ଭୁବନେଶ୍ବର ନାବାଳିକା ଦୁଷ୍କର୍ମ ମାମଲା: ଓଟିଭିର ଦୁଇ ଜଣଙ୍କ ସମେତ ୪ ଗିରଫ

କଟକ: ବହୁଚର୍ଚ୍ଚିତ ଭୁବନେଶ୍ୱର ନାବାଳିକା ଦୁଷ୍କର୍ମ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଓଟିଭିର ପ୍ରଶାସନିକ ବିଭାଗରେ କାର୍ଯ୍ୟରତ ଅନିରୁଦ୍ଧ ପଣ୍ଡା, କୃଷ୍ଣଚନ୍ଦ୍ର ବେହେରା। ଏମାନଙ୍କ ସହ ଦୁଇ ଜଣ ଘରୋଇ ସୁରକ୍ଷା କର୍ମୀ ବିଜୟ ରାଉତ ଓ ସାମଲଙ୍କୁ ମଧ୍ୟ ଗିରଫ କରାଯାଇଛି। କ୍ରାଇମବ୍ରାଞ୍ଚର ୪ଟି ଟିମ ଗୋପ, କଟକ, ଭୁବନେଶ୍ୱର ଓ କଳିଙ୍ଗ ନଗରକୁ ଯାଇ ଏହି ୪ ଜଣଙ୍କୁ ଗିରଫ କରିଛି। ଗିରଫ ପରେ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ସେମାନଙ୍କୁ ଅଟକ ରଖି ଜେରା କରିବା ପରେ ଆଜି ଗିରଫ କରାଯାଇଥିଲା। ଭୁବନେଶ୍ବର କ୍ୟାପିଟାଲ ହସ୍‌ପିଟାଲରେ ‌ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବା ପରେ ଭୁବନେଶ୍ବର କୋର୍ଟରେ ହାଜର କରାଯାଇଥିଲା। ସେଠାରୁ ସମସ୍ତଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ମାସରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ନେଇ ଅଗଷ୍ଟ ୩୦ ତାରିଖରେ ଭୁବନେଶ୍ୱର ଇନଫୋସିଟି ଥାନାରେ ଅଭିଯୋଗ ହୋଇଥିଲା। ଏତଲାରେ ସଂପୃକ୍ତ ଘରୋଇ ଚ୍ୟାନେଲର ୪ ଓ ୩ ପୁଲିସ କର୍ମଚାରୀଙ୍କ ନାମରେ ଏତଲା ଦିଆ ଯାଇଥିଲା। ଏହାକୁ ଆଧାରକରି କମିସନରେଟ ପୁଲିସ୍‌ ତଦନ୍ତ କରିଥିଲେ ମଧ୍ୟ ମାମଲାକୁ ହାଲ୍‌କା ଭାବେ ନିଆଯାଇଥିଲା। ବିଭିନ୍ନ ମହଲରେ ଏହାର ବିରୋଧ ହେବାରୁ ମାମଲାର ତଦନ୍ତ ଭାର କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା। ମାତ୍ର ତଦନ୍ତରେ ସେଭଳି କୌଣସି ଅଗ୍ରଗତି ହୋଇ ନଥିବାରୁ ହାଇକୋର୍ଟରେ ଦୁଇଟି ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା। ଏହି ଦୁଇଟି ମାମଲାର ଏକତ୍ର ଶୁଣାଣି ହୋଇଥିଲାବେଳେ ତଦନ୍ତରେ ନିଷ୍କ୍ରିୟତା ନେଇ ହାଇକୋର୍ଟ ଅସନ୍ତୋଷ ଜାହିର କରିବା ସହିତ ପୁଲିସ ଡିଜିଙ୍କୁ ବ୍ୟକ୍ତିଗତ ହାଜର ହୋବାକୁ ନିର୍ଦେଶ ଦେଇଥିଲେ। ମାମଲାର ପରବର୍ତ୍ତୀ ଶୁଶାଣି ସୁଦ୍ଧା ଏହା ଉପରେ ଠୋସ୍‌ ପଦକ୍ଷେପ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୬ ତାରିଖକୁ ଧାର୍ଯ୍ୟ ହୋଇଥିବାବେଳେ କ୍ରାଇମବ୍ରାଞ୍ଚ ପୁଲିସ ଆଜି ଏହି ୪ ଜଣଙ୍କୁ ଗିରଫ ଦର୍ଶାଇଛି।

ସମ୍ବନ୍ଧିତ ଖବର