ଭୁବନେଶ୍ବର: ଆଜି ବି ସକାଳୁ ସକାଳୁ ପ୍ରଚଣ୍ଡ ଗ୍ରୀଷ୍ମ ଅନୁଭୂତ ହେଲାଣି। ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ, ଦିନ ୮ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୩୨.୮ ଡ଼ିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଏଠାରେ ଆର୍ଦ୍ରତା ୭୯ ପ୍ରତିଶତ ରହିଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି। ଆଜି ମଧ୍ୟ ଗତକାଲି ଭଳି ରାଜଧାନୀର ତାପମାତ୍ରା ୩୮ ଡିଗ୍ରିରୁ ଅଧିକ ହେବାର ଆଶଙ୍କା ଦେଖାଦେଲାଣି। ଆଜି ରାଜଧାନୀ ଭୁବନେଶ୍ବର ଓ ଏହାର ସଂଲଗ୍ନ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ। ଦିନର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୮ ଡିଗ୍ରି ମଧ୍ୟରେ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

Advertisment

ସୂଚନାଯୋଗ୍ୟ, ଗତକାଲି ରାଜ୍ୟର ୧୮ ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିବା ବେଳେ ୪୪ ଡିଗ୍ରି ଉପରେ ରାଜ୍ୟର ଦୁଇ ସହର ରହିଥିଲା। ୪୪.୪ ଡିଗ୍ରି ସହ ବଲାଙ୍ଗୀର ରାଜ୍ୟର ଉତ୍ତପ୍ତ ସହର ପାଲଟିଥିବା ବେଳେ ୪୪ ଡିଗ୍ରି ତାପମାତ୍ରାରେ ରହିଥିଲା ଟିଟିଲାଗଡ଼ ସହର। ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ଗରମ ଓ ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ରାଜ୍ୟରେ ତାତି ବଢ଼ିଚାଲିଛି। ଫଳରେ ପଶ୍ଚିମ ଓଡ଼ିଶାରେ ସୋମବାର ଦିନ ବିସ୍ଫୋରକ ସ୍ଥିତି ସୃଷ୍ଟି ହୋଇଥିଲା।
ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନର ପାରଦ ୪୦ ଡିଗ୍ରି ଅତିକ୍ରମ କରିଯାଇଥିଲା। ଝାରସୁଗୁଡ଼ାରେ ସୋମବାର ଦିନ ୪୩.୬ ଡିଗ୍ରି, ଭବାନୀପାଟଣାରେ ୪୩.୫, ବୌଦ୍ଧରେ ୪୨.୯, ସମ୍ବଲପୁରରେ ୪୨.୮, ମାଲକାନଗିରିରେ ୪୨.୮, ଅନୁଗୁଳରେ ୪୨.୭, ସୁନ୍ଦରଗଡ଼ରେ ୪୨.୪, ରାଉରକେଲାରେ ୪୨.୨, ବରଗଡ଼ରେ ୪୨.୧, ତାଳଚେର, ନୂଆପଡ଼ା ଓ ନୟାଗଡ଼ରେ ୪୨ ଡିଗ୍ରି ଲେଖାଏ ତାପମାତ୍ରା ରେକର୍ଡ ହୋଇଥିଲା। ଆସନ୍ତା ୧୭ ତାରିଖ ଯାଏ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ। ଫଳରେ ୪୫ ଡିଗ୍ରି ପାଖାପାଖି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହେବାର ଆଶଙ୍କା ରହିଛି। ପଶ୍ଚିମ ଓ ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ଓ ଗରମ ବାୟୁର ପ୍ରବେଶ, ବାୟୁମଣ୍ଡଳରେ ଜଳୀୟ ବାଷ୍ପର ମାତ୍ରା କମିବ, କାଳବୈଶାଖୀ ଅଭାବ ତଥା ସୂର୍ଯ୍ୟଙ୍କ ପ୍ରଖର କିରଣ ତାପମାତ୍ରା ବୃଦ୍ଧିର କାରଣ ହେଉଛି।