ଝାରସୁଗୁଡ଼ା: ଝାରସୁଗୁଡ଼ା ବିମାନ ବନ୍ଦରରୁ ଭୁବନେଶ୍ବରକୁ ଉଡ଼ାଣ ଭରୁଥିବା ଏକମାତ୍ର ବିମାନ ବନ୍ଦ ହେବାକୁ ବସିଥିଲା। ଏପରିକି ରୁଟ୍‌କୁ ୱିଣ୍ଟର ସିଡ୍ୟୁଲ୍‌ରେ ବି ସ୍ଥାନିତ କରାଯାଇ ନାହିଁ। କିନ୍ତୁ ସ୍ଥାନୀୟ ଲୋକଙ୍କ ଦାବି, ବିଧାୟିକା ଓ ଜିଲ୍ଲାପାଳଙ୍କ ଅନୁରୋଧ କ୍ରମେ ଆଲାଏନ୍ସ ଏୟାର ଏହାକୁ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ସମ୍ପ୍ରସାରିତ କରିଛି। ପ୍ରାଥମିକ ସ୍ଥିତିରେ ପ୍ରଥମେ ୧୦ ଦିନ ପରେ ୫ ମାସ ପାଇଁ ଏହି ସେବାକୁ ସମ୍ପ୍ରସାରଣ କରାଯାଇଛି। କିନ୍ତୁ ପ୍ରଶାସନର ପ୍ରତିଶ୍ରୁତି ଅନୁସାରେ, ବର୍ତ୍ତମାନ ସୁଦ୍ଧା ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁରର କୌଣସି କମ୍ପାନି ବିମାନରେ ସେମାନଙ୍କ ସିଟ୍‌ ସଂରକ୍ଷଣ କରିନାହାନ୍ତି। ଫଳରେ କେବଳ ବିମାନ ସେବାର ଅବଧି ସମ୍ପ୍ରସା‌ରିତ ହୋଇଥିବା ବେଳେ ସେବା ସଙ୍କୁଚିତ ହୋଇ ଚାଲିଛି।

Advertisment

ଏହି ରୁଟ୍‌କୁ ପୂର୍ବରୁ ଦୈନିକ ବିମାନ ଉଡ଼ାଣ କରୁଥିବା ବେଳେ ଏବେ ସପ୍ତାହକୁ ମାତ୍ର ୩ ଦିନ ଉଡ଼ାଣ କରୁଛି। ବୁଧବାର, ଶୁକ୍ରବାର ଓ ରବିବାର ‌କେବଳ ଝାରସୁଗୁଡ଼ାରୁ ଭୁବନେଶ୍ବରକୁ ଆଲାଏନ୍ସ ଏୟାରର ୭୨ ଆସନବିଶିଷ୍ଟ ବିମାନ ଚଳାଚଳ କରୁଛି। କିନ୍ତୁ ବୁଧବାର ମାତ୍ର ୧୧ ଜଣ ଯାତ୍ରୀଙ୍କ ବୁକିଂ ରହିବାରୁ ବିମାନକୁ ଶେଷ ମୁହୂର୍ତ୍ତରେ ବାତିଲ କରାଯାଇ ଥିଲା। ଏ ସମ୍ପର୍କରେ ଆଲାଏନ୍ସ ଏୟାରର ଷ୍ଟେସନ ମ୍ୟାନେଜର ଅଭିଷେକ ଶତପଥୀଙ୍କୁ ପଚାରିବାରେ, କହିଛନ୍ତି, ‘ବିମାନ ଉଡ଼ାଣ ପାଇଁ ଇନ୍ଧନ ଓ ବିମାନ ବନ୍ଦର ଖର୍ଚ୍ଚକୁ ମିଶାଇ ଥରକେ ଅନ୍ୟୂନ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୧୧ ଯାତ୍ରୀଙ୍କ ଟିକଟ ଭଡ଼ାରେ ଏଟିସି ଖର୍ଚ୍ଚ ବି ତୁଲାଇବା ସମ୍ଭବ ନୁହେଁ। ୭୨ ଆସନବିଶିଷ୍ଟ ବିମାନର ଅତିକମ୍‌ରେ ୫୦ଟି ସିଟ୍‌ ବୁକିଂ ନ ହେଲେ ବିମାନ ଉଡ଼ାଇବା ଏୟାରଲାଇନ୍ସ ପାଇଁ କ୍ଷତି। ତେଣୁ ପର୍ଯ୍ୟାପ୍ତ ସିଟ୍‌ ବୁକିଂ ନ ହେଲେ ବାଧ୍ୟହୋଇ ବିମାନ ବାତିଲ୍‌ କରାଯାଉଛି। ସେପଟେ, ଗତ କିଛି ମାସ ହେବ ଏହି ରୁଟ୍‌ରେ ବୁକିଂ ହ୍ରାସ ପାଇବା ପରେ ଗତମାସରୁ ଲଗାତାର ବିମାନ ବାତିଲ ହେବା ସହ ସପ୍ତାହକୁ ୩ ଦିନ ଉଡ଼ିବା ପ୍ରକ୍ରିୟା ଜାରି ରହିଛି। ଫଳସ୍ବରୂପ ନିୟମିତ ବିମାନଯାତ୍ରା କରୁଥିବା ଲୋକେ ବି ଆଉ ଏହା ଉପରେ ଭରସା କରିପାରୁ ନାହାନ୍ତି। ଏହା ଅବଧି ସମ୍ପ୍ରସାରଣ ହେବାପରେ ବି ଯାତ୍ରୀ ନ ହେବାର ଏହା ଅନ୍ୟତମ ପ୍ରମୁଖ କାରଣ। ଝାରସୁଗୁଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ର କମ୍ପାନିଗୁଡ଼ିକ ଏହି ବିମାନରେ ଆସନ ସଂରକ୍ଷଣ କରିବା ନେଇ ଝାରସୁଗୁଡ଼ା ବିଧାୟିକା ଚିଠି ଲେଖି ଅନୁରୋଧ କରିଥିଲେ।

ଗତମାସରେ ପ୍ରଥମେ ଉତ୍ତରାଞ୍ଚଳ ରାଜସ୍ବ କମିସନରଙ୍କ ଅଧ୍ୟକ୍ଷତାରେ ଓ ପରେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତାରେ କମ୍ପାନିଗୁଡ଼ିକୁ ନେଇ ୨ ଥର ବୈଠକ ହେଲାଣି। ଜିଲ୍ଲାପାଳ ରାଜ୍ୟ ସରକାରଙ୍କ ପରିବହନ ବିଭାଗକୁ ମଧ୍ୟ ଏ ସଂକ୍ରାନ୍ତରେ ଚିଠି ଲେଖିଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଘରୋଇ କମ୍ପାନିଗୁଡ଼ିକ ପ୍ରତିଶ୍ରୁତି ଦେଇଥିବା ବେଳେ ସରକାରୀ ଉଦ୍ୟୋଗଗୁଡ଼ିକ କୌଣସି ଉତ୍ତର ରଖି ନ ଥିବା ଜଣାପଡ଼ିଛି।