ଦେଶ‌ରେ ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ବର ୩୯.୪ଂ, ୫ ଦିନରେ ଆଉ ୪ ଡିଗ୍ରି ବଢ଼ିପାରେ

ଭୁବନେଶ୍ବର : କଥାରେ ଅଛି, ମାଘ ମାସରେ ବାଘ ଭଳି ଶୀତ ଅନୁଭୂତ ହୁଏ। କିନ୍ତୁ ଶୀତ ତ ଦୂରର କଥା, ଏବେ ରାଜ୍ୟରେ ପାରଦ ୩୯ ପାର୍‌ ହୋଇଗଲାଣି। ଗତ କିଛି ଦିନ ହେବ ଖରାର ପ୍ରକୋପ ଏତେ ବଢ଼ିଯାଇଛି ଯେ ଦିନ ୧୦ଟାରୁ ଘରୁ ବାହାରିବା ମୁସ୍କିଲ୍‌ ହୋଇଗଲାଣି। ପାରଦ ଯେଉଁ ଗତିରେ ଉପରକୁ ଚଢ଼ୁଛି, ଦିନେ ଦୁଇଦିନ ମଧ୍ୟ‌ରେ ୪୦ ଡିଗ୍ରି ପାର୍‌ ହୋଇଯିବା ବିଚିତ୍ର ନୁହେଁ। ତେବେ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ଲଗାତାର ୪ ଦିନ ଧରି ରେକର୍ଡ କରିଆସୁଥିବା ରାଜଧାନୀ ଭୁବନେଶ୍ୱର ଆଜି ଦେଶର ରେକର୍ଡ ବି ଭାଙ୍ଗି ଦେଇଛି। ଗୁରୁବର ଦିନ ଏଠାରେ ଦେଶର ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରି ରେକର୍ଡ କରାଯାଇଛି। ଆସନ୍ତା ୪ରୁ ୫ଦିନରେ ତାପମାତ୍ରା ଆହୁରି ବଢ଼ିବ। ‌ସେହିଭଳି ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୪ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିବ। କିନ୍ତୁ ଆଶ୍ବସ୍ତିକର ଖବର ହେଲା, ସର୍ବନିମ୍ନ ତାପମାତ୍ରାରେ ଏବେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଅର୍ଥାତ୍‌ ରାତିରେ ବିଶେଷ ଗରମ ଅନୁଭୂତ ହେବ ନାହିଁ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

କେନ୍ଦ୍ରର ସୂଚନା ମୁତାବକ, ଏହି ସମୟରେ ଭୁବନେଶ୍ୱରର ତାପମାତ୍ରା ସର୍ବାଧିକ ସ୍ବାଭାବିକ ତାପମାତ୍ରା ୩୨ରୁ ୩୩ ଡିଗ୍ରି ମଧ୍ୟରେ ରହିବା କଥା। କିନ୍ତୁ ଏବେ ୬.୫ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିଛି। ସେହିଭଳି ରାତିର ସର୍ବନିମ୍ନ ତାପମାତ୍ରା ୨୦ରୁ ୨୧ ଡିଗ୍ରି ମଧ୍ୟରେ ରହିବା କଥା। କିନ୍ତୁ ଏବେ ଏହା ୧୭ ଡିଗ୍ରି ରହିଛି। ଦିନ ଓ ରାତିର ତାପମାତ୍ରାରେ ଏଭଳି ବଡ଼ ତାରତମ୍ୟ ପାଣିପାଗ ବିଜ୍ଞାନୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଏ ସଂପର୍କରେ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଏଭଳି ତାପମାତ୍ରା ଖରାଦିନିଆ ଫସଲ(ଧାନ ଓ ଚିନାବାଦାମ) ପାଇଁ ଅନୁକୂଳ। ରାତିରେ ତାପମାତ୍ରା ସ୍ବାଭାବିକ ଥିବାରୁ ଫସଲ ଉତ୍ପାଦନ ପାଇଁ ଏହା ଲାଭଦାୟକ ହେବ। କିନ୍ତୁ ପାରଦ ୪୦ ଡିଗ୍ରି ଉପରକୁ ଚାଲିଗଲେ ଫସଲ ପାଇଁ ବିପଦ ସୃଷ୍ଟି କରିବ।

ପାଣିପାଗ ବିଜ୍ଞାନ କେନ୍ଦ୍ର ଆହୁରି କହିଛି ଯେ ଚଳିତବର୍ଷ ଗ୍ରୀଷ୍ମପ୍ରବାହ ରାଜ୍ୟରେ ଶୀଘ୍ର ଆରମ୍ଭ ହୋଇଯାଇଛି। ଦିନକୁ ଦିନ ଏହା ବଢ଼ିବାରେ ଲାଗିଛି। ‌ଫେବ୍ରୁଆରି ଶେଷ ଓ ମାର୍ଚ୍ଚ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଏହି ଭଳି ଗ୍ରୀଷ୍ମପ୍ରବାହ ଜାରି ରହିବ। ଆସନ୍ତା ୪ରୁ ୫ ଦିନ ଭିତରେ ରାଜ୍ୟର ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୪ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିବ। ଫଳରେ ମାର୍ଚ୍ଚ ଆରମ୍ଭରୁ ରାଜ୍ୟ‌‌‌ର ତାପମାତ୍ରା ୪୦ ଅତିକ୍ରମ କରିପାରେ।

ଅପରପକ୍ଷେ ଗତ ୨୪ ଘଣ୍ଟାରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ମାଲକାନଗିରି ଜିଲ୍ଲାରେ କିଛି କିଛି ସ୍ଥାନରେ ଘନକୁହୁଡ଼ି ଦେଖିବାକୁ ମିଳିଥିଲା। ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶାର କିଛି କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ହ୍ରାସ ଘଟିଥିବା ବେଳେ ଦକ୍ଷିଣ ଉପକୂଳ ଓ ଉତ୍ତର ଉପକୂଳ ଓଡ଼ିଶାରେ ସ୍ବାଭାବିକଠାରୁ କମ୍‌ ରହିଛି। ଓଡ଼ିଶାର ଅବଶିଷ୍ଟ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ରହିଛି। ଫୁଲବାଣୀଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ରେକର୍ଡ ହୋଇଛି ବୋଲି କେନ୍ଦ୍ର ସୂଚନା ଦେଇଛି।

ସମ୍ବନ୍ଧିତ ଖବର