ଶ୍ରେଷ୍ଠ ବା‌ସୋପଯୋଗୀ ସହର : ଭୁବନେଶ୍ବର ଦେଶରେ ଦ୍ବିତୀୟ

ସେବା ଯୋଗାଇବାରେ ବିଏମ୍‌ସି ୨୫ତମ ସ୍ଥାନରେ

ଭୁବନେଶ୍ବର : ୧୦ ଲକ୍ଷରୁ କମ୍‌ ଲୋକ ବସବାସ କରୁଥିବା ସହର ମଧ୍ୟରେ ଭୁବନେଶ୍ବରରେ ରହିବାକୁ ଅଧିକ ଲୋକ ପସନ୍ଦ କରନ୍ତି। ଏପରିକି ଗୁରୁଗ୍ରାମ, ଥିରୁଅନନ୍ତପୁରମ୍, ଗାନ୍ଧୀନଗର ଭଳି ସହର ତୁଳନାରେ ବି ଅଧିକ ଲୋକଙ୍କର ପସନ୍ଦର ସହର ହେଉଛି ଭୁବନେଶ୍ବର। ଉତ୍ତମ ବାସୋପଯୋଗୀ ସହର ତାଲିକାରେ ସିମ୍‌ଲା ଦେଶରେ ପ୍ରଥମ ସ୍ଥାନରେ ରହିଥିବା ବେଳେ ଭୁବନେଶ୍ବର ଦ୍ବିତୀୟ ସ୍ଥାନ ହାସଲ କରିଛି। ରାଜ୍ୟର ଅନ୍ୟ ଏକ ସହର ଭାବେ ରାଉରକେଲା ୫୪ତମ ସ୍ଥାନ‌ରେ ରହିଛି। ଅପରପକ୍ଷେ ପୌରସଂସ୍ଥାର ପ୍ରଦର୍ଶନ ସୂଚୀ (ମ୍ୟୁନିସିପାଲ୍‌ ପରଫରମାନ୍ସ ଇଣ୍ଡେକ୍ସ)ରେ ଭୁବନେଶ୍ବର ମହାନଗର ନିଗମକୁ ୨୫ତମ ସ୍ଥାନ ମିଳିଛି।

ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଦେଶର ୧୧୧ଟି ସହରକୁ ନେଇ ହୋଇଥିବା ‘ଇଜ୍‌ ଅଫ୍ ଲିଭିଙ୍ଗ୍‌ ଇଣ୍ଡେକ୍ସ-୨୦୨୦’ ସର୍ଭେରେ ଭୁବନେଶ୍ବରକୁ ଏହି ସଫଳତା ମିଳିଛି। ଆଜି ଏ ନେଇ ବିଭାଗୀୟ ମନ୍ତ୍ରୀ ହରଦୀପ୍ ସିଂହ ପୁରୀ ଘୋଷଣା କରିଛନ୍ତି। ସହରରେ ଲୋକଙ୍କ ଜୀବନଶୈଳୀ, ଆର୍ଥିକ ସାମର୍ଥ୍ୟ, ନିରନ୍ତର ବିକାଶ, ନାଗରିକଙ୍କ ମତାମତ ଆଦିକୁ ବିଚାର କରି
ଏହି ସର୍ଭେ ହୋଇଥିଲା। ଏହି ଚାରିଟି ବର୍ଗରେ ୧୩ଟି ଶ୍ରେଣୀ ଯଥା ଶିକ୍ଷା, ସ୍ବାସ୍ଥ୍ୟ, ଗୃହ ଓ ଆଶ୍ରୟସ୍ଥଳୀ, ସଫେଇ, ଗମନାଗମନ ବ୍ୟବସ୍ଥା, ସୁରକ୍ଷା ଓ ନିରାପତ୍ତା, ଆମୋଦପ୍ରମୋଦ, ଆର୍ଥିକ ଉନ୍ନତି ସ୍ତର, ଆର୍ଥିକ ସୁଯୋଗ, ସବୁଜିମା, କୋଠାବାଡ଼ି, ଶକ୍ତି ସଂରକ୍ଷଣ, ସହରର ସ୍ଥିରତା ଆଦି ଉପରେ ସର୍ଭେ ହୋଇଥିଲା।

ଏହି ସୂଚକାଙ୍କରେ ୧୦ ଲକ୍ଷରୁ କମ୍‌ ସହର ବର୍ଗରେ ସିମ୍‌ଲାକୁ ମୋଟ୍‌ ୧୦୦ ମାର୍କରୁ ୬୦.୯୦ ମାର୍କ ମିଳିଥିବା ବେଳେ ଭୁବନେଶ୍ବରକୁ ୫୯.୮୫% ମାର୍କ ମିଳିଛି। ଏଥିରେ ରାଉରକେଲା ସହରକୁ ୪୮.୮୯ % ମାର୍କ ମିଳିଛି। ଗୁଣାତ୍ମକ ଜୀବନଶୈଳୀ ବର୍ଗରେ ଭୁବନେଶ୍ବରକୁ ୫୧.୭୯ ମାର୍କ ମିଳିଥିବା ବେଳେ ୨୯ତମ ରୢାଙ୍କ ମିଳିଛି। ରାଉରକଲୋକୁ ୪୨.୯୦ ମାର୍କ ସହିତ ୫୮ତମ ରୢାଙ୍କ ମିଳିଛି। ଆର୍ଥିକ ସାମର୍ଥ୍ୟ କ୍ଷେତ୍ରରେ ଭୁବନେଶ୍ବରକୁ ମାତ୍ର ୧୧.୫୭ ମାର୍କ ମିଳିଥିବା ବେଳେ ୧୯ତମ ରୢାଙ୍କ ମିଳିଛି। ରାଉରକେଲାକୁ ୮.୦୯ ମାର୍କ ମିଳିଥିବା ବେଳେ ୨୬ତମ ରୢାଙ୍କ ମିଳିଛି। ନିରନ୍ତର ବିକାଶ କ୍ଷେତ୍ରରେ ଭୁବନେଶ୍ବରକୁ ୫୭.୭୭ ମାର୍କ ମିଳିଥିବା ବେଳେ ୧୧ତମ ରୢାଙ୍କ ମିଳିଛି। ଏଥିରେ ରାଉରକେଲାକୁ ୪୯.୭୬ ମାର୍କ ମିଳିଥିବା ବେଳେ ୩୫ତମ ରୢାଙ୍କ ମିଳିଛି। ତେବେ ନାଗରିକ ମତାମତ ଅନୁଯାୟୀ ଭୁବନେଶ୍ବରକୁ ୯୪.୮୦ ମାର୍କ ମିଳିଥିବା ବେଳେ ଏହାକୁ ପ୍ରଥମ ସ୍ଥାନ ମିଳିଛି। ଏଥିରେ ରାଉରକେଲାକୁ ୭୫.୭୦ ମାର୍କ ସହିତ ୨୯ତମ ରୢାଙ୍କ ମିଳିଛି।

ଅପରପକ୍ଷେ ପୌରସଂସ୍ଥାର ପ୍ରଦର୍ଶନ କ୍ଷେତ୍ରରେ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)କୁ ୪୩.୩୮ ମାର୍କ ସହିତ ୨୫ତମ ରୢାଙ୍କ ମିଳିଛି। ରାଉରକେଲା ମହାନଗର ନିଗମକୁ ୩୬.୬୫ ମାର୍କ ମିଳିଥିବା ବେଳେ ଏହା ୪୮ତମ ସ୍ଥାନରେ ରହିଛି। ପୌରସଂସ୍ଥାର ପ୍ରଦର୍ଶନ କ୍ଷେତ୍ରରେ ନୂଆଦିଲ୍ଲୀ ମହାନଗର ନିଗମ ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି।

ସୂଚନାଯୋଗ୍ୟ ଯେ ୧୦ ଲକ୍ଷରୁ ଅଧିକ ସହର ମଧ୍ୟରେ ସବୁଠୁ ଅଧିକ ବାସୋପଯୋଗୀ ସହର ଭାବେ ବେଙ୍ଗାଲୁରୁ ମନୋନୀତ ହୋଇଛି। ଏହି ତାଲିକାରେ ପୁଣେ ଦ୍ବିତୀୟ ସ୍ଥାନରେ ଥିବା ବେଳେ ଅହମ୍ମଦାବାଦ ତୃତୀୟ ସ୍ଥାନରେ ରହିଛି। ସେହିପରି ୧୦ ଲକ୍ଷରୁ ଅଧିକ ଜନବସତି ଥିବା ମ୍ୟୁନିସିପାଲିଟି ଶ୍ରେଣୀରେ ଇନ୍ଦୋର ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ସୁରତ ଦ୍ବିତୀୟ ଓ ଭୋପାଳ ତୃତୀୟ ସ୍ଥାନ ହାସଲ କରିଛି।

ସମ୍ବନ୍ଧିତ ଖବର