଲା। ଯଦିଓ ଦୂରଦର୍ଶନ ଲୋକଙ୍କୁ ସୂଚନା ଦେବାକୁ ସୃଷ୍ଟି ହୋଇଥିଲା, କିନ୍ତୁ ଏହି ଚ୍ୟାନେଲ୍‌ ଅତୀତରେ ବିଜ୍ଞାପନରୁ ଭଲ ଆୟ ମଧ୍ୟ କରୁଥିଲା। କିନ୍ତୁ ପାରମ୍ପରିକ ଧାରାକୁ ଜାବୁଡ଼ି ଧରିବା ଏବଂ ସାଧନ ଥାଇ ମଧ୍ୟ ଘରୋଇ ଚ୍ୟାନେଲ୍‌ ଭଳି ଚଳଚଞ୍ଚଳ କରିବାର ମାନସିକତା ନଥିବାରୁ ଦୂରଦର୍ଶନ ଏକରକମ ବୁଡ଼ିବାକୁ ବସିଛି। ଲକ୍ଷାଧିକ ଟଙ୍କା ବ୍ୟୟ ହେଉଥିଲେ ବି ଦୂରଦର୍ଶନ ପୁଣି ଲୋକଙ୍କ ଆସ୍ଥା ଜିତିବାକୁ ସକ୍ଷମ ହୋଇପାରିନାହିଁ।

ସମ୍ବନ୍ଧିତ ଖବର