ଭୁବନେଶ୍ବର: ଜନସ୍ବାର୍ଥ ମାମଲା ପ୍ରତ୍ୟାହାର କରିବା ପାଇଁ ପଶ୍ଚିମବଙ୍ଗର ଜଣେ ବ୍ୟବସାୟୀଙ୍କଠାରୁ ୫୦ଲକ୍ଷ ଟଙ୍କା ବଟି ନେବା ଘଟଣାରେ କୋଲ୍କାତା ପୁଲିସର ଗୁଇନ୍ଦା ବିଭାଗ (ଡିଡି) ଝାଡ଼ଖଣ୍ଡର ଜଣେ ଆଇନଜୀବୀଙ୍କୁ ଗିରଫ କରିଛି। ସେ ହେଲେ, ରାଜୀବ କୁମାର। ରାଜୀବଙ୍କ ହ୍ବାଟ୍ସଆପ୍ ଚାଟ୍ ଓ ଫୋନ୍ କଲ୍-ଡିଟେଲ୍ସ ତର୍ଜମା କରିବା ପରେ ଜଣାପଡ଼ିଥିଲା ଯେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଭୁବନେଶ୍ବର ଜୋନ୍ର ଉପନିର୍ଦ୍ଦେଶକ ସୁବୋଧ କୁମାରଙ୍କ ସହ ସେ ନିୟମିତ କଥାବାର୍ତ୍ତା ହେଉଥିଲେ। ତେଣୁ ସୁବୋଧଙ୍କୁ ହାଜର ହେବା ପାଇଁ କୋଲକତା ପୁଲିସ ସୋମବାର ତାଙ୍କୁ ନୋଟିସ୍ କରିଥିଲା। କିନ୍ତୁ ସୁବୋଧ ହାଜର ନ ହେବାରୁ କୋଲକାତା ଗୁଇନ୍ଦା ବିଭାଗର ୨ଜଣିଆ ଟିମ୍ ଆଜି ଇଡି କାର୍ଯ୍ୟାଳୟରେ ପହଞ୍ଚିଛି। ତେବେ ସୁବୋଧ ଗତ ଶୁକ୍ରବାରରୁ ଛୁଟିରେ ଥିବା ଜଣାପଡ଼ିଛି। ତେଣୁ ସେ କୋଲକତା ପୁଲିସ ସହ ଅନ୍ୟ କୌଣସି ଦିନ କଥା ହେବେ ବୋଲି କହିଛନ୍ତି।
ସୂଚନାନୁସାରେ, ଗିରଫ ଆଇନଜୀବୀ ରାଜୀବ କୁମାର କୋଲ୍କାତାର ବ୍ୟବସାୟୀ ଅମିତ ଅଗ୍ରଵାଲଙ୍କ ନାଁରେ ଝାଡ଼ଖଣ୍ଡ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର୍ କରିଥିଲେ। ମାମଲା ପ୍ରତ୍ୟାହାର ପାଇଁ ସେ ଅମିତଙ୍କୁ ୧୦କୋଟି ଟଙ୍କା ବଟି ମାଗିଥିଲେ। ମୂଲଚାଲ ପରେ କୋଟିଏ ଟଙ୍କାରେ କଥା ଛିଣ୍ଡିଥିଲା। ଏହି ୧ କୋଟି ଟଙ୍କା ସେ ପର୍ଯ୍ୟାୟକ୍ରମେ ରାଜୀବଙ୍କୁ ଦେଇଥାଆନ୍ତେ। ଗତ ୩୧ ଜୁଲାଇରେ କୋଲ୍କାତାସ୍ଥିତ ଏକ ସପିଂ ମଲ୍କୁ ରାଜୀବ ଟଙ୍କା ନେବାକୁ ଆସିଥିଲେ। ସେଠାରେ ଅମିତ ତାଙ୍କୁ ୫୦ ଲକ୍ଷ ଟଙ୍କାର ଏକ କଳା ବ୍ୟାଗ୍ ଦେବା ବେଳେ ପୂର୍ବରୁ ଲୁଚି ରହିଥିବା କୋଲକାତା ପୁଲିସର ଏକ ଟିମ୍ ତାଙ୍କୁ କାବୁ କରିନେଇଥିଲା।
ତଦନ୍ତ ବେଳେ ପୁଲିସ୍ ଜାଣିବାକୁ ପାଇଥିଲା ଯେ ରାଜୀବ ଜନସ୍ବାର୍ଥ ମାମଲାର ଭୟ ଦେଖାଇ ପ୍ରତିପତ୍ତିଶାଳୀ ଲୋକଙ୍କଠାରୁ ବଟି ନେଉଛନ୍ତି। ଝାଡ଼ଖଣ୍ଡ ହାଇକୋର୍ଟରେ ଏହିଭଳି ୮୦୦ରୁ ଅଧିକ ଜନସ୍ବାର୍ଥ ମାମଲା ସେ ଦାୟର୍ କରିଛନ୍ତି। ଏକଥା ଜାଣିବା ପରେ କୋଲକାତା ପୁଲିସ୍ ତାଙ୍କ ବାସଭବନ ସମେତ ଏକାଧିକ ସ୍ଥାନରେ ଚଢ଼ଉ କରିଥିଲା। ପୁଲିସ୍ ତାଙ୍କର ୧୬ଟି ଫ୍ଲାଟ୍, ୭ ଏକରର ଫାର୍ମ ହାଉସ୍, ୩ ମହଲା ବିଶିଷ୍ଟ ଏକ କୋଠା ଠାବ କରିଥିଲା। ଏହାସହ ପୁଲିସକୁ ଏକ କଳା ଡାଏରି ବି ମିଳିଛି। ଉକ୍ତ ଡାଏରିରେ ବିଭିନ୍ନ ଶିଳ୍ପପତି, ବ୍ୟବସାୟୀ ଓ ରାଜନେତାଙ୍କ ସହିତ ହୋଇଥିବା ଟଙ୍କା କାରବାରର ପୂରା ଚିଠା ଥିବା ଜଣାଯାଇଛି। ଖାଲି ସେତିକି ନୁହେଁ, ବିଭିନ୍ନ ସରକାରୀ ସଂସ୍ଥାର ଅଧିକାରୀଙ୍କ ସହ ମଧ୍ୟ ରାଜୀବ ନିୟମିତ ସଂପର୍କରେ ରହୁଥିବା ଜଣାପଡ଼ିଛି। ଏହିକ୍ରମରେ ଭୁବନେଶ୍ବର ଇଡିର ଉପନିର୍ଦ୍ଦେଶକ ସୁବୋଧ କୁମାରଙ୍କ ସହ ବି ତା’ର ସଂପର୍କ ଥିଲା। ତେଣୁ କୋଲକାତା ପୁଲିସ୍ ତାଙ୍କୁ ନୋଟିସ୍ କରିଛି। ଉଲ୍ଲେଖଯୋଗ୍ୟ ଯେ ୨୦୧୬ରୁ ୨୦୨୨ ଜୁନ୍ ପର୍ଯ୍ୟନ୍ତ ସୁବୋଧ ରାଞ୍ଚିରେ ଇଡିର ଉପନିର୍ଦ୍ଦେଶକ ପଦରେ ଅଧିଷ୍ଠିତ ଥିଲେ। ନିକଟରେ ତାଙ୍କର ଭୁବନେଶ୍ବର ଜୋନ୍କୁ ବଦଳି ହୋଇଛି।