ହାଇକୋର୍ଟ ସ୍ଥାନାନ୍ତର ଦାବିରେ ଓକିଲ ସଂଘର ବିକ୍ଷୋଭ

ପୁରୁଣା ଭୁବନେଶ୍ୱର : ରାଜଧାନୀକୁ ହାଇକୋର୍ଟ ସ୍ଥାନାନ୍ତର ଦାବିରେ ଆଜି ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ବିକ୍ଷୋଭ କରାଯାଇଥିଲା। ଆଇନଜୀବୀମାନେ କୋର୍ଟରେ କାର୍ଯ୍ୟ ବନ୍ଦ କରି ଆନ୍ଦୋଳନରେ ସାମିଲ ହୋଇଥିଲେ। ସଂଘ ପକ୍ଷରୁ ଲୁଇସ୍ ରୋଡ୍‌ଠାରେ ପୁରୀ-ଭୁବନେଶ୍ୱର ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ। ଫଳରେ ଏହି ରାସ୍ତାରେ ଦୀର୍ଘ ସମୟ ଧରି ଯାନବାହନ ଚଳାଚଳ ବନ୍ଦ ହୋଇଯାଇଥିଲା।

ସଂଘ ପକ୍ଷରୁ କୁହାଯାଇଛି ଯେ, ଦେଶର ଅନ୍ୟ ରାଜ୍ୟର ରାଜଧାନୀରେ ହାଇକୋର୍ଟ ରହିଥିବା ବେଳେ ଭୁବନେଶ୍ୱରରେ ହାଇକୋର୍ଟ କିମ୍ବା ହାଇକୋର୍ଟ ବେଞ୍ଚ ନାହିଁ। ଦୁଇ ଜଣ ପୂର୍ବତନ ମୁଖ୍ୟ ବିଚାରପତି ଭିନ୍ନ ଭିନ୍ନ ସମୟରେ ଓଡ଼ିଶା ହାଇକୋର୍ଟକୁ ଭୁବନେଶ୍ୱର ସ୍ଥାନାନ୍ତର କରିବା ପାଇଁ ରାଜ୍ୟପାଳଙ୍କୁ ପ୍ରସ୍ତାବ ଦେଇଥିଲେ। ମାତ୍ର ତାହା କାର୍ଯ୍ୟକାରୀ ହୋଇପାରି ନାହିଁ। କଟକରୁ ରାଜଧାନୀକୁ ହାଇକୋର୍ଟ ସ୍ଥାନାନ୍ତର ହେଲେ ସରକାରୀ ତହବିଲରୁ ଖର୍ଚ୍ଚ ହେଉଥିବା ବିପୁଳ ଅର୍ଥ ବଞ୍ଚି ପାରିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏହାକୁ ନେଇ ପ୍ରତି ମାସରେ ପ୍ରତିବାଦ କରାଯାଉଥିବା ବେଳେ ଆଜି ସଂଘର ସଭାପତି ଦୁର୍ଗା ମାଧବ ମିଶ୍ରଙ୍କ ନେତୃତ୍ବରେ ଆନ୍ଦୋଳନକୁ ତୀବ୍ର କରାଯାଇଥିଲା। ଏଥିରେ ସଂଘର ସମ୍ପାଦକ ଅଞ୍ଜନ କୁମାର ସାମନ୍ତରାୟ, ଅଶୋକ ବେହେରା, ଅତୁଲ୍ୟ ଆଚାର୍ଯ୍ୟ, ଦେବୀ ମିଶ୍ର, ଭାଗ୍ୟବତୀ ରାଉତରାୟ ଓ ଅନ୍ୟ ଆଇନଜୀବୀମାନେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର