ବିଶ୍ବ ଐତିହ୍ୟ ସହର ହୋଇପାରିଲାନି ଭୁବନେଶ୍ବର : ୨୦୧୪ରୁ ଅସ୍ଥାୟୀ ତାଲିକାରେ ଥିଲା, ୨୦୧୭ରେ କଟିଗଲା

ଡୋସିଅର୍ ପ୍ରସ୍ତୁତ କରିପାରିଲେନି ରାଜ୍ୟ ସରକାର

ଭୁବନେଶ୍ବର, (ବିଶ୍ବଜିତ ଦାଶ): ୫ ବର୍ଷ ତଳେ ରାଜ୍ୟ ସରକାର ଏକାମ୍ର କ୍ଷେତ୍ର ଭୁବନେଶ୍ବରକୁ ୟ‌ୁନେ‌େସ୍କା ବିଶ୍ବ ଐତିହ୍ୟ ସହର ମାନ୍ୟତା ତାଲିକାରେ ସାମିଲ୍‌ କରିବା ପାଇଁ ଜୋରଦାର୍ ପ୍ରସ୍ତୁତି କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଏହା ହୋଇପାରିଲାନି। ମନ୍ଦିରମାଳିନୀ ସହର ଭୁବନେଶ୍ବର ୨୦୧୪ରେ ୟୁନେସ୍କୋର ସାମୟିକ ବିଶ୍ବ ଐତିହ୍ୟ ସହର ତାଲିକାରେ ଥିଲେ ହେଁ ଏହାପରେ ଆବଶ୍ୟକ ‘ଡୋସିଅର୍’ ପ୍ରସ୍ତୁତ କରିବାରେ ରାଜ୍ୟ ସରକାର ଫେଲ୍‌ ମାରିବାରୁ ଭୁବନେଶ୍ବରକୁ ବିଶ୍ବ ଐତିହ୍ୟ ସହର ମାନ୍ୟତା ମିଳିପାରିଲାନି। ଏପରିକି ୨୦୧୭ରେ ପାଇଥିବା ସାମୟିକ ବିଶ୍ବ ଐତିହ୍ୟ ସହର ମାନ୍ୟତା ମଧ୍ୟ କଟିଯାଇଛି। ଶ୍ରୀକ୍ଷେତ୍ର ପାଇଁ ଏତେ ଚିନ୍ତା କରୁଥିବା ରାଜ୍ୟ ସରକାର ଭୁବନେଶ୍ବରକୁ କାହିଁକି ବିଶ୍ବ ଐତିହ୍ୟ ସହର କରିପାରିଲେନି ତାହା ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

୨୦୧୪ରେ ସଂସ୍କୃତି ବିଭାଗ ପକ୍ଷରୁ ଭୁବନେଶ୍ବରକୁ ବିଶ୍ବ ଐତିହ୍ୟ ସହର ମାନ୍ୟତା ଦେବା ପାଇଁ ଏକାମ୍ର କ୍ଷେତ୍ର ନାମରେ ଏକ ରିପୋର୍ଟ ପ୍ରସ୍ତୁତ ହୋଇଥିଲା। ଏଥିରେ ପୁରୁଣା ଭୁବନେଶ୍ବର ଅଞ୍ଚଳରେ ଥିବା ୧୯୯ଟି ଐତିହ୍ୟସ୍ଥଳୀ, ଏଏସ୍ଆଇ ସଂରକ୍ଷିତ ୨୩ଟି କୀର୍ତ୍ତିରାଜି, ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ସଂରକ୍ଷିତ ୧୧ଟି କୀର୍ତ୍ତିରାଜି ଥିଲା। ଏହା ଭିତରେ ପୁରୁଣା ଭୁବନେଶ୍ବର ଅଞ୍ଚଳରେ ଥିବା ମନ୍ଦିର, ମଠ, ପୁଷ୍କରିଣୀ, କୋଠା ଆଦି ଥିଲା। ଏହିଭଳି ତାଲିକା, ବିବରଣୀ ପ୍ରସ୍ତୁତ କରି ଆମ ଦେଶରେ ଥିବା ୟୁନେସ୍କୋର ବିଶ୍ବ ଐତିହ୍ୟ କମିଟି ପ୍ରତିନିଧିଙ୍କ ଆଗରେ ସଂସ୍କୃତି ବିଭାଗର ତତ୍କାଳୀନ ସଚିବ ଅରବିନ୍ଦ ପାଢ଼ୀଙ୍କ ନେତୃତ୍ବରେ ଏକ ଟିମ୍ ସବୁ ରିପୋର୍ଟ ଉପସ୍ଥାପନ କରିଥିଲେ। କୋଲକତାରେ ବସିଥିବା ଏହି ବୈଠକରେ ଭୁବନେଶ୍ବରକୁ ସାମୟିକ ବିଶ୍ବ ଐତିହ୍ୟ ସହର ତାଲିକାରେ ସାମିଲ୍‌ କରିବାକୁ ୟୁନେସ୍କୋ ପ୍ରତିନିଧି ପ୍ରତିଶ୍ରୁତି ଦେବା ସହ ଖୁବ୍‌ ଶୀଘ୍ର ସଂପୂର୍ଣ୍ଣ ଭୁବନେଶ୍ବରକୁ ନେଇ ଏକ ଡୋସିଅର୍ ପ୍ରସ୍ତୁତ କରିବାକୁ କହିଥିଲେ।

ଏହି ବୈଠକ ପରେ ଭୁବନେଶ୍ବର ସାମୟିକ ବିଶ୍ବ ଐତିହ୍ୟ ସହର ତାଲିକାରେ ସ୍ଥାନ ପାଇଗଲା। କିନ୍ତୁ ରାଜ୍ୟ ସରକାର ଡୋସିଅର୍ ପ୍ରସ୍ତୁତ କରିପାରିଲେନି। କାହିଁକି ପ୍ରସ୍ତୁତ ହୋଇପାରିଲାନି ସେନେଇ ରାଜ୍ୟ ସରକାରଙ୍କର କୌଣସି ଅଧିକାରୀ ଉତ୍ତର ଦେଇପାରୁନାହାନ୍ତି। କିନ୍ତୁ ଜାଣିବାକୁ ମିଳିଛି ଯେ, ସଂସ୍କୃତି ବିଭାଗ ଡୋସିଅର୍ ପ୍ରସ୍ତୁତ ପାଇଁ ଏକ କନସଲଟାଣ୍ଟ ନି‌େୟାଜିତ କରି ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଛଘୁଞ୍ଚା ଦେଲା। ଏପରିକି ୩/୪ଟି ସଂସ୍ଥା ଡୋସିଅର୍ ପ୍ରସ୍ତୁତ କରିବାକୁ ଆବେଦନ କରିଥିଲେ। ଏ ନେଇ ସେତେବେଳେ କିଛି ଫାଇଲ୍‌ ଆଗକୁ ବଢ଼ିଥିଲା। ଏପରିକି ରାଜ୍ୟ ସରକାର ଦିଲ୍ଲୀ ସ୍ଥିତ ସ୍କୁଲ ଅଫ୍ ପ୍ଲାନିଂ ଆଣ୍ଡ ଆର୍କିଟେକଚର୍‌କୁ ଏହାର ରିପୋର୍ଟ ପ୍ରସ୍ତୁତି ଲାଗି ଦାୟିତ୍ବ ଦେବାକୁ ଚାହୁଁଥିଲେ। କିନ୍ତୁ ସେମାନେ ରାଜି ହୋଇନଥିଲେ। ଏହାପରେ ଅଦୃଶ୍ୟ କାରଣ ଯୋଗୁଁ ସବୁ ଯୋଜନା ବନ୍ଦ ହୋଇଗଲା।

କେବଳ ଏତିକି ନୁହେଁ, ସ୍ମାର୍ଟ ସିଟି ଆବେଦନ ପ୍ରତିଯୋଗିତା ପାଇଁ ଯେଉଁ ଡିପିଆର୍ ପ୍ରସ୍ତୁତ ହୋଇଥିଲା ସେଥିରେ ଏକାମ୍ର କ୍ଷେତ୍ରକୁ ଏକ ବିଶ୍ବ ଐତିହ୍ୟ ସହର ଭାବେ ଗଢ଼ି ତୋଳିବାର ଯୋଜନା ଥିବା ଉଲ୍ଲେଖ କରାଯାଇଥିଲା। କିପରି କାର୍ଯ୍ୟ ହେବ ତା’ର ରିପୋର୍ଟ ବି ଦିଆଯାଇଥିଲା। ଭୁବନେଶ୍ବର ସ୍ମାର୍ଟ ସିଟି ପ୍ରତିଯୋଗିତାରେ ଏକ ନମ୍ବର ସ୍ଥାନ ହାସଲ କରିବା ପରେ ବିଡିଏରେ ଏକ ହେରିଟେଜ୍ ସେଲ୍‌ ଖୋଲି ପୁରୁଣା ଭୁବନେଶ୍ବର ଅଞ୍ଚଳରେ କିଛି କିଛି କାମ ହୋଇଥିଲା। ହେଲେ ସବୁ ସମୁଦ୍ରକୁ ଶଙ୍ଖେ ଭଳି। ହକି ବିଶ୍ବକପ୍‌କୁ ନଜରରେ ରଖି କିଛି କାମ ହେଲା, ତାପରେ ସବୁ ଭୁଲିଗଲେ।

ସମ୍ବନ୍ଧିତ ଖବର