କଟକ: ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ଘଟଣାର ତଦନ୍ତ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଦ୍ବାରା କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଜି ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଇନଜୀବୀ ଗୌତମ ସିଦ୍ଦିକିଙ୍କ ପକ୍ଷରୁ ଦାୟର ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ ସରକାରଙ୍କ ପକ୍ଷରୁ ତଦନ୍ତର ଅଗ୍ରଗତି ସଂକ୍ରାନ୍ତରେ ଅବଗତ କରାଯାଇଥିଲା। ଏ ନେଇ ସରକାରଙ୍କ ପକ୍ଷରୁ ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ଏହାପରେ ଡିସିପି ପାହ୍ୟାର ଜଣେ ବରିଷ୍ଠ ଅଧିକାରୀଙ୍କ ତଦାରଖରେ ଘଟଣାର ତଦନ୍ତ ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ତଦନ୍ତର ଅଗ୍ରଗତି ସଂପର୍କିତ ସାନି ରିପୋର୍ଟ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅକ୍ଟୋବର ୧୨ ଦିନ ମାମଲାର ପରବର୍ତ୍ତୀ ଶୁଣାଣି କରିବା ପାଇଁ ଦିନ ଧାର୍ଯ୍ୟ କରାଯାଇଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ସେପ୍ଟେମ୍ବର ୨୮ରେ ହାଇକୋର୍ଟ ମାମଲାର ପ୍ରାରମ୍ଭିକ ଶୁଣାଣି କରି ତଦନ୍ତର ଅଗ୍ରଗତି ନେଇ ରିପୋର୍ଟ ତଲବ କରିଥିଲେ। ଏହି ଜନସ୍ବାର୍ଥ ମାମଲାର ଆବେଦନରେ ଘଟଣାର ସିବିଆଇ କିମ୍ବା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ତଦନ୍ତ କରାଯାଉ ବୋଲି ଦର୍ଶାଯାଇଛି। ଆବେଦନରେ ଉଲ୍ଲେଖ କରାଯାଇଛି ଯେ ଭୁବନେଶ୍ବରରେ ୧୩ ବର୍ଷର ନାବାଳିକା ଗଣଦୁଷ୍କର୍ମର ଶିକାର ହେବା ନେଇ ଏତଲା ରୁଜୁ ହୋଇଥିଲା।
ଏହି ଘଟଣାରେ ପୁଲିସ ବିଭାଗ କର୍ମଚାରୀଙ୍କ ସହିତ ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀ ସଂପୃକ୍ତ ବୋଲି ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବା ବେଳେ କମିସନରେଟ୍ ପୁଲିସ ତଦନ୍ତ ସନ୍ତୋଷଜନକ ନୁହେଁ। ଏହା ଏକ ସମ୍ବେଦନଶୀଳ ପ୍ରସଂଗ ହୋଇଥିବା ବେଳେ ଏବେ ରାଜନୈତିକ ରଂଙ୍ଗ ମଧ୍ୟ ଏହାକୁ ଦିଆଯାଉଥିବା ଅଭିଯୋଗ ହେଉଛି। ତଦନ୍ତକୁ ପ୍ରଭାବିତ କରିବାକୁ ଓ ବାଟବଣା କରିବାକୁ ଉଦ୍ୟମ ହେଉଛି। ଏଭଳି ସ୍ଥିତିରେ କମିସନରେଟ ପୁଲିସର ସ୍ବତନ୍ତ୍ର ଦଳ ଘଟଣାର ଉପଯୁକ୍ତ ତଦନ୍ତ କରିବା ଭଳି ଆଶା ନାହିଁ। ଏହି ଘଟଣାର ତଦନ୍ତ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ବତନ୍ତ୍ର ତଦନ୍ତକାରୀ ଦଳକୁ ପ୍ରଦାନ କରାଯାଉ। ନଚେତ ସବିଆଇ ଭଳି ସ୍ବାଧୀନ ଏଜେନ୍ସକୁ ତଦନ୍ତ ଦାୟିତ୍ବ ପ୍ରଦାନ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ଗୃହ ସଚିବ, ପୁଲିସ ଡିଜି, ସିବିଆଇ, ଭୁବନେଶ୍ବର ଡିସିପି ଓ ମହିଳା ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି।