ଭୁବନେଶ୍ୱର ଗଣଦୁଷ୍କର୍ମ ମାମଲା : ତଦନ୍ତ ପ୍ରକ୍ରିୟାକୁ ନେଇ ହାଇକୋର୍ଟଙ୍କ ଅସନ୍ତୋଷ, ପୀଡ଼ିତାଙ୍କୁ ସୁରକ୍ଷା ପାଇଁ ନିର୍ଦ୍ଦେଶ

କଟକ : ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ଘଟଣାରେ ତଦନ୍ତ ପ୍ରକ୍ରିୟାକୁ ନେଇ ହାଇକୋର୍ଟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତଦନ୍ତ ଯେଉଁ ବାଟ ଦେଇ ଯାଉଛି ତାହା ଆଦୌ ସନ୍ତୋଷଜନକ ନୁହେଁ ବୋଲି ହାଇକୋର୍ଟ କହିବା ସହିତ ପୁଲିସକୁ ଏଥିପାଇଁ ଆଉ ଥରେ ସୁଯୋଗ ଦିଆଯାଉ ବୋଲି ଟିପ୍ପଣୀ ଦେଇଛନ୍ତି। ଏଥି ସହିତ ପୀଡ଼ିତା ଓ ତାଙ୍କ ମା’ଙ୍କୁ ସୁରକ୍ଷା ପ୍ରଦାନ ପାଇଁ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପୀଡ଼ିତା ଓ ତାଙ୍କ ମା’ଙ୍କ ପରିଚୟ ଗୋପନ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ସେପ୍ଟେମ୍ବର ୩୦ର ନିର୍ଦ୍ଦେଶ ପରେ ତଦନ୍ତ ଦାୟିତ୍ବ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିବା ବେଳେ ଓ ଡିସିପି ପାହ୍ୟାର ଅଧିକାରୀଙ୍କୁ ତଦନ୍ତ ଦାୟିତ୍ବ ଦିଆଯାାଇଥିଲା। ଆଇପିସିର ଦଫା ୩୭୬(ବି), ୩୭୬(୨)(ଏନ୍), ୫୦୬ ସହିତ ପୋକ୍‌ସୋ ଆଇନର ଧାରା ୬ରେ ମାମଲା ରୁଜୁ ହେବା ସହିତ ୧୪ ବର୍ଷିୟା ନାବାଳିକା ପୀଡ଼ିତାଙ୍କ ବୟାନ ସିଆର୍‌ପିସିର ଧାରା ୧୬୧ରେ ପୁଲିସ ଓ ଧାରା ୧୬୪ରେ ଭୁବନେଶ୍ବର ଜେଏମ୍‌ଏଫ୍‌ସି ଅଦାଲତଙ୍କ ନିକଟରେ ରେକର୍ଡ କରାଯାଇଥିଲା। ପୀଡିତାଙ୍କ ମା ରୁଜୁ କରିଥିବା ଏତଲାରେ ରହିଥିବା ଅଭିଯୋଗ ସହିତ ପୀଡିତାଙ୍କ ଉଭୟ ବୟାନ ସମାନ ହୋଇଥିବା ବେଳେ ଏଭଳି ସମ୍ବେଦନଶୀଳ ମାମଲାରେ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରି ନାହିଁ। ଏଭଳି ସ୍ଥିତିରେ ହାଇକୋର୍ଟ ତଦନ୍ତକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଫଳପ୍ରଦ ତଦନ୍ତ ପାଇଁ ପୁଲିସକୁ ଆଉ ଏକ ସୁଯୋଗ ଦେବା ପାଇଁ ମନ୍ତବ୍ୟ ରଖିଛନ୍ତି। ପରବର୍ତ୍ତୀ ଶୁଣାଣି ସମୟରେ କେସ୍ ଡାଏରି ସହିତ ଅଭିଯୁକ୍ତଙ୍କ ବିରୋଧରେ ଗ୍ରହଣ କରାଯାଇଥିବା ପଦକ୍ଷେପ ପ୍ରସଂଗରେ ତଥ୍ୟ ଉପସ୍ଥାପନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଗୌତମ ସିଦ୍ଦିକିଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୯କୁ ଧାର୍ଯ୍ୟ କରାଯାଇଛି।

ଏହି ଗଣଦୁଷ୍କର୍ମ ଘଟଣାର ସିବିଆଇ କିମ୍ବା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ତଦନ୍ତ କରାଯାଉ ଦର୍ଶାଇ ଦାୟର ଜନସ୍ବାର୍ଥ ମାମଲାରେ ସରକାରଙ୍କ ପକ୍ଷରୁ ଗତ ୧୨ ତାରିଖ ଦିନ ଜବାବ ଦାଖଲ କରାଯାଇଥିଲା। କ୍ରାଇମବ୍ରାଞ୍ଚ ଏଡିଜି ସତ୍ୟପାଠ ମାଧ୍ୟମରେ ଦାଖଲ କରିଥିବା ଜବାବରେ ଉଲ୍ଲେଖ କରାଯାଇଥିଲା ଯେ ଅକ୍ଟୋବର ୬ରେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଦାୟିତ୍ବ ନେଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି କ୍ରାଇମବ୍ରାଞ୍ଚ ଏସ୍‌ପିଙ୍କୁ ତଦନ୍ତକାରୀ ଅଧିକାରୀ ନିଯୁକ୍ତି ଦିଆଯାଇଛି। ଜଣେ ଅତିରିକ୍ତ ଏସ୍‌ପି, ତିନି ଜଣ ମହିଳା ଇନ୍ସପେକ୍ଟର ଓ ସାଇବର ସେଲ୍‌ର ଜଣେ ଇନ୍ସପେକ୍ଟର ତଦନ୍ତରେ ସହଯୋଗ କରୁଛନ୍ତି। କ୍ରାଇମବ୍ରାଞ୍ଚ ତଦନ୍ତ ଦାୟିତ୍ବ ନେବା ପରେ ଅଭିଯୁକ୍ତଙ୍କୁ ଜେରା କରାଯାଇଛି। ଅଭିଯୁକ୍ତଙ୍କ ବୟାନର ସତ୍ୟାସତ୍ୟ ପରୀକ୍ଷା କରିବା ପାଇଁ ଭୁବନେଶ୍ବର ଏସ୍‌ଏଫ୍‌ଏସ୍‌ଏଲ୍‌ରେ ସେମାନଙ୍କ ପଲିଗ୍ରାଫ ଟେଷ୍ଟ କରାଯାଇଛି। ଏଥିପାଇଁ ଅଭିଯୁକ୍ତଙ୍କ ସମ୍ମତି ମଧ୍ୟ ନିଆଯାଇଛି। ଏ ସଂପର୍କିତ ଟେଷ୍ଟ ‌ରିପୋର୍ଟକୁ ଅପେକ୍ଷା କରାଯାଇଛି। କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରାଥମିକ ପର୍ଯ୍ୟାୟରେ ରହିଥିବା ବେଳେ ସତ୍ୟ ଉନ୍ମୋଚନ କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି ବୋଲି ସତ୍ୟପାଠରେ ଦର୍ଶାଯାଇଥିଲା।

ସମ୍ବନ୍ଧିତ ଖବର