ନିରାପତ୍ତାରେ ୧୩ତମ ସ୍ଥାନ
ଗମନାଗମନ, ସ୍ୱାସ୍ଥ୍ୟ ଓ ଉତ୍ପାଦକତାରେ ୨୦ତମ
ଭୁବନେଶ୍ୱର : ବିଶ୍ୱର ସମସ୍ତ ସ୍ମାର୍ଟ ସିିଟିର ଗମନାଗମନ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ନିରାପତ୍ତା, ଉତ୍ପାଦକତା ଭଳି ମାପକାଠିକୁ ନେଇ ଇଂଲଣ୍ଡର ଜୁନିପର୍ ରିସର୍ଚ୍ଚ ପକ୍ଷରୁ ହୋଇଥିବା ସର୍ଭେରେ ଭୁବନେଶ୍ୱର ଶ୍ରେଷ୍ଠ ୨୦ ସ୍ମାର୍ଟ ସିଟି ଭିତରେ ସ୍ଥାନ ପାଇଛି। ଭାରତର ଏକମାତ୍ର ସ୍ମାର୍ଟ ସିଟି ଭାବେ ଭୁବନେଶ୍ୱର ‘ବେଷ୍ଟ୍ ପରଫରମିିଙ୍ଗ୍ ସ୍ମାର୍ଟ ସିଟି’ ତାଲିକାରେ ସ୍ଥାନ ପାଇ ଦେଶର ଗୌରବ ବୃଦ୍ଧି କରିଛି।
ଏହି ସର୍ଭେରେ ନିଆଯାଇଥିବା ୪ଟି ଯାକ ମାପକାଠିରେ ସିଙ୍ଗାପୁର ପ୍ରଥମ ସ୍ଥାନରେ ରହିଥିବାବେଳେ ଭୁବନେଶ୍ୱର ଗମନାଗମନ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ଉତ୍ପାଦକତାରେ ୨୦ତମ ସ୍ଥାନରେ ରହିଛି। ନିରାପତ୍ତାରେ ଭୁବନେଶ୍ୱର ବାର୍ସିଲୋନା, ବର୍ଲିନ୍, ପୋର୍ଟଲ୍ୟାଣ୍ଡ, ମେକ୍ସିକୋ ସିଟି, ଉକ୍ସି, ୟିନ୍ଚୁଆନ୍, ହ୍ୟାଙ୍ଗଝୋଉ ଭଳି ସହରକୁ ପଛରେ ପକାଇ ୧୩ତମ ସ୍ଥାନରେ ରହିଛି। ତେଣୁ ହାରାହାରି ଭାବେ ଭୁବନେଶ୍ୱର ଶ୍ରେଷ୍ଠ ୨୦ ତାଲିକାର ୧୯ତମ ସ୍ଥାନରେ ରହିଛି।
ସ୍ମାର୍ଟ ସିଟି ଭୁବନେଶ୍ୱରର ଏହି ସଫଳତା ନେଇ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ କୁହାଯାଇଛି ଯେ, ସ୍ମାର୍ଟ ସିଟି ବାସିନ୍ଦାଙ୍କୁ ଗୁଣାତ୍ମକ ସେବା ଯୋଗାଇବା ପାଇଁ ବିଏମ୍ସି ଓ ବିଡିଏ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଏବଂ ସ୍ମାର୍ଟ ସିଟି ଯୋଜନାରେ ହେବାକୁ ଥିବାକୁ ପ୍ରକଳ୍ପ ପାଇଁ ଏହି ସଫଳତା ମିଳିଛି।
ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ଏବଂ ୟୁଏନ୍ଏଫ୍ପିଏ ସହଯୋଗରେ ମହିଳା ଏବଂ ଯୁବତୀମାନଙ୍କୁ ଆତ୍ମରକ୍ଷା ପ୍ରଶିକ୍ଷଣ ଦିଆଯାଇଛି। ଏହାବାଦ୍ ରାଜଧାନୀର ବିଭିନ୍ନ ସ୍ଥାନରେ ସିସିଟିଭି ଲାଗିଛି, ଇଣ୍ଟେଲିଜେଣ୍ଟ ସିଟି ଅପରେସନ୍ସ ଆଣ୍ଡ ମ୍ୟାନେଜମେଣ୍ଟ୍ ସେଣ୍ଟର (ଆଇସିଓଏମ୍ସି) ମାଧ୍ୟମରେ ପୂରା ରାଜଧାନୀ ଉପରେ ନଜର ରଖିବାକୁ ଯୋଜନା ହୋଇଛି। ଏହି ଦୃଷ୍ଟିରୁ ଭୁବନେଶ୍ୱର ନିରାପତ୍ତା ମାପକାଠିରେ ଅନ୍ୟ ୭ଟି ସ୍ମାର୍ଟ ସିଟିକୁ ପଛରେ ପକାଇ ୧୩ତମ ସ୍ଥାନ ହାସଲ କରିଛି।
ସୂଚନାଯୋଗ୍ୟ ଯେ, ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ହୋଇଥିବା ସ୍ମାର୍ଟ ସିଟି ଚୟନ ପ୍ରତିଯୋଗିତାରେ ଭୁବନେଶ୍ୱର ପ୍ରଥମ ସ୍ଥାନ ହାସଲ କରିଥିବାବେଳେ ୨୦୧୬ରେ ବାର୍ସିଲୋନାରେ ହୋଇଥିବା ଓ୍ଵାର୍ଲଡ ସ୍ମାର୍ଟ ସିଟି ଆଓ୍ଵାର୍ଡ ପ୍ରତିଯୋଗିତାରେ ଭୁବନେଶ୍ୱର ଫାଇନାଲ ରାଉଣ୍ଡକୁ ଯାଇଥିଲା। ଗତବର୍ଷ ଆମେରିକାନ ପ୍ଲାନିଂ ଆସୋସିଏସନ୍ ପକ୍ଷରୁ ମଧ୍ୟ ଭୁବନେଶ୍ୱରକୁ ଇଣ୍ଟରନ୍ୟାସନାଲ ପ୍ଲାନିଂ ଏକ୍ସଲେନ୍ସ ଆଓ୍ଵାର୍ଡ ମିଳିଥିଲା। ତେବେ ସ୍ମାର୍ଟ ସିଟି ଭୁବନେଶ୍ୱର ପାଇଁ ପ୍ରସ୍ତୁତ ହୋଇଥିବା ଯୋଜନା ଯୋଗୁଁ ଏହିସବୁ ସଫଳତା ମିଳିଥିଲେ ହେଁ ଏହିସବୁ ଯୋଜନାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଆଜି ପର୍ଯ୍ୟନ୍ତ କିଛି ବି ଆଖିଦୃଶିଆ କାର୍ଯ୍ୟ ନହେବା ବିଏସ୍ସିଏଲ୍ କର୍ତ୍ତୃପକ୍ଷଙ୍କ କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ ଉଠାଇଲାଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/bbsr-3.jpg)