ଭୁବନେଶ୍ବର: ନିଶାରେ ଝୁମୁଛନ୍ତି ଭୁବନେଶ୍ବରର ଯୁବପିଢ଼ି। କେବଳ ତମାଖୁ ନୁହେଁ, ଯେତେସବୁ ପ୍ରକାର ନିଶା ବଜାରରେ ଉପଲବ୍ଧ ହେଉଛି ସେସବୁର ସେବନ ହେଉଛି ଭୁବନେଶ୍ବର ଆଖପାଖ ଅଞ୍ଚଳରେ। ପ୍ରମୁଖତାରେ ରହିଛି ମଦ ଓ ଗଞ୍ଜେଇ। ନିଶାଦ୍ରବ୍ୟର ସେବନରେ ରାଜଧାନୀ ଭୁବନେଶ୍ବର ଦେଶରେ ତୃତୀୟ ସ୍ଥାନରେ ରହିଛି। ଭୁବନେଶ୍ବରର ୩୭% ଯୁବପିଢ଼ି ବିଭିନ୍ନ ନିଶାଦ୍ରବ୍ୟର ସେବନ କରୁଥିବା ବେଳେ ଚେନ୍ନାଇରେ ୪୬.୩% ଓ ବେଙ୍ଗାଲୁରୁ ୫୪.୫% ସହ ଶୀର୍ଷରେ ରହିଛି। ନିକଟରେ ଦେଶର ୧୫ଟି ରାଜ୍ୟରେ ହୋଇଥିବା ଗବେଷଣାରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି। କେମ୍ବ୍ରିଜ୍ ପ୍ରିଜିମ୍ସ : ଗ୍ଲୋବାଲ ମେଣ୍ଟାଲ ହେଲ୍ଥରେ ଏ ସଂପର୍କିତ ରିପୋର୍ଟ ସ୍ଥାନ ପାଇଛି।
ବିଶ୍ବରେ ତମାଖୁ ସେବନରେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି। ବିଶେଷକରି ଯୁବାବସ୍ଥାରେ ଏହାର ସେବନ ଅଧିକ ଦେଖିବାକୁ ମିଳୁଛି। ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ଯେପରି ତମାଖୁ, ମଦ, କୋକେନ୍, ହେରୋଇନ, ମେଥାମ୍ଫେଟାମାଇନ୍ସ, ହଲୁସିନୋଜେନ୍ସ ଓ ଏକ୍ସଟାସିକୁ ଗ୍ରହଣ କରୁଛନ୍ତି ଯୁବପିଢ଼ି। ଯାହାକି ଗୁରୁତର ସ୍ବାସ୍ଥ୍ୟ ସମସ୍ୟାକୁ ଡାକି ଆଣୁଛି। ୨୦୨୨ ମସିହା ମାର୍ଚ୍ଚରୁ ଅକ୍ଟୋବର ମାସରେ ୧୫ଟି ରାଜ୍ୟର ଗୋଟିଏ ଲେଖାଏ ମେଡିକାଲ କଲେଜରୁ ଏହି ତଥ୍ୟ ସଂଗ୍ରହ ହୋଇଥିଲା। ୧୦-୨୪ବର୍ଷର ୧୬୩୦ ଜଣ ଯୁବପିଢ଼ି ଚିକିତ୍ସା ପାଇଁ ଯେଉଁସବୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର(ପିଏଚ୍ସି)କୁ ଆସୁଥିଲେ ସେମାନଙ୍କର ସାକ୍ଷାତକାର କରାଯାଇଥିଲା। ତହିଁରୁ ହାରାହାରି ୩୨.୮% ଯୁବପିଢ଼ି କୌଣସି ନା କୌଣସି ନିଶାଦ୍ରବ୍ୟ ସେବନ କରୁଥିବା ନଜରକୁ ଆସିଥିଲା। କିଶୋରବସ୍ଥା ଶେଷ ହେବା ପୂର୍ବରୁ ୭୫.୫% ଯେ କୌଣସି ନିଶା ଗ୍ରହଣ କରିଥିବା କହିଛନ୍ତି। ସାଧାରଣ ଭାବେ ତମାଖୁ ୩୧.୯%, ମଦ ୨୫%, ଗଞ୍ଜେଇ-ଭାଙ୍ଗ ୯.୫% ସେବନ ହେଉଛି। ଉଲ୍ଲେଖନୀୟ ବିଷୟ ହେଉଛି ନିଶା ସେବନ ଆରମ୍ଭ କରିବାର ହାରାହାରି ବୟସ ରହିଛି ୧୭.୨। ଯୁବକଙ୍କ କ୍ଷେତ୍ରରେ ଏହା ୧୭.୬ ଥିବା ବେଳେ ଯୁବତୀ ହେଉଛନ୍ତି ୧୭.୨ବର୍ଷ।
ସେହିପରି ଖ୍ରୀଷ୍ଟିଆନ୍ଙ୍କ କ୍ଷେତ୍ରରେ ଏହା ୫୦.୩% ଥିବା ବେଳେ ହିନ୍ଦୁ ୨୯.୪%, ମୁସଲିମ ୧୫.୭% ଓ ଅନ୍ୟ ଧର୍ମର ୨୪.୪% ଲୋକ ନିଶା ସେବନରେ ଲିପ୍ତ ଅଛନ୍ତି। ମିଜୋରାମରେ ସର୍ବାଧିକ ୮୯% ଲୋକ ନିଶା ନେଉଥିବା ବେଳେ କେରଳରେ ସର୍ବନିମ୍ନ ୭.୫% ରହିଛି। ସର୍ବେକ୍ଷଣରେ ଭାଗ ନେଇଥିବା ଏକ ତୃତୀୟାଂଶ ଯୁବପିଢ଼ି ନିଶା ସେବନ କରିବାର ପ୍ରମୁଖ କାରଣକୁ ସହଜରେ ତମାଖୁ ଓ ମଦ୍ରର ଉପଲବ୍ଧତା ବୋଲି ଦର୍ଶାଇଛନ୍ତି। ଏହାସହ ଦୁଇ ତୃତୀୟାଂଶ ସେବନକାରୀଙ୍କ ପିତାମାତାଙ୍କ ମଧ୍ୟରୁ ଜଣେ ନିଶା ସେବନ କରୁଛନ୍ତି। ସାଙ୍ଗ ପାଇଁ ୯୦% ଯୁବପିଢ଼ି ନିଶା କବଳରେ ପଡ଼ିଥିବା କହିଛନ୍ତି। ହେଲେ ନିଶା ସେବନ କରୁଥିବା ଅନେକ ଯୁବପିଢ଼ି ଏହାକୁ ବର୍ଜନ କରିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି। ନିଶା ଛଡ଼ିବା ଲାଗି ୪୦% ନିଜର ଇଚ୍ଛା ଜାହିର କରିଥିବା ବେଳେ ୧୯.୫% ନିଶା ଛାଡ଼ିବା ଲାଗି ବିଚାର କରିବେ ବୋଲି କହିଛନ୍ତି। ନିଶାର ବ୍ୟବହାର କମାଇବା ଲାଗି କମ୍ ବୟସରେ ତମାଖୁ ଓ ମଦର ସହଜରେ ଉପଲବ୍ଧତାକୁ ନିୟନ୍ତ୍ରଣ କରାଯିବା ଉପରେ ଏହି ସର୍ବେକ୍ଷଣରେ ଗୁରୁତ୍ବ ଦିଆଯାଇଛି। ଏହା ସହ ଗୋଷ୍ଠୀସ୍ତରରେ ବ୍ୟାପକ ସଚେତନତା ଓ ପିଲାମାନେ ନିଶା ସେବନ କରୁଛନ୍ତି କି ନାହିଁ ତାହାର ଲକ୍ଷଣ ସଂପର୍କରେ ପିତାମାତାଙ୍କୁ ସଚେତନ କରିବା ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। କାଉନସେଲିଂ, ଗବେଷଣା ଓ ତଦାରଖ ମଧ୍ୟ ଏଥିରେ ସହାୟକ ହୋଇପାରିବ ବୋଲି ଗବେଷଣାରେ କୁହାଯାଇଛି।
ସମ୍ ହସ୍ପିଟାଲର କମ୍ୟୁନିଟି ମେଡିସିନ୍ର ପ୍ରଫେସର ଡା.ଇ. ଭେଙ୍କଟ ରାଓ କହିଛନ୍ତି, ନିର୍ଦ୍ଦିଷ୍ଟ ଭାବେ ଭୁବନେଶ୍ବର ନୁହେଁ, ଏହାର ଆଖପାଖ ଅଞ୍ଚଳରେ ଏହି ସର୍ବେକ୍ଷଣ କରାଯାଇଥିଲା। ତହିଁରୁ ୩୭% ଯୁବପିଢ଼ି କୌଣସି ନା କୌଣସି ନିଶା ସେବନ କରୁଥିବା ଜଣାପଡ଼ିଛି। ଅଧିକାଂଶ ଯୁବପିଢ଼ି ତମାଖୁ, ମଦ ଓ ଗଞ୍ଜେଇ ନିଶା ଖାଉଛନ୍ତି। ମଜାରେ ଆରମ୍ଭ ହେଉଥିବା ନିଶା ସେବନ ପରବର୍ତ୍ତୀ ସମୟରେ ଅଭ୍ୟାସରେ ପରିଣତ ହେଉଛି। ତମାଖୁ ସେବନ ଶରୀରର ପ୍ରତ୍ୟେକଟି ଅଙ୍ଗ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ। ତେଣୁ ମଦ ଅପେକ୍ଷା ତମାଖୁ ନିଶା ଛଡ଼ାଇବା କଷ୍ଟକର। ଏହି ଗବେଷଣାରେ କେଉଁଭଳି ଢଙ୍ଗରେ ପଦକ୍ଷେପ ନିଆଗଲେ ନିଶା ସେବନକୁ ନିୟନ୍ତ୍ରଣ କରାଯାଇପାରିବ ତାହା ସଂପର୍କରେ ପ୍ରସ୍ତାବ ଦିଆଯାଇଥିବା ଡା.ରାଓ କହିଛନ୍ତି।