ରାଜଧାନୀ ସବୁଠୁ ଉତ୍ତପ୍ତ

୬ ସହରର ସର୍ବୋଚ୍ଚ ତପମାତ୍ରା ୩୫ ଡିଗ୍ରି ଡେଇଁଲା

ମାସ ଶେଷ ସୁଦ୍ଧା ୩୮ ଡିଗ୍ରି ଟପିଯିବ!

ଭୁବନେଶ୍ୱର : ତାତିଲା ଭୁବନେଶ୍ୱର। ଗତକାଲି ରାଜଧାନୀର ତାପମାତ୍ରା ୩୪.୨ ଡିଗ୍ରି ରହିଥିବା ବେଳେ ଆଜି ଏକାଥରେ ଦେଢ଼ ଡିଗ୍ରି ବୃଦ୍ଧି ପାଇଛି। ଏଠାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୫.୭ ଡିଗ୍ରି ରେକର୍ଡ କରାଯାଇଛି। ପୂର୍ବାହ୍ନରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖରାର ପ୍ରକୋପ ବହୁତ ଅଧିକ ରହିଥିଲା। ପବନର ବେଗ କମିଯାଇଥିବାରୁ ଅଧିକ ତାତି ଅନୁଭୂତ ହୋଇଥିଲା।

କେବଳ ରାଜଧାନୀ ନୁହେଁ, ରାଜ୍ୟର ଆଉ ୫ଟି ସହରର ତାପମାତ୍ରା ମଧ୍ୟ ୩୫ ଡିଗ୍ରି ଡିଗ୍ରି ଡେଇଁଯାଇଛି। ଟିଟିଲାଗଡ଼ରେ ୩୫.୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ ମାଲକାନଗିରିରେ ୩୫.୪, ହୀରାକୁଦ, ତାଳଚେର ଓ ସୋନପୁରରେ ୩୫ ଡିଗ୍ରି ଲେଖାଏଁ ରେକର୍ଡ ହୋଇଛି। ଅନ୍ୟପକ୍ଷରେ ଚଳିତ ଋତୁରେ ଆଜି ସବୁଠାରୁ ଅଧିକ ସହରରେ ତାତି ଅନୁଭୂତ ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। କେବଳ ପାରାଦୀପକୁ ଛାଡ଼ି ଅନ୍ୟ ସମସ୍ତ ସହରର ତାପମାତ୍ରା ୩୦ ଡିଗ୍ରି ଉପରେ ରହିଥିଲା। ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ଅଧିକ ତାତି ଅନୁଭୂତ ହୋଇଛି। ବଲାଙ୍ଗିରରେ ୩୪.୮ ଡିଗ୍ରି ରହିଥିବା ବେଳେ ଅନୁଗୁଳ ଓ ସମ୍ବଲପୁରରେ ୩୪.୭, ଝାରସୁଗୁଡ଼ାରେ ୩୪.୪, ଚାନ୍ଦବାଲିରେ ୩୩.୭, କଟକରେ ୩୩.୬, ଫୁଲବାଣୀରେ ୩୩ ଡିଗ୍ରି ରହିଥିଲା।

ପାଣିପାଗ କେନ୍ଦ୍ର ନିର୍ଦେଶକ ଶରତ ସାହୁଙ୍କ କହିବାନୁଯାୟୀ ଗତ କିଛି ଦିନ ହେଲା ଦକ୍ଷିଣ ପଶ୍ଚିମ ଆଡୁ ବୋହୁଥିବା ପବନର ଘଣ୍ଟା ପ୍ରତି ବେଗ ୨୫ କି.ମି ଉପରେ ରହୁଛି। ତେଣୁ ଭୁବନେଶ୍ୱରରେ ସେତେଟା ତାତି ଅନୁଭୂତ ହେଉ ନ ଥିଲା। କିନ୍ତୁ ଆଜି ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ପ୍ରାୟ ୨ଟା ପର୍ଯ୍ୟନ୍ତ ପବନର ବେଗ ହ୍ରାସ ପାଇଥିଲା। ଘଣ୍ଟା ପ୍ରତି ୧୦ କି.ମି.ରୁ କମ୍‌ ରହିଥିବାରୁ ଅଧିକ ତାତି ଅନୁଭୂତ ହୋଇଥିଲା। ଅପରାହ୍ନ ୨ଟା ପରେ କିନ୍ତୁ ସ୍ଥିତି ସ୍ୱାଭାବିକ ହୋଇଯାଇଥିଲା। ଆସନ୍ତା ସପ୍ତାହକ ମଧ୍ୟରେ ସମସ୍ତ ସହର ତାପମାତ୍ରା ୨ରୁ ୩ ଡିଗ୍ର୍ରି ପର୍ଯ୍ୟନ୍ତ ବଢ଼ି ୩୮ ଡିଗ୍ରି ଛୁଇଁବାର ସମ୍ଭାବନା ରହିଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ ଅଧିକ ତାତି ଅନୁଭୂତ ହେବ। ଏଥିସହ ଉପକୂଳ ଓଡ଼ିଶା ସମେତ ଅନୁଗୁଳ ଓ ଢ଼େଙ୍କାନାଳ ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବ। ସକାଳ ୮ଟା ପର୍ଯ୍ୟନ୍ତ କୁହୁଡ଼ିର ପ୍ରଭାବ ରହିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର