ଭୁବନେଶ୍ବର/ଜୟପୁର : ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କ ବହୁଦିନର ସ୍ବପ୍ନ ଆଜି ପୂରଣ ହୋଇଛି। ବହୁପ୍ରତୀକ୍ଷିତ ଭୁବନେଶ୍ବର-ଜୟପୁର ବିମାନସେବା ଆଜିଠାରୁ ଆରମ୍ଭ ହୋଇଛି। ଏହି ବିମାନସେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରରେ ଉଦ୍‌ଘାଟନ କରିଛନ୍ତି। ଆଜି ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଇଣ୍ଡିଆ ୱାନ ଏୟାରର ୯ ସିଟ୍ ବିଶିଷ୍ଟ ବିମାନ ବାହାରି ଜୟପୁର ବିମାନବନ୍ଦରରେ ପହଞ୍ଚିବ। ଏହି କାର୍ଯ୍ୟକ୍ରମକୁ ଭିଡିଓ କନଫେରନ୍‌ସିଂ ମାଧ୍ୟମରେ ଜୟପୁର ବିମାନବନ୍ଦରରେ ପ୍ରସାରଣ କରାଯାଇଛି।

Advertisment

publive-image

ସୂଚନାଯୋଗ୍ୟ, ଗତ ୨୦ତାରିଖ ଦିନ ଜୟପୁର ବିମାନବନ୍ଦରରୁ ଯାତ୍ରୀବାହୀ ବିମାନ ଉଡିବା ପାଇଁ  ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଲାଇସେନ୍ସ ଦଆଯାଇଥିଲା।  ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜୟପୁର-ଭୁବନେଶ୍ବର, ଭୁବନେଶ୍ବର-ଜୟପୁର ବିମାନ ଉଡିବା ପାଇଁ ବିଞପ୍ତି ପ୍ରକାଶ କରିଥିଲା।  ‘ଇଣ୍ଡିଆ ୱାନ ଏୟାର’ ପକ୍ଷରୁ ଟୁଇଟ୍ କରି ୩୧ତାରିଖରୁ ଭୁବନେଶ୍ବର –ଜୟପୁରକୁ ବିମାନ ଚଳାଚଳ କରିବାକୁ ସୂଚନା ଦିଆଯାଇଥିଲା।

ଏହା ପରେ କିଛି ଯାତ୍ରୀ ପ୍ରଥମ ଥର ଭୁବନେଶ୍ବରରୁ ଜୟପୁର ଯାତ୍ରା କରିବା ପାଇଁ  ଇଣ୍ଡିଆ ୱାନ ଏୟାର ସାଇଟ୍ କୁ ଯାଇ ଭୁବନେଶ୍ବରରୁ ଜୟପୁର ଆସିବା ପାଇଁ ଅନଲାଇନ୍ ଟିକେଟ ବି କାଟିଥିବା ସୂଚନା ମିଳିଥିଲା। ଏହା ସାଙ୍ଗକୁ ଇଣ୍ଡିଆୱାନ ଏୟାର ପକ୍ଷରୁ ଅଫର ପ୍ରାଇସ୍ ଭାବେ ୯୯୯ଟଙ୍କା ରଖାଯାଇଛି। ବହୁ ପ୍ରତୀକ୍ଷିତ ଜୟପୁରରୁ ଭୁବନେଶ୍ବର ବିମାନ ଉଡିବା ସ୍ବପ୍ନ ଶେଷକୁ ସଫଳ ହୋଇଛି।  ଗତ କିଛି ଦିନ ହେବ ଜୟପୁର ବିମାନବନ୍ଦରରୁ ଯାତ୍ରୀବାହୀ ବିମାନ ଚଳାଇବା ପାଇଁ ବିଡ୍ ପାଇଥିବା ଇଣ୍ଡିଆ ୱାନ ଏୟାର ପକ୍ଷରୁ ନିୟମିତ ଭାବେ ସବୁ ରକମର ପାଗରେ ଜୟପୁର, ଭୁବନେଶ୍ବର ଓ ବିଶାଖାପାଟଣା ବିମାନବନ୍ଦରରେ କିଭଳି ବିମାନ ଓହ୍ଲାଇବା, ଉପରକୁ ଉଠିବା ଏବଂ ଉଡାଇବା ଅଭ୍ୟାସ ଉଡାଣ ଜାରି ରଖିଥିଲା। ସାଧାରଣରେ ଏହାକୁ ସ୍ବାଗତ କରିବା ସହ ସାମାଜିକ ଗଣମାଧ୍ୟମରେ ରାତିରେ ପ୍ରମୁଖ ଚର୍ଚ୍ଚାର ବିଷୟ ପାଲଟିଥିଲା।