ଭୁବନେଶ୍ୱର ମେୟର ପ୍ରାର୍ଥୀ ଘୋଷଣା: ବିଜେଡିରୁ ସୁଲୋଚନା, ବିଜେପିରୁ ସୁନୀତି

କଟକରେ ସୁବାସ, ବ୍ରହ୍ମପୁରରେ ସଂଘମିତ୍ରା

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲକୁ ଆଉ ଦୁଇ ଦିନ ରହିଲା। ତିନି ପ୍ରମୁଖ ଦଳ ଏବେବି ସବୁ ଆସନ ପାଇଁ ପ୍ରାର୍ଥୀ ଦେଇପାରିନାହାନ୍ତି। ତିନି ମହାନଗର ନିଗମରେ ମେୟର ପଦବି ପାଇଁ ଆଜି ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ କଂଗ୍ରେସ ଭୁବନେଶ୍ବର ଓ କଟକ ପାଇଁ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଛି। ବିଜେପି ଶନିବାର ଦିନ ଭୁବନେଶ୍ବର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି। ହେଲେ ବ୍ରହ୍ମପୁରରେ କିଏ ମେୟର ପ୍ରାର୍ଥୀ ହେବେ ବିଜେପି ଓ କଂଗ୍ରେସ ସ୍ଥିର କରିପାରିନାହାନ୍ତି।

ବିଜେଡି ଆଜି ଭୁବନେଶ୍ବର ମହାନଗର ନିଗମ ପାଇଁ ରାଜ୍ୟ ଭିନ୍ନକ୍ଷମ କମିସନ ଅଧ୍ୟକ୍ଷା ସୁଲୋଚନା ଦାସ, କଟକ ମହାନଗର ନିଗମ ପାଇଁ ରାଜ୍ୟସଭା ସାଂସଦ ସୁବାସ ସିଂହ ଏବଂ ବ୍ରହ୍ମପୁର ମହାନଗର ନିଗମ ପାଇଁ ପୂର୍ବତନ କର୍ପୋରେଟର ସଂଘମିତ୍ରା ଦଳେଇଙ୍କୁ ପ୍ରାର୍ଥୀ କରିଛି। ବିଜେଡି ଭୁବନେଶ୍ବର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିବା ପରେ ପରେ ବିଜେପି ସୁନୀତି ମୁଣ୍ଡ୍‌ଙ୍କୁ ଭୁବନେଶ୍ବରର ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଛି। ହେଲେ କଟକ ଓ ବ୍ରହ୍ମପୁରରେ କିଏ ମେୟର ପ୍ରାର୍ଥୀ ହେବ ସେନେଇ ଦଳ ପକ୍ଷରୁ କିଛି ନିଷ୍ପତ୍ତି ହୋଇନି।

 

ଅପରପକ୍ଷେ କଂଗ୍ରେସ କଟକ ପାଇଁ କିଛି ଦିନ ତଳେ ଗିରିବାଳା ବେହେରାଙ୍କୁ ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ଭୁବନେଶ୍ବର ପାଇଁ ଶୁକ୍ରବାର ମଧୁସ୍ମିତା ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି। ଭୁବନେଶ୍ବର ଓ କଟକରେ ମେୟର ପ୍ରାର୍ଥୀ ଘୋଷଣାରେ ଆଗରେ ଥିବା କଂଗ୍ରେସ କିନ୍ତୁ ବ୍ରହ୍ମପୁର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିବାରେ ପଛରେ ପଡ଼ିଯାଇଛି।

ସେହିପରି ତିନି ପ୍ରମୁଖ ଦଳ ଏବେବି ତିନି ମହାନଗର ନିଗମର ସବୁ ଆସନ ପାଇଁ କର୍ପୋରେଟର ପ୍ରାର୍ଥୀ ଘୋଷଣା କରିପାରିନାହାନ୍ତି। କଂଗ୍ରେସ ଭୁବନେଶ୍ବର ମହାନଗର ନିଗମ ପାଇଁ ୩୦ଜଣ, କଟକ ପାଇଁ ୧୧ଜଣ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବ୍ରହ୍ମପୁର ପାଇଁ ଜଣେ ବି ପ୍ରାର୍ଥୀ ଘୋଷଣା କରିନି। ବିଜେଡି ଓ ବିଜେପି ଏବେ ସୁଦ୍ଧା ତିନି ମହାନଗର ନିଗମ ପାଇଁ ଜଣେ ବି ପ୍ରାର୍ଥୀ ଘୋଷଣା କରିନାହାନ୍ତି। ହେଲେ ଏହି ଦୁଇ ଦଳରୁ ଲଢ଼ିବା ପାଇଁ କିଛି ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିସାରିଲେଣି। ବିଜେଡି ପକ୍ଷରୁ ଭୁବନେଶ୍ବରର କେଉଁ ୱାର୍ଡରେ କିଏ ପ୍ରାର୍ଥୀ ହେବ ତାହା ବିଧିବଦ୍ଧ ଭାବେ ଘୋଷଣା ହୋଇନଥିବାରୁ ଆଶାୟୀଙ୍କ ମଧ୍ୟରେ ଛକାପଞ୍ଝା ଚାଲିଛି। କେବଳ ୱାର୍ଡ ୫୨ରୁ ଶ୍ରୀଧର ବେହେରା ବିଜେଡି ପ୍ରାର୍ଥୀ ଭାବେ ପ୍ରାର୍ଥିିପତ୍ର ଦାଖଲ କରିଛନ୍ତି। କିନ୍ତୁ ଅନ୍ୟ ସବୁ ୱାର୍ଡର ପ୍ରାର୍ଥୀମାନଙ୍କୁ ନିଶ୍ଚିତ ପ୍ରତିଶ୍ରୁତି ମିଳିନଥିବାରୁ କେହି ପ୍ରାର୍ଥିପତ୍ର ଦାଖଲ କରିନାହାନ୍ତି। ଅପରପକ୍ଷେ ଭୁବନେଶ୍ବରର ପ୍ରାୟ ୩୦ରୁ ଅଧିକ ୱାର୍ଡର ବିଜେପି ପ୍ରାର୍ଥୀମାନେ ବିନା ଟିକେଟରେ ପ୍ରାର୍ଥିପତ୍ର ଦାଖଲ କରିସାରିଲେଣି।

ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ଦଳୀୟ ପ୍ରାର୍ଥୀଙ୍କ ତାଲିକା ୮ତାରିଖ ଅପରାହ୍ନ ୫ଟା ୩୦ ସୁଦ୍ଧା ନିର୍ବାଚନ ଅଧିକାରୀଙ୍କୁ ଦେବାକୁ ଥିବାରୁ ଯେଉଁମାନଙ୍କୁ ଏବେ ଟିକେଟ ଦିଆଯାଇପାରୁନି ସେମାନଙ୍କୁ ଦଳୀୟ ପ୍ରାର୍ଥୀ ଉଲ୍ଲେଖ କରି ପ୍ରାର୍ଥିପତ୍ର ଦାଖଲ କରିବାକୁ କୁହାଯାଇଛି। ପରେ ସେମାନଙ୍କ ପ୍ରାର୍ଥିତ୍ବ ନେଇ ନିର୍ବାଚନ ଅଧିକାରୀଙ୍କୁ ଜଣାଇ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଥିବା ଉକ୍ତ ପ୍ରାର୍ଥୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର