ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀ : ଅଫିସର୍‌ ଲଢ଼େଇକୁ ନେଇ ରୋଚକ ସ୍ଥିତି

ବାମ ଦୁର୍ଗକୁ ଜୀବନ୍ୟାସ ଦେବାକୁ ଜନାର୍ଦ୍ଦନଙ୍କ ଉଦ୍ୟମ

ଭୁବନେଶ୍ବର (ଚୌଧୁରୀ ଅମିତାଭ ଦାସ): ଅରୂପ ପଟ୍ଟନାୟକ। ଜନ୍ମଭୂମି ଓଡ଼ିଶା। କର୍ମଭୂମି ମହାରାଷ୍ଟ୍ର। ମୁମ୍ବାଇର ପୁଲିସ୍ କମିସନର୍‌ ଭାବେ ଦେଶରେ ଚର୍ଚ୍ଚିତ ଥିଲେ ଏହି ଆଇପିଏସ୍‌ ଅଫିସର୍। ଅବସର ପରେ ଜନ୍ମଭୂମିକୁ ଆସି ରାଜନୀତିରେ ପାଦ ଦେଇଛନ୍ତି। ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି ବିଜେଡି ପ୍ରାର୍ଥୀ ଭାବେ।

ଅପରାଜିତା ଷଡ଼ଙ୍ଗୀ। ଜନ୍ମସ୍ଥାନ ବିହାର। କର୍ମଭୂମି ଓଡ଼ିଶା। ବୋହୂ ବି ଓଡ଼ିଶାର। ବିଏମ୍‌ସି କମିସନର ଭାବେ ଚର୍ଚ୍ଚାରେ ଥିଲେ ଏହି ଆଇଏଏସ୍ ଅଫିସର୍। ଚାକିରି ୧୦ ବର୍ଷ ବାକି ଥିଲା। ସ୍ବେଚ୍ଛାକୃତ ଅବସର ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ବିଜେପି ତାଙ୍କୁ ପ୍ରାର୍ଥୀ କରିଛି।

ଏହି ଦୁଇ ଅଫିସର୍‌ଙ୍କ ମଧ୍ୟରେ ସିଧାସଳଖ ମୁକାବିଲା ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀକୁ ବେଶ୍‌ ଚର୍ଚ୍ଚାକୁ ‌େନଇ ଆସିଛି। ଏଠାରେ ଭୋଟର୍‌ମାନେ ଏକ ନିଆରା ଲଢ଼େଇକୁ ଏଥର ଦେଖିବେ ଓ ଜଣଙ୍କୁ ବାଛିବେ। ଆଉ ଉଭୟଙ୍କୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ହୋଇଛନ୍ତି କଂଗ୍ରେସ ସମର୍ଥନରେ ସିପିଆଇ(ଏମ୍‌) ପ୍ରାର୍ଥୀ ଜନାର୍ଦ୍ଦନ ପତି। ଏକଦା ବାମପନ୍ଥୀଙ୍କ ଦବ୍‌ଦବା ଥିବା ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀରେ ପୁଣି ବାମ ଦୁର୍ଗକୁ ଜୀବନ୍ୟାସ ଦେବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଜନାର୍ଦ୍ଦନ।

ବିଜେଡି ଗଠନ ହେବା ଦିନ ଠାରୁ ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀ ବିଜେଡି ଦଖଲରେ ରହିଛି। ୧୯୯୮ରୁ ୨୦୧୪ ମଧ୍ୟରେ ହୋଇଥିବା ପାଞ୍ଚଟି ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରସନ୍ନ ପାଟ୍ଟଶାଣୀ ବିଜୟ ଲାଭ କରିଛନ୍ତି। ୧୯୯୮ ପୂର୍ବରୁ ହୋଇଥିବା ୧୧ଟି ସାଧାରଣ ନିର୍ବାଚନରେ କଂଗ୍ରେସ ୮ ଥର ଓ ସିପିଆଇ(ଏମ୍‌) ୩ ଥର ଏହି ନିର୍ବାଚନମଣ୍ଡଳୀକୁ ଦଖଲ କରିଥିଲେ।

୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରସନ୍ନ ପାଟ୍ଟଶାଣୀ ପାଖାପାଖି ୨ ଲକ୍ଷ ଭୋଟ୍‌ରେ ବିଜୟୀ ହୋଇଥିଲେ। ସେହି ନିର୍ବାଚନରେ ବିଜେପି ପ୍ରାର୍ଥୀ ଥିଲେ ପୃଥ୍ବୀରାଜ ହରିଚନ୍ଦନ ଓ କଂଗ୍ରେସ ପ୍ରାର୍ଥୀ ଥିଲେ ଅଭିନେତା ବିଜୟ ମହାନ୍ତି। ଲଗାତର ୫ ଥର ଜିତିଥିଲେ ବି ଶ୍ରୀ ପାଟ୍ଟଶାଣୀଙ୍କର ବିଧାୟକମାନଙ୍କ ସହିତ ସେତେଟା ଭଲ ସମ୍ପର୍କ ନ ଥିଲା। ଦଳୀୟ ସାଂସଦ ଭାବେ ବିଧାୟକମାନେ ତାଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରୁଥିଲେ ବି ତାହା କେବଳ ଉପର ଠାଉରିଆ ଥିଲା। ତେଣୁ ଏଠାରେ ଏଥର ପ୍ରାର୍ଥୀ ବଦଳିବେ ବୋଲି ବହୁ ଦିନରୁ ଆଲୋଚନା ଆରମ୍ଭ ହୋଇଥିଲା। ତେବେ ଶ୍ରୀ ପାଟ୍ଟଶାଣୀଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଆଡ଼େଇ ଦେଇ ନାହାନ୍ତି। ତାଙ୍କୁ ରାଜ୍ୟସଭା ପଠାଯିବ ବୋଲି ଆଶ୍ବାସନା ଦେଇଛନ୍ତି।

ବିଜେଡିର ଦୁର୍ଗ କୁହାଯାଉଥିବା ଭୁବନେଶ୍ବର ଲୋକସଭା ଆସନକୁ ଦଳ ପୁଣି ଦଖଲକୁ ନେବ ବୋଲି ଆଶାବାଦୀ। ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ ରାଜନୀତିରେ ନୂଆ ହୋଇଥିଲେ ମଧ୍ୟ ତାଙ୍କୁ ସହଯୋଗ କରିବାକୁ ସବୁ ବିଧାୟକ, ପୂର୍ବତନ କର୍ପୋରେଟର୍ ଓ ପଞ୍ଚାୟତ ନେତାମାନଙ୍କୁ କୁହାଯାଇଛି। ଆଜି ବିଧିବଦ୍ଧ ଭାବେ ତାଙ୍କ ନାମ ଘୋଷଣା ହୋଇଥିଲେ ହେଁ ସେ କିଛି ଦିନ ଆଗରୁ ପ୍ରଚାର ଆରମ୍ଭ କରିଦେଇଥିଲେ। ଦଳୀୟ ବିଧାୟକ ଓ ନେତାମାନଙ୍କୁ ନେଇ ବିଭିନ୍ନ ସ୍ଥାନରେ ସାଂଗଠନିକ କାର୍ଯ୍ୟକ୍ରମରେ ସାମିଲ ହେଉଥିବା ଦେଖାଯାଇଥିଲା। ସାତଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ସଂଗଠନ ମଜଭୁତ୍ ଥିବାରୁ ଶ୍ରୀ ପଟ୍ଟନାୟକଙ୍କ ପାଇଁ ବିଶେଷ ଅସୁବିଧା ହେବନି ବୋଲି ଦଳୀୟ ନେତାମାନେ ଯୁକ୍ତି ବାଢ଼ୁଛନ୍ତି।

ବିଗତ ନିର୍ବାଚନଗୁଡ଼ିକରେ ଭୁବନେଶ୍ବର ଲୋକସଭା ଆସନର ବିଜେପି ପ୍ରାର୍ଥୀମାନେ ବିଶେଷ ଚର୍ଚ୍ଚାକୁ ଆସି ନ ଥିଲେ। କିନ୍ତୁ ଏଥର ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରାର୍ଥିତ୍ବ ହିଁ ବିଜେପିର ସବୁଠାରୁ ବଡ଼ ପୁଞ୍ଜି। ଅପରାଜିତା ତାଙ୍କ ଚାକିରି ସମୟ‌େର ବିଭିନ୍ନ ଜାଗାରେ କାମ କରିଥିଲେ ବି ବିଏମ୍‌ସି କମିସନର୍ ଭାବେ ତାଙ୍କର ତିନି ବର୍ଷର କାର୍ଯ୍ୟକାଳ ତାଙ୍କୁ ଭୁବନେଶ୍ବର ଓ ଆଖପାଖ ଅଞ୍ଚଳରେ ବେଶ୍‌ ପରିଚୟ ଆଣି ଦେଇଥିଲା। ସେହିପରି ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ। ତେବେ ଭୁବନେଶ୍ବର ଲୋକସଭା ଆସନ ଅଧୀନରେ ଗୋଟିଏ ଦୁଇଟି ବିଧାନସଭା ନିର୍ବାଚନମଣ୍ଡଳୀକୁ ବାଦ୍ ଦେଲେ ଅନ୍ୟ ଆଡ଼େ ବିଜେପିର ସାଂଗଠନିକ ସ୍ଥିତି ସେତେଟା ମଜଭୁତ୍ ନୁହେଁ। ଏହା ଅପରାଜିତାଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ଥିବାରୁ ଦୀର୍ଘ ଦିନ ହେବ ନିଜେ ଅପରାଜିତା ବ୍ୟକ୍ତିଗତ ଭାବେ ବିଭିନ୍ନ ଅଞ୍ଚଳ ବୁଲି ଲୋକସମ୍ପର୍କ ପ୍ରତିଷ୍ଠା କରିଆସୁଛନ୍ତି।

କଂଗ୍ରେସ ଏଥର ଭୁବନେଶ୍ବରରେ ପ୍ରାର୍ଥୀ ଦେଉ ନାହିଁ। ବୁଝାମଣା ଭିତ୍ତିରେ ସିପିଆଇ(ଏମ୍‌)କୁ ଏହି ଆସନ ଛାଡ଼ି ଦେଇଛି। ପୂର୍ବରୁ ୧୯୭୭, ୧୯୮୯ ଓ ୧୯୯୧ରେ ସିପିଆଇ(ଏମ୍‌) ପ୍ରାର୍ଥୀ ଶିବାଜୀ ପଟ୍ଟନାୟକ ଭୁବନେଶ୍ବରୁ ନିର୍ବାଚିତ ହୋଇଥିଲେ। କିନ୍ତୁ ତାହା ପରେ ସିପିଆଇ(ଏମ୍‌) ସାଂଗଠନିକ ସ୍ଥିତି ସେତେଟୋ ଆଖିଦୃଶିଆ ହୋଇ ରହିନାହିଁ। ତେବେ ଶ୍ରୀ ପତିଙ୍କୁ କଂଗ୍ରେସ ସମର୍ଥନ ଦେଉଥିବାରୁ ସେ ବିଜେଡି ଓ ବିଜେପିକୁ କଡ଼ା ମୁକାବିଲା କରିବେ ବୋଲି ଆକଳନ କରାଯାଉଛି।

ସମ୍ବନ୍ଧିତ ଖବର