ଭୁବନେଶ୍ବର,ଝାରସୁଗୁଡ଼ା ବିମାନବନ୍ଦରର ଘରୋଇକରଣ: ଲାଭ ସତ୍ତ୍ବେ ଘରୋଇ ସଂସ୍ଥାକୁ ଟେକିଦେବେ

୫୦ବର୍ଷ ପାଇଁ ଠିକାରେ ନେବ ଘରୋଇ ସଂସ୍ଥା
ବ୍ୟାଙ୍କରୁ ଋଣ କରି କର୍ମଚାରୀଙ୍କୁ ଦରମା ଦେଉଛି ଏଏଆଇ

ଭୁବନେଶ୍ବର : ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଘରୋଇକରଣ ହେବା ଏକ ପ୍ରକାର ନିଶ୍ଚିତ। ଦେଢ଼ ବର୍ଷ ତଳେ ବିମାନବନ୍ଦର ଘରୋଇକରଣ ନିଷ୍ପତ୍ତି ଶେଷ ମୁହୂର୍ତ୍ତରେ କେନ୍ଦ୍ର କ୍ୟାବିନେଟ୍ ପ୍ରସ୍ତାବରୁ ବାଦ୍‌ ପଡ଼ିଥିବା ବେଳେ ଏବେ ପୁଣି ପ୍ରକ୍ରିୟା ଆରମ୍ଭ ହୋଇଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ବର ବିମାନବନ୍ଦର ସହ ଝାରସୁଗୁଡ଼ା ବିମାନବନ୍ଦରକୁ ମଧ୍ୟ ଘରୋଇକରଣ କରାଯିବ। ଯେଉଁ ସଂସ୍ଥା ଭୁବନେଶ୍ବର ବିମାନବନ୍ଦରର ଦାୟିତ୍ବ ନେବ ତାକୁ ଝାରସୁଗୁଡ଼ା ବିମାନବନ୍ଦର ମିଳିବ। ଏଥିପାଇଁ ଦୁଇ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ସର୍ଭେ ରିପୋର୍ଟ ଦେବାକୁ କୁହାଯାଇଛି।

ଦୁଇଟି ଯାକ ବିମାନବନ୍ଦରରେ କେତେ ଜମି ଅଛି, କେତେ ଜମି ବ୍ୟବହାର ହେଉଛି, କେତେ ବ୍ୟବହାର ହେଉନି, କ’ଣ କ’ଣ ପ୍ରକଳ୍ପ ହୋଇଛି, କ’ଣ ଯୋଜନା ଅଛି, କେତେ ଯାତ୍ରୀ ଆସୁଛନ୍ତି ଏସବୁର ତଥ୍ୟ ଦେବାକୁ ବିମାନବନ୍ଦର ନିର୍ଦ୍ଦେଶକମାନଙ୍କୁ କୁହାଯାଇଛି। ଏସବୁ ତଥ୍ୟ ଦାଖଲ କରିବା ପରେ ଏଏଆଇ ଘରୋଇକରଣ ପାଇଁ ଆର୍‌ଏଫ୍‌ପି ଆହ୍ବାନ କରିବ। ଏହାପରେ ଟେଣ୍ଡର ପ୍ରକ୍ରିୟା କରି ଲିଜ୍‌ ଦିଆଯିବ। ଯେଉଁ ସଂସ୍ଥା ଟେଣ୍ଡର ପାଇବ ସେ ୫୦ବର୍ଷ ପର୍ଯ୍ୟନ୍ତ ବିମାନବନ୍ଦରର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ବରେ ରହିବ।

ଭୁବନେଶ୍ବର ବିମାନବନ୍ଦର ଦେଶର ଲାଭଜନକ ବିମାନବନ୍ଦର ଭାବେ ଗଣା ହେଉଛି। ଏପରିକି କୋଭିଡ୍‌ ପୂର୍ବରୁ ଲଗାତାର ଦୁଇ ବର୍ଷ ଭଲ ଲାଭ କରିଥିବା ଭୁବନେଶ୍ବର ବିମାନବନ୍ଦରରୁ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ଭଲ ରାଜସ୍ବ ପାଉଥିଲା। କିନ୍ତୁ ଦେଶର ବହୁ ବିମାନବନ୍ଦର ଏବେ କ୍ଷତିରେ ଚାଲୁଥିବାରୁ କେନ୍ଦ୍ର ସରକାର ଏ ନେଇ ରିସ୍କ ନେବାକୁ ଚାହୁଁନାହାନ୍ତି। ତେଣୁ ଭୁବନେଶ୍ବର ବିମାନବନ୍ଦରକୁ ନିଲାମ କରିବାକୁ ଯୋଜନା ହୋଇଛି। ଏହାସହ ଝାରସୁଗୁଡ଼ା ବିମାନବନ୍ଦରକୁ ବି ଯୋଡ଼ି ଦିଆଯିବାକୁ ନିଷ୍ପତ୍ତି ‌ହୋଇଛି।

ଯେଉଁ ୬ଟି ବିମାନବନ୍ଦରର ଘରୋଇକରଣ ହେବ ବୋଲି ନିଷ୍ପତ୍ତି ହୋଇଛି; ସେଥିରୁ ସବୁଠୁ ଅଧିକ ଲାଭବାନ ବିମାନବନ୍ଦର ହେଉଛି ଭୁବନେଶ୍ବର ବିମାନବନ୍ଦର। ଏଠାରେ ୨୦୧୭-୧୮ ମସିହା ପର୍ଯ୍ୟନ୍ତ କ୍ଷତି ହେଉଥିଲା। ଏପରିକି ସେ ବର୍ଷ ୧୯କୋଟି କ୍ଷତି ହୋଇଥିଲା। ଏହାପରେ ୨୦୧୮-୧୯ରେ ୧୭କୋଟି ଲାଭ ହେଲା। ୨୦୧୯-୨୦ରେ ୩୪.୨୨କୋଟି ଲାଭ ହୋଇଥିଲା। ଏହାପରେ କରୋନା ଯୋଗୁଁ ଦେଶର ସବୁ ବିମାନବନ୍ଦର ଭଳି ଭୁବନେଶ୍ବର ବିମାନବନ୍ଦରର ଆୟ ବି ପ୍ରଭାବିତ ହୋଇଛି। ଏପରିକି ଏଏଆଇ ଏବେ କର୍ମଚାରୀଙ୍କୁ ଦରମା ଦେଇପାରୁନି। ଏଥିପାଇଁ ବ୍ୟାଙ୍କରୁ ଋଣ କରିଛି। ବର୍ତ୍ତମାନ ଏଏଆଇର ସ୍ଥିତି ଭଲ ନଥିବାରୁ ଏଏଆଇ ବିମାନବନ୍ଦରଗୁଡ଼ିକୁ ଯଥାସମ୍ଭବ ଶୀଘ୍ର ଘରୋଇକରଣ କରିବାକୁ ନିଷ୍ପତ୍ତି ନେଇଛି।

ଭୁବନେଶ୍ବର ବିମାନବନ୍ଦର ଘରୋଇକରଣ ହେଲେ ଏଠାରୁ ଏଏଆଇ ବାର୍ଷିକ ପ୍ରାୟ ୧୦୦କୋଟି ଟଙ୍କା ପାଇବ। ଝାରସୁଗୁଡ଼ା ବିମାନବନ୍ଦରର ୨୦୧୯-୨୦ ଆର୍ଥିକ ବର୍ଷରେ ୧୬.୨୯କୋଟି ଟଙ୍କା କ୍ଷତି ହୋଇଥିବା ବେଳେ ୨୦୨୦-୨୧ରେ କ୍ଷତି ଅଧିକ ବଢ଼ିଛି। ତେଣୁ ଏଏଆଇ ଏହାକୁ ବି ରଖିବାକୁ ଚାହୁଁନି। ତେଣୁ ଭୁବନେଶ୍ବର ବିମାନବନ୍ଦର ଯାହାକୁ ନିଲାମରେ ଦିଆଯିବ ତାକୁ ଝାରସୁଗୁଡ଼ା ବିମାନବନ୍ଦର ସାଂଗରେ ଦିଆଯିବ। ନିଲାମ ପ୍ରକ୍ରିୟାରେ କେଉଁ ସଂସ୍ଥା ଯାତ୍ରୀ ପିଛା କେତେ ଅଧିକ ଟଙ୍କା ଦେବ ତ‌ାକୁ ବିମାନବନ୍ଦରର ପରିଚାଳନା ଦାୟିତ୍ବ ମିଳିବ। ଅନ୍ୟପକ୍ଷ‌ରେ ଏଏଆଇ ଘରୋଇକରଣ ପୂର୍ବରୁ ରାଜ୍ୟ ସରକାରଙ୍କୁ ବିମାନବନ୍ଦରରେ ପୁଞ୍ଜି ଖଟାଇ ସେୟାର ରଖିବାର ସୁଯୋଗ ଦେଉଥିଲା। ହେଲେ ବର୍ତ୍ତମାନ ରାଜ୍ୟର ସ୍ଥିତି ଯାହା ସେଥିରେ ରାଜ୍ୟ ସରକାର ବିମାନବନ୍ଦରରେ ପୁଞ୍ଜିନିବେଶ କରିପାରିବେନି ବୋଲି ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ବିମାନବନ୍ଦର ଘରୋଇକରଣ ହେଲେ ଏଟିସି ଟାୱାର, ଏହାର ସମସ୍ତ କର୍ମଚାରୀ ଓ ତଥ୍ୟ ଏବଂ ଯୋଗଯୋଗ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ଏଏଆଇ ଅଧୀନରେ ରହିବ। ବାକି ସବୁ ଘରୋଇ ସଂସ୍ଥା ହାତରେ ରହିବ। ବିମାନବନ୍ଦରର ଟର୍ମିନାଲରୁ ଆରମ୍ଭ କରି ରନ୍‌ୱେ, ଅଫିସ, ପାର୍କିଂ ଜୋନ୍ ସମେତ ବିମାନବନ୍ଦର ଅଧୀନରେ ଥିବା ସମସ୍ତ ଜମି ଘରୋଇ ସଂସ୍ଥାକୁ ୫୦ବର୍ଷ ପାଇଁ ଲିଜ୍ ଦିଆଯିବ। ଏବେ ଯେଉଁ ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟ କରୁଛନ୍ତି ତାଙ୍କୁ ରଖିବା ନ ରଖିବା ନିଷ୍ପତ୍ତି ଘରୋଇ ସଂସ୍ଥାର। କିନ୍ତୁ ଏଏଆଇ କର୍ମଚାରୀଙ୍କୁ ଯଦି ଘରୋଇ ସଂସ୍ଥା ରଖେ; ତେବେ ସର୍ବନିମ୍ନ ୩ବର୍ଷ ପର୍ଯ୍ୟନ୍ତ ଏଏଆଇ ଦେଉଥିବା ବେତନ ଦେବ। ଏହାପରେ ସେ କର୍ମଚାରୀ ବଦଳାଇ ପା‌ରିବ। କିନ୍ତୁ କୌଣସି ଏଏଆଇ କର୍ମଚାରୀଙ୍କର ଚାକିରି ଛଟେଇ ହେବନି।

ସମ୍ବନ୍ଧିତ ଖବର