ଭୁବନେଶ୍ବର: ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଶ୍ରବଣଯନ୍ତ୍ର ପାଇଁ ଆଉ ରାଜଧାନୀକୁ ଦୌଡ଼ିବାକୁ ପଡ଼ିବନାହିଁ। ବ୍ଲକ୍‌ସ୍ତରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ(ଡିଏସ୍‌ଏସ୍‌ଓ)ଙ୍କ ଜରିଆରେ ନିଜ ଘର ପାଖରେ ଶ୍ରବଣଯନ୍ତ୍ର ମିଳିବ। ଏଥିପାଇଁ ବ୍ଲକ୍‌ମାନଙ୍କୁ ଶ୍ରବଣଯନ୍ତ୍ର ଯୋଗାଇ ଦିଆଯାଇଛି। ହେଲେ ରାଜ୍ୟର ହାତ ଗଣତି କିଛି ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟଠାରେ ବଧିର ବ୍ୟକ୍ତିମାନଙ୍କୁ ମିଳୁଥିବା ଶ୍ରବଣଯନ୍ତ୍ର ଫିଟିଂରେ ସମସ୍ୟା ଦେଖା ଦେଉଛି। ଘର ପାଖରେ ଶ୍ରବଣଯନ୍ତ୍ର ମିଳୁଥିଲେ ହେଁ ଲୋକମାନେ ଫିଟିଂ ପାଇଁ ରାଜଧାନୀ ଦୌଡ଼ୁଛନ୍ତି। ପରିଣାମ ହେଲା, ପୂର୍ବରୁ ଯେଉଁ ସମସ୍ୟାର ସମାଧାନ କରିବାକୁ ଯାଇ ରାଜ୍ୟ ସରକାର ଘର ପାଖରେ ଯନ୍ତ୍ର ଯୋଗାଇ ଦେଇଥିଲେ, ସେଥିରେ ସୁଧାର ଆସିନାହିଁ।

Advertisment

ଅପରପକ୍ଷରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପରିସରରେ ଥିବା ରାଜ୍ୟ ଭିନ୍ନକ୍ଷମ ପୁନର୍ବାସ ପ୍ରତିଷ୍ଠାନ(ଏସ୍‌ଆଇଡିଆର)ରେ ଶ୍ରବଣଯନ୍ତ୍ର ପ୍ରଦାନ ବନ୍ଦ କରି ଦିଆଯାଇଛି। କେଉଁ ନିର୍ଦ୍ଦିଷ୍ଟ କାରଣ ପାଇଁ ଏହା ବନ୍ଦ ହେଲା, ତାହା ଜଣାପଡ଼ିନାହିଁ। ଫଳରେ ଭିନ୍ନକ୍ଷମମାନେ ଶ୍ରବଣଯନ୍ତ୍ର ନ ପାଇ ଫେରୁଛନ୍ତି।
ରାଜ୍ୟ ଜନସ୍ବାସ୍ଥ୍ୟର ୧.୫% ହେଉଛନ୍ତି ବଧିର। ପୂର୍ବରୁ ପଞ୍ଚାୟତସ୍ତରରେ କ୍ୟାମ୍ପ କରାଯାଇ ଏଭଳି ଲୋକଙ୍କୁ ଚିହ୍ନଟ କରାଯାଉଥିଲା ଏବଂ ସରକାର ଶ୍ରବଣଯନ୍ତ୍ର ପ୍ରଦାନ କରୁଥିଲେ। ଏବେ ଏଭଳି କ୍ୟାମ୍ପ ବନ୍ଦ ହୋଇଯାଇଛି। କେବଳ ଭିନ୍ନକ୍ଷମଙ୍କ ପାଇଁ ଥିବା ବିଦ୍ୟାଳୟରେ କ୍ୟାମ୍ପ କରାଯାଉଛି। ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ଯେଉଁସବୁ ଜିଲ୍ଲାରେ ଏସ୍‌ଆଇଡିଆର୍‌ କ୍ୟାମ୍ପସ୍‌ ରହିଛି ସେସବୁ ଜିଲ୍ଲାର ଭିନ୍ନକ୍ଷମଙ୍କୁ ଶ୍ରବଣଯନ୍ତ୍ର ଫିଟିଂ ପାଇଁ ରାଜଧାନୀ ଆସିବାକୁ ପଡ଼ୁନାହିଁ। ଅନ୍ୟ ଜିଲ୍ଲାଗୁଡ଼ିକରେ ଅଡିଓଲୋଜିଷ୍ଟ ନ ଥିବାରୁ ସେମାନେ ଶ୍ରବଣଯନ୍ତ୍ର ଫିଟିଂ ପାଇଁ ଭୁବନେଶ୍ବର ଏସ୍‌ଆଇଡିଆର କ୍ୟାମ୍ପସ୍‌କୁ ଆସୁଛନ୍ତି। ପ୍ରତିମାସରେ ଏଭଳି ପ୍ରାୟ ୧୦ରୁ ଅଧିକ ଭିନ୍ନକ୍ଷମ ଏସ୍‌ଆଇଡିଆରକୁ ଆସୁଛନ୍ତି।

ଇତିମଧ୍ୟରେ ଜଣାପଡ଼ିଛି ଯେ ଏସ୍‌ଆଇଡିଆର୍‌ରେ ବି ଶ୍ରବଣଯନ୍ତ୍ର ମିଳୁନାହିଁ। ଗତ ସେପ୍ଟେମ୍ବର ପହିଲାରେ ଏସ୍‌ଆଇଡିଆର୍‌ ପକ୍ଷରୁ ପ୍ରାୟ ୫ଶହ ଶ୍ରବଣଯନ୍ତ୍ର ଯୋଗାଇ ଦେବା ଲାଗି ରାଜଧାନୀରେ ଥିବା ଏକ ସଂସ୍ଥାକୁ ପତ୍ର ଲେଖା ଯାଇଥିଲା। ହେଲେ ଏଯାଏ ଏହା ମିଳିନାହିଁ। ଏସ୍‌ଆଇଡିଆର୍‌ର ଜନୈକ ଅଧିକାରୀଙ୍କ ସୂଚନା ଅନୁସାରେ, କ୍ୟାମ୍ପ୍‌ ଜରିଆରେ ସ୍ବତନ୍ତ୍ର ବିଦ୍ୟାଳୟରେ ବଧିର ପିଲାମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଶ୍ରବଣଯନ୍ତ୍ର ଦିଆଯାଉଛି। ତେଣୁ ସେମାନଙ୍କୁ ଏସ୍‌ଆଇଡିଆର୍‌ ଆସିବାର କୌଣସି ଆବଶ୍ୟକତା ନାହିଁ। ଏଠାରେ ଯନ୍ତ୍ର ପାଇବାକୁ ହେଲେ ବ୍ଲକ୍‌ରୁ ସେମାନଙ୍କୁ ଏନ୍‌ଓସି ଆଣିବାକୁ ପଡ଼ିଥାଏ। ମାତ୍ର ବ୍ଲକ୍‌ରେ ଏହି ସୁବିଧା ଦିଆଯାଉଥିବାରୁ ସେମାନଙ୍କୁ ଯନ୍ତ୍ର ପାଇବା ସହଜ ହୋଇଛି। କ୍ୟାମ୍ପ ଜରିଆରେ ଯେଉଁଠାରେ ଶ୍ରବଣଯନ୍ତ୍ର ଦିଆଯାଉଛି ସେଠାରେ ତାହାର ପରୀକ୍ଷା କରି ଫିଟିଂ କରିବା କଥା। ହେଲେ କିଛି ଭିନ୍ନକ୍ଷମ ଏଭଳି ସମସ୍ୟା ନେଇ ଭୁବନେଶ୍ବରକୁ ଆସୁଛନ୍ତି ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।